Unknown

 

 

 

 

 

 

 

 

 

 

 

ସପ୍ତଧାରା

ଶ୍ରୀ କମଳାକାନ୍ତ ଦାଶ

 

ସୂଚୀପତ୍ର

 

୧.

ସର୍ପେଶ୍ୱର ନିରଞ୍ଜନ ବାବା

୨.

ମରୁଆ ଭିତରେ ଫରୁଆଟି

୩.

ଚୁନି ମିଆଁଙ୍କ ବଳଦ

୪.

ସୁରମାର ଭାଉଜ

୫.

ଭୁତକୋଠିର କଥା

୬.

ଦୁନିଆର ରୂପ

୭.

ପ୍ରଫେସର ମହାପାତ୍ରଙ୍କ ଭାଉଜ

Image

 

ସର୍ପେଶ୍ୱର ନିରଞ୍ଜନ ବାବା

 

ସିଦ୍ଧପୁରୁଷ ନିରଞ୍ଜନ ବାବା ସୁଭଦ୍ରାପୁରରେ ଜନ୍ମଗ୍ରହଣ କରି ବଡ଼ କଷ୍ଟରେ ୫ମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଲା ପରେ ପଢ଼ା ଛାଡ଼ିଦେଲେ । ତେଣିକି ସେ ହିନ୍ଦୀ ଶିକ୍ଷା କରିବା ଉଦ୍ଦେଶ୍ୟରେ ଖୋଲଟି ଆରମ୍ଭ କରିଦେଲେ–ନେହିଁ ଯାଉଁଗା, ପାଇଖାନା ମେ ଯାତେ ଯାତେ ବାଡ଼ିମେ ଖଡ଼ା ହୋଗିୟା–ଇତ୍ୟାଦି, ଇତ୍ୟାଦି । ସମସ୍ତେ କହିଲେ–ହେଇଗଲା । ଲଫଙ୍ଗା ଟୋକା ନିରଞ୍ଜନିଆ ଏଥର ଚଳେଇଲାଣି ହିନ୍ଦୀ । ବାବାଜି ବୈଷ୍ଣବ ବନିଯିବ ତ ଏଣିକି, ତା’ ପରେ ଚାଲିଲା ୟା–ତା ବାଡ଼ିରୁ ନଡ଼ିଆ ଚୋରି, ଲାଉ ଚୋରି, କଖାରୁ ଚୋରି । ଥରେ ଅଧେ ଧରାପଡ଼ି ଖୋଲଟି ବାଜ ନିରଞ୍ଜନ ନିସ୍ତୁକ ମାଡ଼ ଖାଇ ହପ୍ତାଏ, ଦି’ ହପ୍ତା ଅଜ୍ଞାନ ହୋଇ ଘରେ ପଡ଼ିଲେ । ତା’ପରେ ଗାଁ ଛାଡ଼ି ଚାଲିଲେ ସିଦ୍ଧିପଥରେ ।

 

ଏ ଦେଶରେ ସିଦ୍ଧ ବାବାଜି ତ କମ୍‌ ନାହାନ୍ତି ! ମୁହଁରେ ଦାଢ଼ି, ମୁଣ୍ଡ ଦିହରେ ତିଳକ ମାଟି, ହାତରେ ଚିମୁଟା ଓ ଖଣ୍ଡେ ଅଧେ କଉପୁନି ଏବଂ ଗେରୁଆ ବହିର୍ବାସ ହେଲେ ହେଲା । ହୁଏତ ବମ୍‌–ଭୋଲେ, ନୋହିଲେ ରାଧେଶ୍ୟାମ । ଥରେ ନିରଞ୍ଜନ, ଗୁରୁଶିଷ୍ୟ ଦି’ଜଣଙ୍କୁ ଗୋଟିଏ ଗଛମୂଳେ ଧୁନି ଜାଳି ଗଞ୍ଜେଇ ଟାଣୁଥିବାର ଦେଖି ଲମ୍ବ ହୋଇ ମୁଣ୍ଡିଆଟାଏ ପକେଇଲେ । ଗୁରୁ କହିଲେ–‘‘ଉଠ୍‌ ଉଠ୍‌ ବାବା ! ଆମେ ଅନେକ ଦିନ ହେଲା ତୁମକୁ ଖୋଜୁଥିଲୁ ।’’

 

‘‘ସତେ ! ଏଡ଼େ ଅନୁଗ୍ରହ ?’’

 

ବାବାଙ୍କ ପାଖରେ ଥାଏ ସାପପେଡ଼ି ଦି’ ତିନିଟା । ସାପୁଆ କେଳାରୁ ବାବା ଭୋଳାମହେଶ ନନ୍ଦୀ ଭୃକୁଟି ଦୁଇ ଚେଲା ଭିତରୁ କେବଳ ନନ୍ଦୀଟିକୁ ଧରି ବୁଲୁଥାନ୍ତି । ନିରଞ୍ଜନକୁ ଦେଖି କହି ଉଠିଲେ–‘‘ଉଠ୍‌ ଉଠ୍‌–ତୁ ମୋର ଭୃକୁଟି, ଆ ବାବା, ଏ ହେଲା ତୋର ବଡ଼ଭାଇ ନନ୍ଦୀ । ତାକୁ ନମସ୍କାର କର ।’’

 

ନିରଞ୍ଜନ ଚେଲାଜିଙ୍କୁ ମୁଣ୍ଡିଆ ମାରିଲେ । ତା’ପରେ ଗୁରୁଜୀ ଗଞ୍ଜା ଚିଲମଟାକୁ ନିରଞ୍ଜନର ମୁଣ୍ଡ ଉପରକୁ ଉଠାଇ କହିଲେ–‘‘ବମ୍‌ ଭୋଲେ । ହର ହର ହର ହର ବମ୍‌ ।’’

 

ସେହିଦିନଠାରୁ ଛଅ ମାସ କାଳ ସର୍ପେଶ୍ୱର ଭୋଳାମହେଶଙ୍କ ନିକଟରେ ରହି ନିରଞ୍ଜନ ସର୍ପଧାରଣ ଯୋଗ, ଦନ୍ତଭାଜନ ଯୋଗ, ଗଳାଗୁଡ଼ାଣ ଯୋଗ ଇତ୍ୟାଦି ସର୍ପ ବଶୀକରଣ ବିଦ୍ୟା ଶିଖି ଦ୍ୱିତୀୟ ଭୋଳେଶ୍ୱର, ସର୍ପେଶ୍ୱର ଭୃଙ୍ଗୀରାଜ ନିରଞ୍ଜନ ବାବାରୂପେ ସଂସାରର ଫୁଲକା ଉପରକୁ ଡେଇଁ ପଡ଼ିଲେ । ସେ ଖୋଜିଲେ ଗୋଟିଏ ଚେଲା । ଆଜିକାଲିକା ଦୁନିଆରେ ସ୍କୁଲ କଲେଜରେ ପିଲାମାନଙ୍କ ଭିତରୁ ଅତି ସହଜରେ ବାଳୁଙ୍ଗା, ବୁଦ୍ଧିମଠୁଆ, ପାଠଡ଼ରୁଆ, ଲଫଙ୍ଗାନବିଶ ଗୋଟାଏ ଦୁଇଟା ଅତି ସହଜରେ ମିଳିଯାଆନ୍ତି । ନିରଞ୍ଜନ ବାବୁଙ୍କୁ ମଧ୍ୟ ସିମିତିଆ ଗୋଟିଏ ମିଳିଗଲା ।

 

ବାପ ମା’ଙ୍କର ସମ୍ପତ୍ତିବାଡ଼ି ଅଛି । ସ୍କୁଲ ବୋର୍ଡ଼ିଙ୍ଗରେ ସୁପରଦଣ୍ଟଙ୍କର କଡ଼ା କଟକଣା । ତେଣେ କ୍ଲାସରେ ମାଷ୍ଟରମାନେ ବି ପାଠ ପଢ଼ାଉଛନ୍ତି–ସେ ବୁଝୁଥିବେ । ବହି କିତାବଗୁଡ଼ିକ ଏଣିକି ଏଣିକି କଷ୍ଟିଆ ହୋଇଯାଉଛି । ତେଣେ ପୁଣି ପରୀକ୍ଷକମାନେ ନମ୍ବର ଦିଟା ଦେଇଦେବାକୁ ଭାରି କୁନ୍ଥୁ କୁନ୍ଥୁ ।

 

ସବୁଠୁଁ ଶସ୍ତା ଓ ସୁବିଧା ହେଲା–ସାଧୁ ସନ୍ନ୍ୟାସୀ ହୋଇଯିବା । ନିରଞ୍ଜନ ବାବା ବାଛି ବାଛି ଧନିଆକୁ ଚେଲା କରିନେଇ କହିଲା–‘‘ଧନେଶ୍ୱର ! ପଢ଼ାପଢ଼ିରୁ କି ମିଳିବ ? ତୁ ଆ ଚାଲି । ଦେଖିବୁ କେତେ ପାଠୁଆ ଆସି ଆମ ପାଖରେ ବୋକା ବନିଯିବେ । କେତେ ଜଜ୍‌ ମେଜେଷ୍ଟର୍‌ ଆସି ଆମରି ଗୋଡ଼ତଳେ ମୁଣ୍ଡିଆ ମାରି ପଡ଼ିଯିବେ ଦେଖିବୁ । ଖାସା ବାଟଟାଏରେ ବାବା, ଖାସା ବାଟଟାଏ । ଆ–ହା–ହା–ବମ୍‌ ଭୋଲେ, ହର ହର ହର ହର ବମ୍‌ ।’’

 

ତେଣିକି ଚାଲିଲା ଗୁରୁ ଚେଲାଙ୍କର ସାଧନା । ସଞ୍ଜ ବୁଡ଼ିଯିବ । ଅନ୍ଧାର ପୂରାପୂରି ଘୋଟି ଆସି ନ ଥିବ । ଧନେଶ୍ୱର ଛିଡ଼ା ହେବେ ବନ୍ଧ ଉପରେ ଅଦ୍ଭୁତ ଲଙ୍ଗଳା ହୋଇ, କଟୁରି ଖଣ୍ଡେ ହାତରେ ଧରି । ନିରଞ୍ଜନ ବାବା ଗଡ଼ି ଗଡ଼ି ଯିବେ ବନ୍ଧତଳ ମଶାଣିକୁ । ମୁରୁଦାରଟିଏ ପଡ଼ିଛି ତ ମୁଣ୍ଡଟାକୁ ତା’ର କାଟି ଆଣିବେ । ନୋହିଲେ ହାଡ଼ ଦି’ଖଣ୍ଡ ବା ମୁଣ୍ଡ ଖପୁରିଟାଏ ଧରି ହର ହର ବମ୍‌ ବମ୍‌ କହି ସେମିତି ଅବସ୍ଥାରେ ଧାଇଁବେ; ପଶିଯିବେ ଅନ୍ଧାରିଆ ବଣ ଭିତରକୁ । ବାଟ ଘାଟରେ ଯାଉଥିବା ଲୋକେ ଭେଟଣା ହୋଇ ଡରିହରି ଗାଁଯାକ ନାଗରା ପିଟି ବୁଲିବେ-‘‘ଆଜି ଏମିତି ଏମିତି ଦେଖିଲି–ନିରଞ୍ଜନ ବାବାଙ୍କର ।’’

 

କେବେ କେବେ ଅବା ନିରଞ୍ଜନ ବାବା ସାପଟାକୁ ବେକରେ ଗୁଡ଼େଇ ଚାଲିଥିବେ । ପଛେ ପଛେ ଚାଲିଥିବେ ଚେଲାଜି । ଲୋକେ ଦେଖି ଛାନିଆ । ଲମ୍ବ ଲମ୍ବ ହୋଇ ଗୋଡ଼ତଳେ ପଡ଼ିଯାଆନ୍ତି । ଭୋଳା ମହେଶଙ୍କ ଅବତାର । କିଏ ମୁଣ୍ଡିଆ ନ ମାରିବ ?

 

ତେଣିକି ଚାଲିଲା ମନ୍ତ୍ର ଯନ୍ତ୍ର ଗୁଣି ଗାରିଡ଼ି । କାହା ବୋହୂ ଆସୁ ନାହିଁ–କାହା ପୁଅ ବିଦେଶରେ କାହାକୁ ଗୋଟାଏ ଧରି ରହିଯାଇଚି, ଘରକୁ ଲେଉଟୁ ନାହିଁ । କାହା ପୁଅକୁ ପିହୁଳା ମାରୁଚି । କାହା ଝିଅକୁ କିଏ ବାହୁଟି ଲଗାଇଚି । ନିରଞ୍ଜନ ବାବା ଭୂତ ବଶୀକରଣ, ପ୍ରେତ ସାଧନା, ଚଣ୍ଡୀବନ୍ଦାଣ, ଡାକବାଜି ଯନ୍ତ୍ର ଇତ୍ୟାଦି କରିବା ଲାଗି ପୂଜାସାମଗ୍ରୀ ଓ ଦକ୍ଷିଣା ସ୍ୱରୂପ କୋଡ଼ିଏ, ତିରିଶ, ଚାଳିଶ ଟଙ୍କା ଆଦାୟ କରିନିଅନ୍ତି । ବାବା ଚେଲାଜିଙ୍କୁ ନିରୋଳାରେ କହନ୍ତି–କେଉଁରେ, ଦେଖ୍‌ ତା ? ଦୁନିଆ କା ଆଦ୍‌ମି ଏଇସା ବୋକ୍‌କା ହେ ? ପାରୋ ତୋ ଲୁଟ ଲୋ ।

 

ବୋକା ଆଦ୍‌ମିକା ପାଶ୍‌ ରୁପିଆ ରହେଗା ।

 

ଅକଲ ବନ୍ଦ୍‌ ଆଦମି କ୍ୟା ଭୁଁକା ମରେଗା ?

 

ଦିନକୁ ଦିନ ନିରଞ୍ଜନ ବାବାଙ୍କର ସାଧନାକୌଶଳ ଓ କରାମତିର ନାଗରା ଚତୁର୍ଦ୍ଦିଗରେ ବାଜିଗଲା । ବାଜାଟା ବଜେଇ ଦେବାର ଫିକର ସେ ଏମିତି ଭାବରେ ଗୁପ୍ତରେ କରିନିଅନ୍ତି ଯେ କେହି ତାର ଗନ୍ଧବାସ ପାଇପାରେ ନାହିଁ । ଗାଁ ଗାଁରେ ତାଙ୍କର ଶିଷ୍ୟ, ଭକ୍ତ । ଆଉ ସେମାନେ ସମସ୍ତେ ରାତିଅଧିଆ ଦର୍ଶନକୁ ଆସନ୍ତି ।

 

ଯାହା ବୋହୂ ଆସୁ ନାହିଁ ତା’ ବୋହୂର ବାପଘରକୁ ଏଣୁ ତେଣୁ ଭେକ ସାଜି ଯାଇ ଚେଲାମାନେ ନିରଞ୍ଜନ ବାବାଙ୍କ ଭୟ ଦେଖାନ୍ତି । ଏ ଦେଶର ଲୋକେ ତ ଧର୍ମ ଭୟରେ ଭୂତ ପାଲଟି ଯାଇଛନ୍ତି । ଏ ଦେଶରେ ତ ଭୂତ ଗପ କମ୍‌ ନାହିଁ ! ଶେଷକୁ ବାବାଙ୍କର ଜୟ ହୁଏ ।

 

ବାବାଙ୍କର ମନ ହେଲା–ଶିଷ୍ୟ କରି ବୁଲିବେ । ଚେଲାଜିଙ୍କୁ ଧରି ସେ ଗାଁ ଗାଁ ବୁଲିଲେ । ଯେଉଁ ଗାଁକୁ ଯା’ନ୍ତି ସେଠି ଭକ୍ତ ଜୁଟିଯାଆନ୍ତି । ଭୋଗରାଗ, ଫୁଲଚନ୍ଦନ, ଆଳତି ଘଣ୍ଟାରେ ଗାଁ ପୂରିଯାଏ । ଶହ ଶହ ପୁରୁଷ, ସ୍ତ୍ରୀ, ପିଲା, ବୁଢ଼ା ଆସି ମୁଣ୍ଡିଆ ମାରନ୍ତି । ସଲାମୀ ଦିଅନ୍ତି । ଚରୁ ମୋଦକ ନେଇ ପାଟିରେ ମୁଣ୍ଡରେ ମାରନ୍ତି । ପାଟିରୁ ପାନ ଶଠା ନେଇ ଅତି ଭକ୍ତିରେ ନିଜ ପାଟିରେ ପକାଇ ଢୋକି ଦିଅନ୍ତି । ନିଜକୁ କୃତ୍ୟ, କୃତ୍ୟ ମନେକରି କହନ୍ତି–ଆହା ସାକ୍ଷାତ ସର୍ପେଶ୍ୱର ମହାଦେବଙ୍କ ଅବତାର ତ ! ଦେଖୁନାହଁ ମୁଣ୍ଡ ଉପରେ ସାପ ? ଗଳାରେ ସାପ, ବାହୁରେ ସାପ । ଟିକେ ହେଲେ ଡର ଭୟ ଅଛି କି ? ଆଖି ଦିଇଟା ମନ୍ଦାରଫୁଲ ପରି ଲାଲ । ଦେଖୁନାହୁଁ କି ? ବାବା ତ ସଦାବେଳେ ଧ୍ୟାନରେ ବସିଛନ୍ତି । କଥାବାର୍ତ୍ତା କରୁଛନ୍ତି କି ? ଆହା କାହା କୁଳ ଉଜ୍ଜ୍ୱଳ କରିଚନ୍ତି–ବାବାଜୀ ? ବାପ ମାଆ ଜନ୍ମ ହୋଇନାହାନ୍ତି ଯେ ଧନ୍ୟ ହୋଇ ଯାଇଚନ୍ତି ।

 

ଦେଶଟାଯାକ ଏଇଆ । ବଡ଼ କଅଣ ସାନ କଅଣ, ପାଠୁଆ କଅଣ, ମୂର୍ଖ କଅଣ । ଧର୍ମ ଆଉ ସାଧୁସନ୍ଥ ନାଆଁ ଶୁଖିଲା ମାତ୍ରେ ଭକ୍ତିରେ ଏକାବେଳେ ସମସ୍ତେ ତରଳି ପାଣିଚିଆ ହୋଇଗଲେ ତ । ଥରେ ଗୋଟିଏ ଗାଁକୁ ଜଣେ ବାବା ଆସି ଯାଇଥାନ୍ତି । ଗାଁ ଭାଗବତ ଘରେ ଧୂନି ଲଗାଇ ମୃଗଛାଲ ଖଣ୍ଡକ ଉପରେ ବସିପଡ଼ି ଥାଆନ୍ତି । ଚିଲମଟାଏ ହାତରେ, ସଦାବେଳେ ଧୂଆଁ ବାହାରୁଚି । ବାବାଙ୍କ ବୟସ ତିରିଶ ଭିତରେ । ଦେହ ସାରା ପାଉଁଶରେ ବୋଳା । ମୁଣ୍ଡରେ ଜଟ ଗୁଡ଼ିଆ ହୋଇଚି । ସତକୁ ସତ ଜଟା କି, ବାଳ ଉପରେ କୁତ୍ରିମ ଜଟା ହୋଇଚି କିଏ ପରଖି ଦେଖୁଚି ? ଡାହାଣ ହାତରେ ତମ୍ବା କଡ଼ିଆ ଓ ଦି’ହାତ ଲମ୍ବର ଲମ୍ବା ଲୁହା ଚିମୁଟା । ସଞ୍ଜବେଳକୁ ଭାଗବତ ଘର ପିଣ୍ଡାଠଉଁ ଦାଣ୍ଡଯାକ ତିନି ଚାରିଶ ଲୋକ ଜମା ହୋଇଚନ୍ତି । ଭାଗବତରୁ ପଦେ ଅଧେ ଇଏ ସେ କହୁଚି । ବାବା କିଛି ଅର୍ଥ ନ କରି କହୁଚନ୍ତି–ତୁମେ ସବୁ କୁହ, ଭାବ, ଅର୍ଥ କର । ଭାଗବତରେ ହଜାର ପ୍ରକାର ଅର୍ଥ । ଯିଏ ଯେମିତି ବୁଝିଲା ଅର୍ଥ କଲା–ସବୁ ଠିକ୍‌ ।

 

ବମ୍‌ ଭୋଲେ, ହରିବୋଲ୍‌–ହୁଳହୁଳି ଚାଲିଚି ।

 

ସେ ହେଲେ ଏ ଅଞ୍ଚଳର ଗୁରୁଗୋସେଇଁ । ହଜାର ହଜାର ଶିଷ୍ୟ ଭକ୍ତ ବର୍ଷକୁ ବର୍ଷ ସଲାମି ଦେଇ ଆସୁଚନ୍ତି । ବାବାଜୀ ବର୍ଷକୁ ଥରେ ଆସନ୍ତି । ଲୁଗାରୁ, ପଟାରୁ, ଚାଉଳରୁ, ମୁଗରୁ, କୋଳଥରୁ, ପନିପରିବାରୁ ଧୋଡ଼ାଏ ଆସି ଜମା ହୁଏ । ଭୋଜି ଭାତ ଯେତକ ହୁଏ, ବାକିତକ ବିକ୍ରି ହୋଇ ବାବାଙ୍କ ହାତରେ ମଠକୁ ପଠାଯାଏ ।

 

ଠିକ୍‌ ଏତିକି ବେଳକୁ ଥରେ ନିରଞ୍ଜନ ବାବା ଆସି ପହଞ୍ଚିଗଲେ । ସର୍ପେଶ୍ୱର ବାବା ଆସିଛନ୍ତି ବୋଲି ଲୋକେ କହି ଉଠିଲେ । ବହୁଲୋକ କହି ଉଠିଲେ–ଆମ ବାବାଠଉଁ ସେ ବଡ଼ ନୁହେଁ । ନିରଞ୍ଜନ ବାବା ଦୂରରୁ ଏ ବାବାଙ୍କ କଥା ଶୁଣି ତାଙ୍କ ରାଜ୍ୟ ଭିତରକୁ ଢୁକିଛନ୍ତି କେମିତିଆ ବାବା ସେ–ଦେଖିଯିବେ ବୋଲି ମନ ହେଲା ତ ଉଠିଆସିଲେ । ତାଙ୍କ ସାଙ୍ଗରେ କେତେ ଜଣ ବି ଭକ୍ତ ଆସିଛନ୍ତି । ବାବା ଚାଲିଛନ୍ତି ଆଗେ ଆଗେ–ପଛରେ ଭକ୍ତମଣ୍ଡଳି । ଭାଗବତ ଘର ଦାଣ୍ଡରେ ପେଟ୍ରୋମାକ୍‌ସ ଲାଇଟ୍‌ଟିଏ ଜଳୁଚି । ଭାଗବତ ଘର ଭିତରୁ ସେ ବାବାଜୀ ନିରଞ୍ଜନ ବାବାଙ୍କୁ ଦେଖି ଧାଇଁଆସିଲେ । ସମସ୍ତଙ୍କ ଆଗରେ ନିରଞ୍ଜନ ବାବାଙ୍କ ପାଦ ଦୁଇଟିକି ଧରି ଲମ୍ବ ହୋଇ ପଡ଼ିଗଲେ । ସମସ୍ତେ ଦେଖି ତାଟକା । ନିରଞ୍ଜନ ବାବା ହସୁଚନ୍ତି । ସେ ବାବା ଉଠି ଠିଆ ହୋଇ ସମସ୍ତଙ୍କୁ କହି ଉଠିଲେ–ଧୂପ ଆଣ, ଦୀପ ଆଣ, ଫୁଲ ମାଳ ଆଣ । ନିରଞ୍ଜନ ବାବା ହେଲେ ମୋର ଗୁରୁ ଗୋସେଇଁ ।

 

ତେଣିକି ଚାଲିଲା ପୂଜା–ଧୂପ-ଦୀପ ନୈବେଦ୍ୟ ଇତ୍ୟାଦି ଇତ୍ୟାଦି । ନିରଞ୍ଜନ ବାବାଙ୍କ କାନ ପାଖକୁ ମୁହଁ ନେଇ ତୁନି ତୁନି ସେ ବାବା କହିଲେ–ମୋତେ ଚିହ୍ନା ପକାଇବ ନାହିଁଟି ?

 

ନିରଞ୍ଜନ ବାବା ହସି ହସି ତା’ କାନରେ କହିଲେ–ତୁ ଆକୁଳା ଧୋବାକୁ ମୁଁ ତ ନିରଞ୍ଜନ ଦାସ । ଦିହେଁଯାକ ଠକ । କିଏ କାହାକୁ ଚିହ୍ନା ପକାଇ ଦେବରେ ? ତୁ ବି ଚାଲିଚୁ, ମୁଁ ବି ଚାଲିଛି । ଏଣିକି ଚାଲି ଏକାଠି ଚାଲିବା–ତ୍ୱୟା ମୟା ଅର୍ଦ୍ଧଂ ଅର୍ଦ୍ଧଂ ।

 

ତା’ପରେ ଦୁହେଁ ଏକ ହୋଇଗଲେ । ନିରଞ୍ଜନ ବାବା ଗୋଟାଏ ଗାଁରେ ବାଲିକୁଦ ଉପରେ କୁଡ଼ିଆ ବନେଇ ଚଣ୍ଡୀପୂଜା ଆରମ୍ଭ କରିଦେଲେ । କୁଡ଼ିଆ ଉପରକୁ ଝଙ୍କାଳିଆ ତିନ୍ତୁଳି ଗଛ କେଇଟା । ତା’ ପଛକୁ ଅଦୂରରେ ରୁଗୁଡ଼ିଆ ନଈ । ସର୍ପେଶ୍ୱର ବାବାଙ୍କ ତରଫରୁ ଶିଷ୍ୟବର୍ଗ ପ୍ରଚାର କରିଦେଲେ–ବାବା ଚଣ୍ଡୀପୂଜା କରୁଚନ୍ତି ଯେ, ପୂଜା ଶେଷକୁ ଯିଏ ଯାହା ପଚାରିବ, ଚଣ୍ଡୀମାତା ଉତ୍ତର ଦେବେ । ସମସ୍ତେ ତାଙ୍କ ପାଟି ଶୁଣିପାରିବେ ।

 

ଚାରିଆଡ଼େ ହାଲୋଳ ପଡ଼ିଗଲା–ଚଣ୍ଡିମା ଉଭା ହୋଇ ଯାଉଛନ୍ତି । କଥା କହୁଚନ୍ତି । ଯିଏ ଯାହା ପଚାରୁଚି, ତାର ସେ ଉତ୍ତର ପାଉଚି । ସତକୁ ସତ ସମସ୍ତେ ଆସି ସନ୍ଧ୍ୟା ପରେ ଏକଥା ପରଖି ନେଲେ । ନିଜ କାନରେ ମା’ଙ୍କର ଉତ୍ତର ଶୁଣିଗଲେ । ସତ୍ୟଯୁଗ ଆସିଗଲା । ନିଜ ମହାଦେବ ସର୍ପେଶ୍ୱର ରୂପରେ ଜନ୍ମ ହୋଇ ପଡ଼ିଛନ୍ତି । ଦିହ ହାତରେ ସାପମାଳ । ଏକଥା କେହି କେବେ ଦେଖିଚ କି ? ଚାଲିଲା ଏମିତି ମାସେ ଦି’ ମାସ । ଆଜିକାଲି ସ୍କୁଲ କଲେଜରେ ପଢ଼ୁଥିବା ଟୋକାଗୁଡ଼ାଙ୍କର ଏସବୁ କଥାରେ ଅବିଶ୍ୱାସ । ଧର୍ମ କର୍ମରେ ମତିଗତି କାହାରି ନାହିଁ । ଜାତି, ଫାତି କିଛି ମାନୁନାହାନ୍ତି । କାହାର ମନରେ ଭୟ ଭ୍ରାନ୍ତି କିଛି ନାହିଁ । ଖରାଦିନ ଛୁଟି ହୋଇଥାଏ । ସେଗୁଡ଼ାକ ଜମିଗଲେ । ବାବା ତ ଆଉ ଏକଥା ଜାଣନ୍ତି ନାହିଁ । ଅନ୍ଧାର ରାତି ନଅଟା ବେଳକୁ ଭକ୍ତ ଜଣେ ପ୍ରଶ୍ନ ପଚାରୁଥାନ୍ତି, ଆଉ ତେଣେ ଚଣ୍ଡିମା ଜବାବ ଦେଉଥାଆନ୍ତି-ହଁ, ନାହିଁ । ମାସକ ପରେ ପୁଅ ହେବ, ଝିଅ ନିଶ୍ଚେଁ ଏସନ ବାହା ହେବ–ଇତ୍ୟାଦି । ଠିକ୍‌ ଏତିକିବେଳକୁ ମାଆ ତେଣୁ ପାଟିକରି ଉଠିଲେ-‘‘ମରିଗଲିରେ ବାବା, ମାରିପକାଇଲେ ହୋ । ମୁଁ ଚଣ୍ଡୀମା ନୁହେଁ ହୋ ବାବୁ । ମୁଁ ଆକୁଳା ଧୋବା । ମତେ ନିରଞ୍ଜନିଆ ଏମିତି ଶିଖେଇଲାରୁ ମୁଁ ସିନା ଚଣ୍ଡିମା ବେଶରେ ନଇ ଅତୁଡ଼ି ତଳେ ଲୁଚିରହି ଏ ଫାର୍ସ କରୁଛି । ମୋର ଦୋଷ କିଛି ନାହିଁ । ମତେ ମାରନା, ମାରନା, ମୁଁ ତମ ଗୋଡ଼ତଳେ ପଡ଼ୁଛି । ବାବୁମାନେ, ମୁଁ ମୁରୁଖ ଧୋବାଲୋକ’’ ।

 

ଲୋକେ ଧାଇଁଗଲେ । ଭକ୍ତ ଶିଷ୍ୟମାନେ ଉଠି ଗୋଳମାଳ କରିବାକୁ ଆରମ୍ଭ କଲେ–ଦେଖ ଦେଖ କିଏ ଗୋଳମାଳ କଲା, କିଏ ମୋ ତପ ଭଙ୍ଗ କଲା ? କିଏ ଏମିତି ଗୋଟାଏ ମିଛ କହି ପାଟି କରୁଚି ? ଦେଖ ଦେଖ ଭକ୍ତମାନେ ମାଆ କୋପ କଲେ ସମସ୍ତଙ୍କୁ ଝାଡ଼ା ବାନ୍ତି ହେବ ।

 

ବାବା ପଳାଇ ଯାଉଚନ୍ତି, ଆକୁଳାକୁ ବାନ୍ଧି ପକାଇ ଲୋକମାନେ ମାର୍‌ପିଟ୍‌ କରୁଚନ୍ତି । ସର୍ପେଶ୍ୱର ବାବା କିନ୍ତୁ ପଗାର ପାର । ଅନ୍ଧାର ଭିତରେ ଗହୀରେ ଗହୀରେ ଧାଇଁଚନ୍ତି–ପୋଖରୀରେ ଲୁଚିରହି-ମାଡ଼ ଭୟରେ ଛାନିଆ । ରାତି ଗୋଟାଏ ଦୁଇଟା ବେଳକୁ ଦି’ ଦିଟା ନଈ ପାରି ହୋଇ ବାବା ଯାଇ ଉଠିଲେ ଉଲାର ଗାଁ ମୁଣ୍ଡରେ । ସେତେବେଳକୁ ଗାଁ ମୁଣ୍ଡ ବରଗଛ ମୂଳରେ ଗ୍ରାମ ଦେବତା ବାସିଳେଇଙ୍କ ମଣ୍ଡପ ଉପରେ ବଡ଼ ଆଲୁଅଟାଏ ଜଳୁଚି । ଗାଁ ବାଲାଏ ବଡ଼ ସଭାଟାଏ କରି କୁଲା ବୁଲେଇବାକୁ ବାହାରିଚନ୍ତି । କଥା କଣ କି–ରାଉତ ବାଡ଼ିରୁ କାନ୍ଦିଏ କଦଳୀ ଚୋରୀ ଯାଇଚି । ରାଉତ କହୁଚି–ମୁଁ ସେ କଦଳୀ କାନ୍ଦିକି ବାବାଙ୍କ ନାଆଁରେ ଉତ୍ସର୍ଗ କରି ଦେଇଥିଲି । ପାଚିଥିଲେ ମୁଁ ତାକୁ ଚଣ୍ଡୀମାତାଙ୍କ ମଠକୁ ନେଇ ସର୍ପେଶ୍ୱର ବାବାଙ୍କୁ ଭେଟି ଦେଇଥାଆନ୍ତି । ତାକୁ କିଏ ନେଲା ବୁଝ । ଅବଧାନ ପଞ୍ଚୁ ନା ଏକେ ଗୁଣି ଗାରିଡ଼ିରୁ ଆରମ୍ଭ କରି କାକ-ଚରିତ ବିଦ୍ୟା ପର୍ଯ୍ୟନ୍ତ ସବୁତକ ପାଠ ଶେଷ କରିସାରି କୁଲା ବୁଲେଇବାକୁ ଆରମ୍ଭ କରିଚନ୍ତି-। କୁଲା ଯାହା ଆଡ଼କୁ ବୁଲିବ–ସେଇ ଚୋର ।

 

ଦିନ ଦି’ ପହରରୁ ସବୁ ବିଦ୍ୟା ପରଖ କରାଯାଉଚି । ସଭା ବସିଚି । କେହି ଏଯାଏ ଖିଆପିଆ କରିନାହାନ୍ତି । ନିରଞ୍ଜନ ବାବାଙ୍କ କଦଳୀ କିଏ ଚୋରି କଲା ? କୁଲା ବୁଲାଇବାକୁ ମନ୍ତ୍ର ପଢ଼ି ଅବଧାନେ ଏଣେତେଣେ ଚାହୁଁଛନ୍ତି ଏବଂ ଗାଁର ସମସ୍ତେ କାକୁସ୍ତ ହୋଇ ଚାହିଁ ବସିଚନ୍ତି । କାହାରି ତୁଣ୍ଡରେ ପଦୁଟିଏ କଥା ନାହିଁ । ଠିକ୍‌ ଏତିକିବେଳେ ଖୋଦ୍ ନିରଞ୍ଜନ ବାବା ଆଉ ତାଙ୍କ ଚେଲା ଦି’ ଚାରିଜଣ ମଣ୍ଡପ ଉପରକୁ ଉଠିଲେ । ନଈ ଅତୁଡ଼ା ତଳେ ଝାଡ଼ାଫେରି ଉଠିଲାବେଳକୁ ଅନ୍ଧାରିଆ ବାଲି ଉପରେ ନିରୋଳାରେ ଦି’ ଜଣ ସ୍ତ୍ରୀ ଲୋକ ତୁନି ତୁନି କଥାବାର୍ତ୍ତା ହେଉଥିଲେ–ହଇଲୋ ନଟିଆଟା ଏଡ଼େ କଥା କଲା ? ତୁ ତାକୁ କହି ଦେଉନାହୁଁ ପାଳ ଦଉଡ଼ି ବେକର ପକାଇ ଲମ୍ବ ହୋଇ ସଭିଙ୍କ ଗୋଡ଼ ତଳେ ପଡ଼ି କ୍ଷମା ମାଗି ନେଉ । ଛୋଟ କାମଟାଏ କରି ପକାଇଚି ବୋଲି କଅଣ ବଉଁଶଟାକୁ ପଦା କରିଦବାକୁ ବସିଚି ? ହେଇ ହେଇ କଦଳୀ କାନ୍ଦିଟାଏ ତ !

 

ଆର ଜଣକ ସୁଁ ସୁଁ କାନ୍ଦି କହୁଚି–କଦଳୀ କାନ୍ଦିଟାଏ ନୁହେଁ ଲୋ ମା–ଖୋଦ ଚଣ୍ଡୀମାଙ୍କର ଓ ନିରଞ୍ଜନ ବାବାଙ୍କର । ଚଣ୍ଡାଳଟା ତାକୁ ପୁଣି ନେଇ ଧାନ ଅମାର ଭିତରେ ପୁରାଇଚି ଲୋ–ମୁଁ କି ବୁଦ୍ଧି କରିବି କହ ? ଲକ୍ଷ୍ମୀ ଠାକୁରାଣୀ ଛାଡ଼ି ପଳେଇବେ । ମୋ ପିଲାଏ ଦାଣ୍ଡରେ ଛିଡ଼ା ହେଲେ ଲୋ ମାଆ– ମୁଁ କଅଣ କରିବି ?

 

ଦି’ ଜଣରୁ ତିନି ଜଣ ନାହାନ୍ତି । ମାଇପି କଥା । ଯିଏ ଯାହା ଘରକୁ ତୁନି ତାନି ପଳାଇଲେ । ତୁନି ତୁନି ନିରଞ୍ଜନ ବାବା ହସି ହସି ମଣ୍ଡପ ଉପରକୁ ବିଜେ ହୋଇଗଲେ ।

 

ଏଇ ଆସିଗଲେଣି ବାବା ନିଜେ । ସମସ୍ତେ ଲମ୍ବ ଲମ୍ବ ଗୋଡ଼ତଳେ ପଡ଼ିଗଲେ । ବାବା ହସି ହସି କହିଲେ–ସଭା ଲାଗିଚି । ମୁଁ ପରା ସେ କଥା ଜାଣିପାରି ଧାଇଁଚି ! ଛାର କଦଳୀ କାନ୍ଦି ପାଇଁ ଏତେ ହଟହଟା ? କଉଠି ଅଛୁ ନଟ, ଆଣ ସେ କାନ୍ଦିକି । ଧାନ କୋଠି ଭିତରେ ତ ଲୁଚେଇଚ । କାହିଁକି ବାବା ଏଡ଼େ ଛୋଟିଆ କଥା ତମ ମୁଣ୍ଡରେ ଢୁକିଲା ?

 

ହରିବୋଲ ହୁଳହୁଳିରେ ଗଗନ କମ୍ପିଲା । ବାବା ବଡ଼ ପାଟିରେ କହି ଉଠିଲେ–ବମ୍‌ ବମ୍‌ ଭୋଲେ, ହର ହର ବମ୍‌ ।

 

ଅବଧାନେ କୁଲାଟାକୁ ଫିଙ୍ଗିଦେଇ କହି ଉଠିଲେ–ସାକ୍ଷାତ ଅବତାର ବାବା, ସାକ୍ଷାତ ଅବତାର ।

 

ନଟିଆ କାହିଁ ଥିଲା କେଜାଣି–ଦଉଡ଼ି ଆସି ବାବାଙ୍କ ଗୋଡ଼ ଦୁଇଟାକୁ ଜାବୁଡ଼ି ଧରି ଲମ୍ବ ହୋଇ ଶୋଇଗଲା । କହି–ଉଠିଲା–ରକ୍ଷାକର ବାବା–ହୀନ କାମଟାଏ କରିପକାଇଚି । ମତେ ଏମାନେ ମାରିପକାଇବେ । ଦାଣ୍ଡିବା ଶକ୍ତି ଯାର ଥାଇ–ସେ ପୁଣି କ୍ଷମା ଆଚରଇ ।

 

ବାବା କହିଉଠିଲେ–ଛାଡ଼ ଛାଡ଼ ଛୋଟିଆ କଥା । ଆଉ ଦିନେ ଏମିତି କାମ କରିବ ନାହିଁ । ସେ ଖଣ୍ଡକ ପରା ମତେ ଉତ୍ସର୍ଗ ହୋଇଥିଲା !

 

ତା’ପରେ ବାବା ସମସ୍ତଙ୍କୁ କହି ଉଠିଲେ–କେହି ମୋ ଭକ୍ତକୁ ମାରଧର କରିବ ନାହିଁ । ଚୋର ରତ୍ନାକର ବାଲ୍ମୀକି ମୁନି ପାଲଟିଥିଲା ।

 

ତା’ପରେ ଚାଲିଲା–ବାବାଙ୍କ ପୂଜା ଅର୍ଚ୍ଚନା, ଭୋଗରାଗ, ରାତିଟି ସାରା । ସେ ଗାଁରେ ବାବା ଓ ଚେଲାଏ ପନ୍ଦର କୋଡ଼ିଏ ଦିନ ଅଟକି ଗଲେ । ତୁଣ୍ଡ ବାଇଦ ସହସ୍ର କ୍ରୋଶ । ଆର ଗାଁରେ ଚଣ୍ଡୀ ଜବାବ ଦେବା କଥା ଏଠିକି ଆସି ଶୁଭିଲା । ବାବା ଦେଖିଲେ ବେଶି ପ୍ରଘଟ ହେବା ମାନେ–ଅଟକି ରହିବାଟା ଠିକ୍‌ ନୁହେଁ । ତେଣୁ ସେମାନେ ବିଦାୟ ନେଇ ଅନ୍ୟତ୍ର ଚାଲିଗଲେ ।

 

ଅନ୍ୟ ଆଡ଼କୁ ଅର୍ଥାତ୍‌ ଆଠ ଦଶ କୋଶ ଦୂରକୁ । ଚେଲା କେଇଜଣ ଭିନ୍ନ ଭିନ୍ନ ରୂପରେ ଖେଳେଇ ହୋଇଗଲେ । ଏ ଗାଁକୁ ବାବା ଭିନ୍ନ ଭିନ୍ନ ରୂପ ଧରି ଦି’ ଚାରିଥର ଆସିଥିଲେ । କେହି କେହି ତାଙ୍କର ଚିହ୍ନା ଜଣା ଥିଲେ । ସେମାନେ ବାବାଙ୍କୁ ନେଇ ଗାଁ ମୁଣ୍ଡ ବଟ ଚଟାଣ ଉପରେ ବସାଇଲେ । ବାବା ମୌନବ୍ରତ ଅବଲମ୍ବନ କରି ବସିରହିଲେ । ଚେଲା ଓ ଭକ୍ତ କେଇଜଣ ଆସି ଜମେଇଲେ–ବାବା ସ୍ୱଦେହରେ ସ୍ୱର୍ଗ ଯିବେ ।

 

ରାତିରେ ବାବା କେତେବେଳେ ଜଳ ଗ୍ରହଣ କରନ୍ତି, ସେ କଥା କେହି ଦେଖି ନାହିଁ । ଲୋକେ ପଚାରିଲେ ଦିନ ଭିତରେ ପଦେ ଦି’ ପଦ କଥା କହନ୍ତି–ମୋ ସାଙ୍ଗରେ କାହିଁକି ଲଗାଇଚ ବାବା, ମୁଁ ତ କାହାରି କିଛି ଅନିଷ୍ଟ କରି ନାହିଁ ।

 

ଏ ଗଛରେ ବ୍ରହ୍ମରାକ୍ଷସଟାଏ ଅଛି ଏବଂ ରାତିରେ କୁଦାକୁଦି କରି ଡାଳ ହଲାଇ ଖେଳେ ବୁଲେ ବୋଲି ଗାଁଯାକ ଜାଣନ୍ତି । ତେଣୁ ସଞ୍ଜ ବୁଡ଼ିଲେ ଏଠିକି କେହି ଆସନ୍ତି ନାହିଁ । ନିତି ରାତିରେ ଏ ଗଛରେ ଚିଇଁ ଚିଇଁ ଶଦ୍ଦ ହୁଏ । ଆଲୁଅ ଦେଖାଯାଏ । ଗାଁ ଲୋକେ ବାବାଙ୍କ ନିର୍ଭୟ ପଣ ଦେଖି ମହାପୁରୁଷ ବୋଲି ଠଉରେଇ ନେଲେ । ତେଣିକି ଧୀରେ ଧୀରେ ଗୋଟିଏ ଗୋଟିଏ ଗଡ଼ିଲେ । ଦିନକୁ ଦିନ ବାବାଙ୍କ ଆସନ ଉପରକୁ ଉଠୁଥିବାର ଦେଖାଗଲା । ବାବା ବସିଥାନ୍ତି ବାଘଛାଲ ଉପରେ । ତାଙ୍କ ଛାଲ ତଳକୁ ଧୀରେ ଧୀରେ ପିଣ୍ଡିଟାଏ ଦେଖାଗଲା ଏବଂ ସେ ପିଣ୍ଡିଟା ପ୍ରତିଦିନ ବଢ଼ିବାର ଜଣାପଡ଼ିଲା । ପିଣ୍ଡି ଚାରିକଡ଼ଯାକ ସଫା ଚାଦର ବେଢ଼ିଥାଏ । ତା’ଉପରେ ଫୁଲମାଳ ଲମ୍ବିଥାଏ । ଅତି ପାହାନ୍ତି ବାବା କେତେବେଳେ ନିତ୍ୟକର୍ମ ସାରିନିଅନ୍ତି କେହି ଜାଣିପାରନ୍ତି ନାହିଁ । ଖିଆପିଆ କଅଣ ହୁଏ, କେହି ଜାଣିପାରନ୍ତି ନାହିଁ । କିନ୍ତୁ ବାବାଙ୍କ ଆସନ ଦିନକୁ ଦିନ ଉଞ୍ଚ ହୋଇ ଯାଉଥାଏ । ଗାଁଯାକ ସମସ୍ତେ ଆସି ମୁଣ୍ଡିଆ ମାରି ସଲାମି ଦେଇଯାଆନ୍ତି । ପଇସାତକ ସେମିତି ମଣ୍ଡପ ଉପରେ କୁଢ଼ିଆ ହୋଇଥାଏ । ଚାହୁଁ ଚାହୁଁ ଚାରି ପାଞ୍ଚ କ୍ରୋଶ ଆକ୍ରାନ୍ତରୁ ଲୋକେ ଧାଇଁଲେ-। ଜଣେ ଚେଲା ବାବାଙ୍କ ବେକରୁ ତୁଳସୀମାଳ ନେଇ ସମସ୍ତଙ୍କୁ ପାଦୁକ ଦେଇ ସନ୍ତୁଷ୍ଟ କରିବାକୁ ଲାଗିଲା । ଦେଖୁ ଦେଖୁ ଲୋକେ ଆସି ବସିରହନ୍ତି–ବାବା ମୋର ପୁଅ ନାହିଁ, ମତେ ପୁଅଟିଏ ଦିଅ-। କିଏ କହେ–ମୋର ଦେହ ବେରାମ, ଭଲ କରିଦିଅ । କିଏ ଅବା କହିଲା–ବାବା, ମୋ ବୋହୂଟି ବାୟାଣୀ ହୋଇଯାଇଚି–ଭଲ କରିଦିଅ ।

 

ଏମିତି ଏମିତି ଚାଲିଲା । ଚେଲାଏ ପାଦୁକ ଦେଇ କହନ୍ତି–ବିଶ୍ୱାସ ଥିଲେ ନିଶ୍ଚେ ଫଳ ପାଇବ । ବାବା ତ ସ୍ୱର୍ଗ ବାହାରିଚନ୍ତି, କାହାରି ସଙ୍ଗରେ କିଛି କଥାବାର୍ତ୍ତା ହୋଇପାରିବେ ନାହିଁ ।

 

ବାବାଙ୍କ ବସିଲା ପିଣ୍ଡିଟା ବଢ଼ି ବଢ଼ି ଛାତିଏ ଉଞ୍ଚ ହେଲା । ଚାରିଆଡ଼େ ଚାଦର ଘେର ଝୁଲୁଥାଏ । ସମସ୍ତେ ତାଟକା ହୋଇ ଦୂରଛଡ଼ା ମୁଣ୍ଡିଆ ମାରି ଯାଉଥାଆନ୍ତି । ଏମିତି ଏମିତି ଗଲା କେତେଦିନ ।

 

ସେ ଗାଁର ଦିଇଟା ଟୋକା କଟକରେ ପଢ଼ନ୍ତି । ଭକ୍ତିହୀନ ଜୀବିତ ! ବାବାଙ୍କ ସାମନାରେ ଠିଆ ହୋଇପଡ଼ି କହି ଉଠିଲେ–ଇରେ ଇଏ ? କିରେ ହେ ନିରଞ୍ଜନିଆ ? ଚଣ୍ଡୀ ଠାକୁରାଣୀ କଥା କହୁଥିଲେ କୁଆଡ଼େ ଗଲେ କି ? ଇରେ ତୁ ଆସି ଆମ ଗାଁରେ ଏ ଫାର୍ସ ଜମେଇଚୁ ? ଆଚ୍ଛା ହେଉ । ଥାଆ, ଥାଆ, ସ୍ୱର୍ଗ ଯାଉଚୁ କି ମଶାଣି କି ଯାଉଚୁ ଦେଖିବା, ଦେଖିବା-

 

ସମସ୍ତେ ସେ ଟୋକା ଦିଇଟାକୁ ଗାଳି ମନ୍ଦ ଦେଇ ବିଦା କରିଦେଲେ । କିନ୍ତୁ ତହିଁଆର ଦିନ ସକାଳେ ଦେଖାଗଲା–ବାବା ଅନ୍ତର୍ଦ୍ଧାନ । ଭକ୍ତମାନେ କହିବୁଲିଲେ–ବାବା କାଲି ରାତାରାତି ସ୍ୱର୍ଗ ଚାଲି ଯାଇଚନ୍ତି । କିନ୍ତୁ ସେ ଟୋକା ଦୁଇଟା ଆଉ କେତେଜଣଙ୍କୁ ସଙ୍ଗରେ ଧରି ପିଣ୍ଡିଟାକୁ ଦେଖିଲାବେଳକୁ ଦେଖିଲେ ଇଟା ଗୁଡ଼ିଏ ଖଞ୍ଜା ଯାଇଚି । ତା’ ଉପରୁ ତା’ ଉପରକୁ ଥାକ ମଡ଼ାଯାଇଚି । ବୁଝୁ ବୁଝୁ ଜଣାପଡ଼ିଲା–ଗାଁର ଦିଇଟା ପିଲା ବାବାଙ୍କ ଭକ୍ତ ସାଜି ନିତି ପ୍ରତି ରାତି ଅଧରେ ଚାରି ଚାରିଟା ଇଟା ଆଣି ତାଙ୍କୁ ଯୋଗାନ୍ତି । ନିତି ତାଙ୍କୁ ବେଳକାଳ ଉଣ୍ଡି ଖାଇବାକୁ ଦେଇଯାଆନ୍ତି । ଏମିତିଆ ଫିକରରେ ବାବାଙ୍କୁ ସାହାଯ୍ୟ କରିଥିବାରୁ ତାଙ୍କୁ ବି ପାଉଣା ମିଳେ । ସେମାନଙ୍କ ସଙ୍ଗରେ ସେ ଗାଁର ଜଣେ ବୋହୂ ବି ଥାଏ । ବାବା ଏ ଗାଁ ଛାଡ଼ି ଗଲାବେଳକୁ ସେ ବୋହୂଟି ବି ବାବାଙ୍କ ସଙ୍ଗରେ ରାତାରାତି ପଳାଇ ଯାଇଚି ।

 

ସର୍ପେଶ୍ୱର ନିରଞ୍ଜନ ବାବା ରାତାରାତି ସ୍ୱର୍ଗ ଚାଲି ଯାଇଚନ୍ତି । ତେଣିକି ସେ କୁଆଡ଼ିକି ପୁଣି ଅଭିଯାନ ଆରମ୍ଭ କରିବେ ଯେ କଥାଟି ବାକି ରହିଲା–ଆଉ ଦିନକୁ । ମୋ କଥାଟି ଆଜିକା ପାଇଁ ସରିଲା ।

Image

 

ମରୁଆ ଭିତରେ ଫରୁଆଟି

 

ସ୍ୱାମୀକି ନେଇ ପାଞ୍ଚୋଟି ବର୍ଷ ଘର କରିଚି କି ନାହିଁ, ମାଳତୀ ହେଲା ବିଧବା । ବିଲ ବାଡ଼ି କିଛି ନାହିଁ । ଦୁଇଟି ବଖରା ଚାଳଘର ଓ ଟିକିଏ ଅଗଣା । ମାଳୀ, ପାଟଫୁଲି, ସୁଦୁଶା ବ୍ରତଠାରୁ ଆରମ୍ଭ କରି ଛୁଞ୍ଚିସୁତା, ଗନ୍ଧକର୍ପୂର ଓ ଆରିସି ପାନିଆ, ବେକ ଓହଳା କାଠ ଝୁଲାଟାଏ ଧରି ସକାଳୁ ବାହାରି ସଞ୍ଜଯାକେ ଟାଉନ ତମାମ ଘୂରୁଥାଏ–ମଦନ–ଫେରିବାଲା ବ୍ୟବସାୟୀ । ସେଇଥିରେ ତାର ସ୍ୱାମୀ–ସ୍ତ୍ରୀ ଦି’ଜଣିଆ ସଂସାରଟି ଭଲରେ ଭଲରେ ଚଳି ଯାଉଥିଲା । କିନ୍ତୁ ହାୟ, ପାଞ୍ଚୋଟି ବର୍ଷ ପରେ ହଠାତ୍‌ ଦିନେ ମଦନଟି ବେମାର ପଡ଼ିଲା ଯେ ଔଷଧପାଣି କିଛି ମାତ୍ର କାମ କଲା ନାହିଁ । ମାଳତୀ ହେଲା ବିଧବା । ଯୁବା ବୟସୀ ବୋହୂଟିଏ–ଘରକୋଣର ଭୁଆସୁଣୀ ମାତ୍ର । ତା’ ଉପରେ ଅଭାବର ବୋଝ ଉପରେ ନଳିତା ବିଡ଼ା ପରି କୋଳରେ ତାର ଦେଢ଼ ବରଷର ପୁଅ ପିଲାଟିଏ । ତାକୁଇ କୋଳ ଭିତରେ ଜାକି ଧରି ଦିନରାତି କଇଁ କଇଁ ହୋଇ କାନ୍ଦି ଉଠୁଥାଏ ମାଳତୀ । ଉରାଳି ଗାଆଁ ଭିତରୁ ଧାଇଁଆସିଲା–ମାଆ ତାର–ଦଉଡ଼ି ଆସିଲା ଭାଇଟି । ହେଲେ ଗରିବର ସଂସାର ତାଙ୍କର । ଦିହେଁଯାକ ଡାକିଲେ–ଗାଁକୁ ଚାଲ । କିନ୍ତୁ ମାଳତୀ ଭାବିଲା–କୋଳ ଛୁଆଟିର ଭିଟାମାଟି ହେଲା ଏଇ ଚାଳଘର ଦି’ ବଖରା । ଆଜି ଛାଡ଼ିଗଲେ କାଲିକି କିଏ ଏଥିରୁ ରୁଅ ବାଉଁଶ ଓଟାରି ନେବେ । ଟାଉନ ଜାଗା ହେଲା ଇଏ । ଭବିଷ୍ୟତରେ ଏକୁଇ ଆଶ୍ରା କରି ସଂସାର ଗଢ଼ିବ ଏଇ ଛୁଆଟି ? କେଉଁଠିକି ନ ବାହାରି ମାଳତୀ ସେଇ କୁଡ଼ିଆଟି ତଳେ ପଡ଼ିରହିଲା-

 

କିନ୍ତୁ ପେଟ ? ଦୋ ଦୋଟିଙ୍କ ପେଟ ? ମା ଫେରିଗଲା, ଭାଇ ଲେଉଟିଗଲା । କିନ୍ତୁ ଆହା କରିବାକୁ ଡାକ ଦେଇ ହାତ ବଢ଼ାଇଦେଲେ ସାଇ ଓକିଲଙ୍କ ଘରର ପିଲାମାନେ । ଦି’ ଚାରି ଘର ଛାଡ଼ି ଓକିଲ ବାବୁଙ୍କ ଘର । ଘର ନୁହେଁ ବସା । ଶସ୍ତାଦିନ ସେତେବେଳେ । ପଚିଶ ତିରିଶଟା ଟଙ୍କାରେ ଗୋଟାଏ ଖୁବ୍‌ ବଡ଼ ଘର ସେମାନେ ଭଡ଼ାରେ ନେଇଥାଆନ୍ତି । ଗାଆଁରୁ ତାଙ୍କର ଧାନ ଆସେ । ଓକିଲଙ୍କ ମାଆ କହିଉଠିଲେ–କିଛି ଚିନ୍ତା କଅର ନାଆଁ ଲୋ, ମାଳତୀ, ଆମରି ଘରେ ଏଣୁତେଣୁ କାମଧନ୍ଦା ଟିକେ କରୁଥା କି–ତୋ ପେଟ ଖଣ୍ଡକ ଖାଲି ରହିବ ନାହିଁ । ଆମର ତ ଧାନ ଗଣ୍ଡାକ ଆସୁଚି । ସିଝା, ଶୁଖା କୁଟାକୁଟି କର । ଛୁଆଟି ତ ଚଢ଼େଇ ପିଲାଟିଏ । ସେଉଟି ପାଇଁ ତୋର ଭାବନା ପଡ଼ିଚି କାହିଁକି ?

 

ବିପଦରେ ପଡ଼ିଗଲେ–ମଣିଷ ଆଡ଼କୁ ହାତ ବଢ଼ାଇଦିଏ ମଣିଷ । ସେଥିରେ ତାଙ୍କର ସ୍ୱାର୍ଥ ଥାଉନା କାହିଁକି ? ତାକୁ ସ୍ୱାର୍ଥ ପର୍ଯ୍ୟାୟଭୁକ୍ତ କରି ହେଉନାହିଁ । ବରଂ ତାକୁ ପରସ୍ପର ସାହାଯ୍ୟ ସହାନୁଭୂତି ବୋଲି କୁହାଯାଇପାରେ ।

 

ବାହାର ଆଡ଼ିଆ ମେଲା ପାଚିରିର ଭିତର ପଟକୁ ଦି’ ଚାରିଖଣ୍ଡି ବାହାରିଆ ଚାଳଘର ତ ଥାଏ । ଢେଙ୍କି ଚାଳି ବି ଗୋଟାଏ ଥାଏ । ଏବେ ସିନା ଗାଁ ଗଣ୍ଡା ସବୁଠି ‘‘ହଲର’’ ଢେଙ୍କିର ସ୍ୱପ୍ନ ଦିଶୁ ନାହିଁ । କିନ୍ତୁ ତେତେବେଳେ ସହର ବଜାରରେ ମଧ୍ୟ କେତେ କିଏ ଅରକ୍ଷ ପ୍ରାଣୀ ଏଇ ଢେଙ୍କିକୁ ଆଶ୍ରା କରି ଚଳିଯାଉଥିଲେ–ପୁଣି ସୁରୁଖୁରୁରେ ବି । ଓକିଲ ବାବୁଙ୍କ ଗୁହାଳ ଘରେ ବନ୍ଧା ହୋଇ ରହିଥାଆନ୍ତି ଦୁଇ ଚାରିଟା ଦୁହାଁଳିଆ ଗାଈ । ଏଓଳି ସେଓଳି ବାଲଟିରେ ବାଲଟିଏ ଦୁଧ । ବାବୁଘର ଆଖିରେ ମାଳତୀ ଛୁଆଟି ସାମାନ୍ୟ ଚଢ଼େଇ ଛୁଆଟି ପରି । ତେତେବେଳେ ଘରେ ଘରେ ତ କେତେ କେତେ ଶୁଆ ସାରୀ ଓ ମୟୂର, ମୟୂରୀ ପୋଷା ଯାଉଥିଲେ । କୁକୁର ବିଲେଇଠାରୁ ଆରମ୍ଭ କରି ହରିଣ ଛୁଆ ଯାକେ, ବାବୁ ଘରେ ସୌଖିନରେ ପ୍ରତିପାଳିତ ହେଉଥାଆନ୍ତି । ମାଳତୀର ଛୁଆଟା ପାଇଁ ଟିକିଏ ଦୁଧ ଅବା ମୁଠାଏ ଭାତ, ସେତେବେଳେ ତାର ମୂଲ୍ୟ ଅବା କେତେ ?

ବିପଦରେ ପଡ଼ିଲେ ମଣିଷ ପ୍ରାଣୀ ବାଘ, ସିଂହ ପାଖକୁ ତ ସାହାଯ୍ୟ ପାଇଁ ହାତ ବଢ଼ାଏ ନାହିଁ ? ଦୁନିଆର ମଣିଷ ହିଁ ଦୁନିଆର ମଣିଷ ଆଡ଼କୁ ସାହାଯ୍ୟ ପାଇଁ ଧାଇଁ ଆସିଥାଏ ।

ଓକିଲ ବାବୁଙ୍କ ବୁଢ଼ୀ ମାଆ ଏବେ ବି ବଞ୍ଚିଥାଆନ୍ତି । ସବୁବେଳେ ହସ ହସ ମୁହଁ–ଆମେ ତତେ କଅଣ ଦଉଚୁ ଲୋ ଝିଅ । ଆମର ବା କଅଣ ଅଛି ଯେ ଦେବୁଁ ? ତୁ ତ ମାଆ, ଆମ ଘରେ ଯେତେ ସବୁ କାମ ଦାମ କରୁଚୁ ତାର ମୁଲ୍ୟ ବା ଆମେ କଅଣ ଦବୁଁ ! ଅନାଥ ପ୍ରାଣୀକୁ ଚାହୁଁଚି କିଏ ଲୋ ମାଆ ? ନଣ୍ଢାଟି ତୋର ମଣିଷ ହୋଇଯାଉ କି ସେଇ ସୁଝିବ ।

ନଣ୍ଢା ? ମାଳତୀର ଛୁଆ ବକଟକ । ନାଁ ଦିଆଯାଇଚି ଅନାଥ । ଧୀରେ ଧୀରେ ବଡ଼ ହେବାକୁ ଲାଗିଲା । କଦଳୀ ମୂଳରୁ ପୁଆଟିଏ ଉଠିଲା । ଚାହୁଁ ଚାହୁଁ ବଢ଼ିଲା । ଧୀରେ ଧୀରେ ବାହୁଙ୍ଗା ମେଲି ମୁଣ୍ଡ ଟେକି ଉଠିଲା ।

ମରଣଶୀଳ ମଣିଷ ହେଲା ଅଜାମ୍ବର । ବାପା ମାଆ ମଲେ ପୁଅ ଝିଅ ବଢ଼ିଲେ । ଏମିତି ଏମିତି ଆଗେଇ ଚାଲିଚି ସୃଷ୍ଟିର ଗତି । ମଣିଷ ଅଜାମ୍ବର, ଅମର । ଅନାଥ ବଢ଼ିଲା । ଧୀରେ ଧୀରେ ତାକୁ ଆସି ପନ୍ଦର, ଷୋହଳ, ସତର, ଅଠର ହୋଇଗଲା । ମାଳତୀଟି ବସିଚି, ମାଳତୀ ବଢ଼ୁଛି । ନୂଆ ପୁରୁଣା କଦଳୀ ଗଛ, ପଛକୁ ପଛ ବଢ଼ି ଚାଲିଚନ୍ତି । ଦୁଃଖୀର ଦିନ ଦୁଃଖରେ ଗଡ଼ୁଚି ଓ ସୁଖୀର ଦିନ ସୁଖରେ ଗଡ଼ୁଚି । ଦୁଃଖୀର ଦିନ ବଡ଼ ବଡ଼ ଲାଗୁଚି । ଦିନଟିଏ ବର୍ଷଟିଏ ପରି ମନେ ହେଉଚି । ଦୁଃଖୀ ନିଆଶ୍ରୀ ମାଳତୀର ଦିନ କେତେବେଳେ ଆସୁଚି, କେତେବେଳେ ଯାଉଚି, କେତେବେଳେ ମାସଚକ୍ର ଓ ବର୍ଷଚକ୍ର ଘୂରିପଡ଼ୁଚି, ସେ ତ କାହିଁ ଜାଣିପାରୁ ନାହିଁ । ସମୟର ନଈ ସୁଅ ଧୀରେ ବହୁ କି ବେଗରେ ବହୁ ବହିଯାଉଚି ତଳ ଆଡ଼କୁ ନିଶ୍ଚୟ ।

ଦିନେ ଶୀତଦିନିଆ ଖରାବେଳେ ଓକିଲ ବାବୁଙ୍କ ମାଆ ବାହାର ଅଗଣା ପିଣ୍ଡା ଉପରେ ସଉପ ଖଣ୍ଡିକ ଉପରେ ଶୋଇଚନ୍ତି ଯେ, ମାଳତୀ ବସି ତାଙ୍କ ପାଦ ଉପରେ ଦି’ ହାତ ଚଳେଇ ମୋଡ଼ିଦେଇ ଯାଉଚି । ବୁଢ଼ୀ କହିଲେ–ମାଳତୀ ଲୋ, ଅନାଥକୁ ତ ଅଠର ପୂରିଲା । କାହା ସାଙ୍ଗରେ ତାକୁ ବଜାର ବୁଲି ପଠା । ବାପର ବେଉସା ସେ ଆରମ୍ଭ କରିଦେଉ । ସୂତା ଛୁଞ୍ଚି, ଆରସି, ପାନିଆ, ସିନ୍ଦୂର, ଫରୁଆ ଆଦି କିଣିବା ପାଇଁ ମୁଁ ତାକୁ ଦଶୋଟି ଟଙ୍କା ଦଉଚି ।

ବୁଢ଼ୀଙ୍କ ପାଦ ତଳେ ହାତ ବୁଲେଇ ମାଳତୀ ନିଜ ମୁଣ୍ଡରେ ମାରିଦେଲା–ଆଖିରୁ ତାର ଲୁହ ଦୁଇଧାର ବହିପଡ଼ୁଚି । ମନ ଭିତରଟା ଉଷୁମ ହୋଇପଡ଼ୁଚି–ଆନନ୍ଦରେ ଓ କୃତଜ୍ଞତାରେ । ମନ କହୁଚି, ଏଇ ହେଲେ ମଣିଷ । ମଣିଷ ନୁହେଁ ତ ଦେବତା । ତାଙ୍କ ପାଦ ତଳକୁ ମୋର ଶହେଟି ଜୁହାର ।

ମନେ ମନେ ସେ କହୁଚନ୍ତି–ସମସ୍ତେ ସୁଖୀ ହୁଅନ୍ତୁ ହେ ଭଗବାନ ।

‘‘ସର୍ବେ ସୁଖୀନୋ ଭବନ୍ତୁ’’ ।

ସାଇର ଗୋଟିଏ ଫେରିବାଲାକୁ ଡାକି ବୁଢ଼ୀ ସମ୍ପିଦେଲେ ଅନାଥକୁ–ଏଇଟିକୁ ଟିକେ ‘‘ପାଣ୍ଠିରେ’’ ବୁଲେଇବୁ ତୁ ବାପା । ଏ ପିଲାଟି ତୋତେ ଲାଗିଲା ।

ଶଗଡ଼ିଆ ବଳଦ ଶଗଡ଼ ଟାଣୁଥାଏ । ନୂଆ ବଳଦ ପିଲାକୁ ମଣ କରିବା ପାଇଁ ତାକୁ ଶଗଡ଼ଟି ପଛରେ ପଘା ଦଉଡ଼ିରେ ବନ୍ଧାଇ ଚାଲିବାକୁ ଶିଖାଯାଏ । ତାକୁଇ କହନ୍ତି ପାଣ୍ଠିରେ ବୁଲାଇ ମଣ କରିବା । ବୁଢ଼ୀ କହିଲେ–ବାପା ରେ ଏ ପିଲାଟି ଅନାଥ । ତୁଇ ତାକୁ ବାପ, ମଣିଷ କରି ଛିଡ଼ା କରାଇ ଦେ । ତୋର ଧର୍ମ ହବ ।

 

ବାପର ଝୁଲଟିକୁ କାନ୍ଧରେ ଝୁଲାଇ ଅନାଥ ତାଆରି ପଛେ ପଛେ ଚାଲିଲା । କିଛିଦିନ ବୁଢ଼ୀ ଦେଇଥିବା ମୂଳଧନରେ ମାଲ୍‍ପତ୍ର କିଣି–ଆରସି, ପାନିଆ, ଛୁଞ୍ଚି, ସୂତା, ସିନ୍ଦୂର, ଫରୂଆ ଆଦି ଧରି ଏ ସାଇ ସେ ସାଇ ବୁଲି ଡାକି ଶିଖିଲା-

 

ସିନ୍ଦୂର ନବ, ଫରୁଆ, ଆରସି ନବ ପାନିଆ ? ଶସ୍ତା, ସୁବିଧା ମଜବୁତ୍‌ ।

 

ଏମିତି ଏମିତି ଅନାଥଟି ବଢ଼ିଚାଲିଲା । ଧୀରେ ଧୀରେ ଲାଭ କରି କିଛି କିଛି ରୋଜଗାର କରିବାକୁ ବି ଶିଖିଲା । ଏକୁଇ କହନ୍ତି ବ୍ୟବସାୟ ଏବଂ ଏଇ ବାଟ ଧରି ମଣିଷ ପିଲା–ମଣିଷ ଉପରେ ନିର୍ଭର କରି ଘରସଂସାର ଗଢ଼ି ଚଳେ । ପରଠୁ ଆଣି ନିଜେ ପୋଷି ହୁଏ । ଏଣିକି ଏଣିକି ନିରୋଳା ବେଳ ଦେଖି ଓକିଲ ବାବୁଙ୍କ ମାଆ କହିଲେଣି–ଏଣିକି ତୁ ମାଳତୀ, ବୋହୂ ପିଲାଟିଏ ଖୋଜ ।

 

ପ୍ରଜାପତି ନିର୍ବନ୍ଧ–ବରପତ୍ରକୁ ଓସ୍ତପତ୍ର । ଅନାଥକୁ ଏକୋଇଶ ବର୍ଷ । ତେର, ଚଉଦ ବର୍ଷର ଗରିବ ଝିଅପିଲାଟିଏ ଦିନେ ଓଢ଼ଣା ଟାଣି ଅନାଥର ଚାଳିଘର ଭିତରକୁ ପଶିଆସିଲା । ଅଗଣା ଭିତରେ ଚଉରା ପାଖରେ ହାତଯୋଡ଼ି ଠିଆ ହୋଇ ରହି ମାଳତୀ ଧର୍ମଦେବତାଙ୍କୁ ଠିଆ ଠିଆ ମୁଣ୍ଡିଆ ମାରିଲା–ହେ ଧର୍ମ–ତୁଇ ଏକା ବଡ଼ । ଦିନ କରୁଚୁ, ରାତି କରୁଚୁ । ଦୁଃଖ ଆସୁଚି, ସୁଖ ବି ଆସୁଚି । ଅନ୍ଧାର ଆଉ ଆଲୁଅ । ପଛକୁ ପଛ ତୁଇ ଯୋଡ଼ି ରଖିଚୁ ଧରମ ବିଧାତା–ମୋର ଦୁଃଖ ତୁଇ ଦେଖିଚୁ । ମୋ ସଂସାରର ସୁଖ ବି ତୁଇ ଆଣିଦେଇଚୁ । ଦୁହିଙ୍କି ଦିହେଁ ଭୋଗତମାନ ହୁଅନ୍ତୁ । ଦିହିଁଙ୍କି ତୁ ସୁଖରେ ରଖ ମାହାପୁରୁ ।

 

ନିତି ମଙ୍ଗଳବାର ଦିନ ମାଳତୀ ଦାଣ୍ଡ ଦୁଆର ପାହାଚ ତଳେ ଫୁଲପାଣି ଦେଇ ସିନ୍ଦୂର ମାଖି ଭୋଗ ଦେଇ ମାଆ ମଙ୍ଗଳାଙ୍କୁ ପୂଜା କରେ–ମୋ ଅନାଥର ମଙ୍ଗଳ କର ମା । ମୁଁ ନିଆଶ୍ରୀ । ମୋ ପିଲାଟି ସୁଖରେ ରହୁ ।

 

ଏମିତି ଏମିତି ଦୁଇ ତିନିଟି ବର୍ଷ ବିତିଗଲା । କିନ୍ତୁ ନୂଆବୋହୂଟି ତ ଚିରଦିନ ନୂଆ ହୋଇ ରୁହନ୍ତା ନାହିଁ । ଧୀରେ ଧୀରେ ସ୍ୱାମୀ ଉପରେ ସେ ତାଲା ପକାଇବାକୁ ଆରମ୍ଭ କଲା । ଘରଣୀ ସେ । ଏ ଘରର ଘରଣୀ ହବାକୁ ସେ ଚାହେଁ ।

 

ତାକୁ ବାଧା ଦେବ କିଏ ? ମାଳତୀ ତ ଆଉ ଘରର ମାଲିକିଆଣୀ ନୁହେଁ । ଅନାଥ ହେଲା–ପୁଅ ପିଲାଟା । କଥାରେ କହନ୍ତି–

 

ପାଖରେ ଶୁଏ କାନରେ କୁହେ

ତା କଥା କି ଅନ୍ୟଥା ହୁଏ ?

ତାବତ୍‌ ସ୍ୟାତ୍‌ ସୁପ୍ରସନ୍ନ ସ୍ୟାତ୍‌

ତାବତ୍‌ ଗୁରୁଜନୈ ରତଃ

ପୁରୁଷ ଯୋଷିତାଂ ଯାବତ୍‌

ନଶ୍ରୁଣୋତି ବଚୋରହଃ ।

 

ସଂସାରଟା ଏଇଆ । –ନଈ ଶୁଖିଲେ କି କରେ ନାଆ ।

 

ଦୁଧ ଶୁଖିଲେ କି କରେ ମାଆ ।

ଏଣିକି କଥା କଥାକେ ଖଡ଼୍‌ ଖଡ଼୍‌ ଲାଗିଲା । ପଦକୁ ପଦ ଖାଙ୍କି ଉଠୁଚି ବୋହୂ । ଅଛି ଅଛି ଅନାଥ ବି ମାଳତୀ ଉପରକୁ ଉହୁଙ୍କି ଆସୁଚି । ତା’ ମୁହଁଟା ଆଡ଼କୁ ତାଟକା ହୋଇ ଚାହିଁ ରହୁଚି ମାଳତୀ–କଅଣ ହେଲା ମୋ ଛୁଆଟା ? ସଂସାରଟା ସତେ କଣ ବଦଳିଗଗଲା !

ଦିନକର କଥା ଅସହ୍ୟ ହୋଇଉଠିଲା । ଦାଣ୍ଡଦୁଆରେ ମଙ୍ଗଳା ପୂଜି ଘର ଭିତରକୁ ପଶି ମାଳତୀ ଗଣ୍ଡିଏ ପଖାଳ ବାଢ଼ି ଆଣି ଅଗଣାରେ ଖାଇ ବସିଚି ଏବଂ ତା’ ବେକ ଚଉକତିରେ ପଣତକାନିଟା ଗୁଡ଼ାଇ ରଖିଚି । ମା’ ମଙ୍ଗଳାଙ୍କୁ ମୁଣ୍ଡିଆ ମାରିଲାବେଳେ କାନିଟାକୁ ସେ ବେକଚଉକତି ଗୁଡ଼ାଇଥିଲା । ଅଗଣା ଭିତରେ ବୋହୂଟା ପୂରା ଦମ୍‌ରେ ବୁଢ଼ୀକି ସମ୍ପି କାଟି ଯାଉଚି-। ଦୋକାନ ଝୁଲାଇ ଖରାମୁହାଁ ଘର ଭିତରକୁ ଫେରିପଡ଼ୁଛି ଅନାଥ । ବୋହୂଟା ତା’ ଉପରକୁ ପୂରା ଦମ୍‌ରେ ପାଟିକରି ଉଠିଲା–ଏମିତି ଯଦି ତୋର ମାଆ ସୁଆଗ, ତେବେ ମତେ ମୋ ବାପଘରକୁ ବଟେଇଧ ଦେଏ କହୁଚି । ଆଉ ମୁଁ ସହିପାରିବି ନାହିଁ ।

ତା’ପରେ ବୋହୂଟା ଲଇଁ ପଡ଼ି ଭୂଇଁ ଉପରେ ଢୁଉ ଢୁଉ ମୁଣ୍ଡଟାକୁ ପିଟି ପକାଇଲା । ଅନାଥ ଠିଆ ଠିଆ ଅଗ୍ନିଶର୍ମା । କଅଣ ହୋଇଚି, କଅଣ ଘଟିଲା–କିଛି କୁଆଡ଼ୁ ନ ବୁଝି ନ ଶୁଝି ବୁଢ଼ୀ ଉପରକୁ ତଇନାତ ହୋଇ ଉଠି ପଖାଳ ଗଣ୍ଡାକ ଖାଇ ବସିଥିବା ମାଳତୀକୁ ସେ ଧକ୍‌କାଟାଏ ମାରିଲା ଯେ, ମାଳତୀ ଆସି ପାଞ୍ଚହାତ ଦୂରରେ ଗଡ଼ିପଡ଼ିଲା । କଅଣ କଲୁରେ ଚଣ୍ଡାଳ ଟୋକା ? କଅଣ ତୁ ବୁଝିଲୁ, କଅଣ ତୁ କଲୁ ? ମତେ ତୁ ମାଇଲୁ ? କେମିତି ତୋ ହାତ ଗଲା ରେ ? କହିଲା ମାଳତୀ ।

ଠିକ୍‌ ସେମିତି ବେଶରେ ମାଳତୀ ଉଠିପଡ଼ି ଦାଣ୍ଡ ଆଡ଼କୁ ଗୋଡ଼ କାଢ଼ି ଚାଲିଆସିଲା–‘‘ତୁମେ ଦୁହେଁ ସୁଖରେ ଥାଅରେ ଅନାଥିଆ, ମୁଁ ଏ ଘରୁ ବାହାରିଲି ।’’

ଏତିକି କହି ମାଳତୀ ଅଧୁଆ ମୁହଁରେ ଦାଣ୍ଡ ଆଡ଼କୁ ଚାଲିଗଲା । ଗଲା । ଯାଇ ସେ ଓକିଲ ବାବୁଙ୍କ ମାଆ ବୁଢ଼ୀଙ୍କ ସାମନାକୁ । ତାଙ୍କ ପାଦତଳେ ମୁଣ୍ଡିଆଟାଏ ମାରି ଭୋ ଭୋ ହୋଇ କାନ୍ଦିଉଠିଲା ମାଳତୀ ।

‘ଆହା କଅଣ ହେଲା ରେ ମାଳତୀ ?’’ ବୋଲି ବୁଢ଼ୀ ତାକୁ ଉଠାଇବାକୁ ଲଇଁ ପଡ଼ିଲେ ତ, ମାଳତୀ କଇଁ କଇଁ ହୋଇ ସବୁ କଥା କହିଗଲା ଏବଂ କହିଲା–ଆଉ ମା’, ମୁଁ ସେ ପୁଅବୋହୂଙ୍କ ପାଖକୁ ଯିବି ନାହିଁ । ତୁମରି ଚାଳିଆ ଭିତରେ ଟିକେ ମୁଣ୍ଡ ଗୁଞ୍ଜିବାକୁ ଥାନ ଦିଅ । ନଇଲେ ଦାଣ୍ଡେ ଦାଣ୍ଡେ ଚାଲିଯିବି ।

ବୁଢ଼ୀ ତାକୁ ଉଠାଇ ନେଇ ନିଜ ପଣତରେ ଆଖି ପୋଛି–ଦେଇ କହିଲେ–ତୁ କିଛି ଚିନ୍ତା କରନା ମା’ । ଆଜି ଦିନଟା ମଙ୍ଗଳବାର । ନାଆଁଟି ସିନା ମଙ୍ଗଳବାର, ହେଲେ ସେ ସବୁ ଅମଙ୍ଗଳର କାରଣ ସିନା ! ରଙ୍ଗ ଧାତୁରେ ରଙ୍ଗବର୍ଣ୍ଣ କିଛି ନାହିଁ ଲୋ ମାଆ । ନାଆଟି ନାରଙ୍ଗ ସିନା ସେ ଫଳର–ରଙ୍ଗରେ କିନ୍ତୁ କେଡ଼େ ସୁନ୍ଦର । ସବୁ ଅମଙ୍ଗଳର ଗୋଡ଼ା ହେଲା ଏଇ ମଙ୍ଗଳବାରଟା, ହେଲେ ସେଦିନ କେହି କୌଣସି ଶୁଭ କାମ କରନ୍ତି ନାହିଁ ।

‘‘ରଙ୍ଗେନ ବିଦ୍ୟତେ ରଙ୍ଗମ୍‌ ନାରଙ୍ଗେ ରଙ୍ଗ ବିଦ୍ୟତେ

ଅମଙ୍ଗଳସ୍ୟ ବାରସ୍ୟ ଯଥା ମଙ୍ଗଳବାରତା

ତୁ ମୁହଁ ଧୋଓ ମା । ତୁ ଆଜିଠୁ ମୋଓରି ଘରେ ରହିବୁ ।’’

ମାଳତୀ ସେଇଦିନୁ ଓକିଲଘର ବାହାରିଆ ଚାଳିଘର ଖଣ୍ଡକରେ ରହିଲା । ଘରକୁ ଆଉ ଗଲା ନାହିଁ, କି ପୁଅ ବି ତାକୁ ଡାକି ନେବାକୁ ଆସିଲା ନାହିଁ । ତା’ ସୁଖରେ ସିଏ, ଇଆ ଦୁଃଖରେ ଇଏ । ଏଙ୍କ ଘରେ କାମ ଧନ୍ଦା କିଛି କରେ, ଧାନ କୁଟେ । ଆହାର ଉପରେ ପାହାର ସେଦିନ ଦେଇଚି ପୁଅ–ଅନାଥଟା । ସେଇଦିନୁ ମାଳତୀ ଭାତ ଛାଡ଼ିଦେଇଚି । ନିତି ପ୍ରତି ସେ ଚକୁଳି କରି ଖାଏ । ଧୀରେ ଧୀରେ ବିରିଚାଉଳ ବାଟି ଚକୁଳି ପିଠା ତିଆରି କରି ବାଉଁଶପାଚିଆଟାରେ ଧରି ବଜାରକୁ ଯାଇ ବିକ୍ରିବଟା କରେ, କିଛି ପଇସା ରୋଜଗାର କରେ । ସେଇଥିରେ ଚଳେ, ଆଉ କିଛି କିଛି ସଞ୍ଚେ । ସଞ୍ଚିବାକୁ ତାର ଥାନ ହେଲା ବଣା ।

ମାଠିଆ ଦୁଇଟା । ତାଆରି ଭିତରୁ ଗୋଟାକରେ ସେ ଚାଉଳ ପତ୍ର ବି ସାଇତି ରଖେ । ଆଉ ସେ ପୁଅବୋହୂଙ୍କ ଦୁଆର ମାଡ଼ିଲା ନାହିଁ । ଧୀରେ ଧୀରେ ଏମିତି ଏମିତି ମାସ ମାସ ପୂରି ବର୍ଷ ବର୍ଷ ବିତିଲା । ଚାହୁଁ ଚାହୁଁ ତେଣେ ଅନାଥର ଗୋଟିଏ ଝିଅ ପିଲା ଜନ୍ମ ହୋଇ ଧୀରେ ଧୀରେ ବଢ଼ିଲା । ଗଲା ଦି’ ବର୍ଷ, ଗଲା ପାଞ୍ଚ ବର୍ଷ । ମାଳତୀ ଧୀରେ ଧୀରେ ବୁଢ଼ୀ ହୋଇ ଆସିଲା । ଧୀରେ ଧୀରେ ଅଚଳ ବି ହୋଇ ପଡ଼ିଲା । ତେଣେ ତାର ଏକମାତ୍ର ଆଶା ଭରସା–ଓକିଲଙ୍କ ମାଆ ପୁରୀ ଧାମକୁ ତୀର୍ଥ କରି ଯାଇ ସେଇଠି କାଳ ହୋଇଗଲେ । ଅନାଥ ପ୍ରାଣୀ ମାଳତୀର ସବୁ ଦିଗ ଅନ୍ଧକାର ଘୋଟି ଆସିଲା ଧୀରେ ଧୀରେ । ସେ ବି ବିଛଣା ଧରିଲା–

ଦିନ ଯାମିନୌ ସାୟଂ ପ୍ରାତଃ

ଶିଶିର ବସନ୍ତୌ ପୁନରାୟତଃ

କାଳେଽଗଚ୍ଛତି କ୍ରୀଡ଼ତି ଆୟୁ

ସ୍ତଦପି ନମୁଞ୍ଚତି ଆଶାବାୟୁ

ତେବେ ବି ମାଳତୀର ଆଶା ଛାଡ଼ୁ ନାହିଁ । ତଥାପି ସେ ପ୍ରତି ମଙ୍ଗଳବାର ଦିନ ମା ମଙ୍ଗଳାଙ୍କୁ ପୂଜା କରି ଚାଲିଥାଏ । ଦିନେ ସେ ଦାଣ୍ଡ ମଙ୍ଗଳାଙ୍କ ଆଗରେ ଭୋଗ ଦେଇ ମୁଣ୍ଡିଆ ମାରି ଉଠୁଚି ଓ ଓକିଲବାବୁଙ୍କ ସ୍ତ୍ରୀ ସାମନାରେ ଠିଆ ହୋଇ ପଚାରିଲେ–କାହିଁକି ହେ ମାଳତୀ, ପୁଅବୋହୂ ତ ତୁମକୁ ପଚାରୁ ନାହାନ୍ତି–ତେବେ କିଆଁ ‘‘ଏ ମଙ୍ଗଳା ପୂଜା’’ ? ମାଆ ମଙ୍ଗଳାଙ୍କ ଉଦ୍ଦେଶ୍ୟରେ ମାଳତୀ ତେତେବେଳେ ଯାକେ ହାତଯୋଡ଼ି ଆଣ୍ଠୁମାଡ଼ି ଦାଣ୍ଡଧୂଳିରେ ବସି ଥାଏତ, ଧୀରେ ହସି କହି ପକାଇଲା–ଯାହା କହୁଚ ମାଆ–ମୁଁ ସେଇ ଚଣ୍ଡାଳ ଟୋକା ଅନାଥିଆଟା ପାଇଁ ମାଆ ମଙ୍ଗଳାଙ୍କୁ ପୂଜା କରୁଚି ମା’ । ମଙ୍ଗଳା ତାଙ୍କୁ ସୁଖରେ ରଖୁ ମା’–ମୋର ତ ଦିନ କାଳ ସରି ଆସିଲାଣି । ସେମାନେ ସୁଖରେ ରହନ୍ତୁ, ଆନନ୍ଦରେ ରହନ୍ତୁ । ଅଜ୍ଞାନ ପିଲାଟି ମତେ ସିନା ଅଜ୍ଞାନରେ ମାରିଲା । ମୁଁ ପରା ମାଆ–ଗର୍ଭଧାରିଣୀ–ଜନ୍ମକାରିଣୀ ମାଆ । ତା’ଛଡ଼ା ମୋର ଆଉ ଚିନ୍ତା କଅଣ ଅଛି ବୋହୂ ? ମୁଁ ସିନା ରାଗ ରୋଷରେ ପଳେଇ ଆସିଚି, ହେଲେ ମୋ କଲିଜାଟା ତ ହେଲା ସେଇ ଚଣ୍ଡାଳ–ଅଜ୍ଞାନ ପିଲାଟା ! ମଙ୍ଗଳା ତାର ମଙ୍ଗଳ କରନ୍ତୁ । ଏ ପିଣ୍ଡଟା ସିନା ତୁମ ଘରେ ପଡ଼ିଚି ମା’, ମୋ ଜୀବନଟା ହେଲା ସେଇ ଅରକ୍ଷିତଟା ।

ଅଳ୍ପ ହସି ଓକିଲଙ୍କ ବୋହୂ କହିଉଠିଲେ–ହେଲା ତେବେ ମାଳତୀ ଅସୁରୁଣୀର ଜୀବନ ନାଟିକାଟି ଅଟକି ରହିଚି ସେଇ ମରୁଆ ଦଭିତରେ ଥିବା ଫରୁଆଟି ଭିତରେ । ହଉ ହଉ, ଭଗବାନ ତାଙ୍କର ମଙ୍ଗଳ କରନ୍ତୁ ।

ମାଳତୀ ସେଇ ଓକିଲଙ୍କ ଘରେ ଶେଯ ଉପରେ ପଡ଼ି ରହି ଧୀରେ ଧୀରେ ଦୁର୍ବଳ ହୋଇଗଲା । ଦିନେ ସେ କାହା ହାତରେ ଡକେଇ ପଠେଇଲା ନାତୁଣୀଟିକୁ । ନିଜ ଦିହରେ ଥିବା ରୁପାର ଅଳଙ୍କାରତକ ସବୁଯାକ ଏକାଠି କରି କନା ଖଣ୍ଡିକରେ ବାନ୍ଧି ତା’ ହାତରେ ଦେଇ କହିଲା–ନେଇଯା’ ତୋ ମାଆକୁ ଦବୁ । କହିବୁ ମୁଁ କହିଚି ବୋଲି–ତୁ ବାହା ହେଲେ ସେ ତତେ ଏକୁ ସବୁ ଦବ ।

ତାର କିଛି ଦିନ ପରେ–ଓକିଲ ବୋହୂଙ୍କୁ ପାଖକୁ ଡାକିଲା–ମାଳତୀ ଆଉ ଉଠିପାରୁ ନାହିଁ । ବଡ଼ କଷ୍ଟରେ ପଦେ ଅଧେ କଥା କହୁଚି ।

ଧୀରେ କଷ୍ଟେ କହିଲା–ବୋହୂ ମା, ଶୁଣ । ମୁଁ ମରିବାକୁ ବସିଲି । ମରିଗଲା ପରେ ପୁଅକୁ ଡକେଇ ଏ ବଣା ଦିଇଟା ଭିତରେ ଯାହା କିଛି ଅଛି, କହିବ, ନେଇଯିବାକୁ । କିନ୍ତୁ ମୋ ଶୁଦ୍ଧଘର ପାଇଁ କବିଛି ଯେମିତି ସେ ଖରଚ ନ କରେ । ଦୁଃଖୀରଙ୍କ ଘରର ଝିଅ ବୋହୂ ମୁଁ । ମୁଁ ଯାଉଚି । ମୋ ପାଇଁ କେହି ଯେମିତି ନ କାନ୍ଦନ୍ତି ।

ମୋ ପୁଅ ବୋହୂ ସୁଖରେ ରହନ୍ତୁ । ମା’ ମଙ୍ଗଳା ତାଙ୍କୁ ଆନନ୍ଦରେ ରଖନ୍ତୁ ।

ତା’ ପରଦିନ ମାଳତୀ ମରିଗଲା । ଖବର ପାଇ ପୁଅ ଚଣ୍ଡାଳ ଆସି ମାଠିଆ ଦୁଇଟି ଘରକୁ ଘେନିଗଲା । ଏକୁ ତାକୁ ଡାକିଆଣି ମୁରୁଦାରଟାକୁ ଟେକି ନେଇ ନଈକୂଳରେ ଫିଙ୍ଗିଦେଇ ଆସିଲା । ତା’ପରେ ବିଲୁଆ କୁକୁରଙ୍କ ପାଳି । ଶୁଖିଲା ଧୋକଡ଼ା ଚମ ମାଉଁସ କାଙ୍କ ପେଟକୁ ଯାଇଥିବ ।

ମଣିଷ ଅଜମ୍ବର–ଅମର । ମାଳତୀ ମଲା : କିନ୍ତୁ ସେ ଜୀଇ ରହିଲା–ଅନାଥ ଭିତରେ । ମରୁଆ ଭିତରେ ଫରୁଆଟି, ଆଉ ତାଆରି ଭିତରେ ରହିଗଲା ମାଳତୀର ଜୀବନ ନାଟିକାଟି–ଅଜମ୍ବର ହୋଇ ।

Image

 

ଚୁନି ମିଆଁଙ୍କ ବଳଦ

 

ରାସ୍ତାଘାଟରେ ଅଧିକାଂଶ ଚିହ୍ନନ୍ତି-କେବଳ ମିଆଁଙ୍କୁ ନୁହେଁ–ତାଙ୍କ ବଳଦଟିକୁ ଓ ଏକବଳଦିଆ ଗାଡ଼ିଟିକୁ ମଧ୍ୟ । କଳା ଧଳା ରଙ୍ଗର ଛଉକା ବଳଦଟି–ମିଆଁ ତାକୁ ଡାକନ୍ତି ‘ବୁଦ୍ଧିଆ’ ବୋଲି– । ଚାରିଗୋଡ଼ିଆ ପଶୁ ପିଲାଟି ଯାହା ଘରେ ଭୂମିଷ୍ଠ ହୋଇ କଅଁଳା ବାଛୁରୀ ରୂପେ ଡେଇଁ କୁଦି ବୁଲୁଥିଲା–ସେଇ ତାକୁ ଏ ନାଆଁଟି ଦେଇଥିଲେ–ବୁଦ୍ଧିଆ । ଜନ୍ମ ହେଲା ପରେ ‘ଅଣ୍ଡିରିପୁଅ ଉର୍ଦ୍ଧବ’ ଡେଇଁ କୁଦି ସାଇ କମ୍ପାଉଥିଲା । ମାଆ ପହ୍ନାରେ ମୁହଁ ଲଗାଇ ଚଁ ଚଁ କ୍ଷୀର ପିଇଯାଉଥିଲା । ପ୍ରଥମ ଦଫାରେ ତା’ ପ୍ରତି ଚରମ ନିର୍ଦ୍ଦୟତା ଦେଖାଇଲେ ପ୍ରଥମ ମାଲିକ । ତା’ ମାଆଠାରୁ ସେ କ୍ଷୀର ଝୁଣି ଖାଇଲାବେଳକୁ ତା’ ବେକରେ ପଘା ଦଉଡ଼ା ବାନ୍ଧି ଭିଡ଼ିନେଇ ଦୂରିଆ ଖୁଣ୍ଟିରେ ବାନ୍ଧିପକାନ୍ତି, ସେଇ ମାଲିକ–ନବୀନ ମିଶ୍ର । ତାଙ୍କରି ଘରେ ବୁଦ୍ଧିଆ ମାଆକୁ ଗୋମାତା ଓ ଦେବତା ବୋଲି ପୂଜା କରନ୍ତି । ଆଉ କହନ୍ତି–ଗୋମାତାର ରୁମ ଗୋଟିକୁ ଦେବତା ଗୋଟିଏ । ସେଇ ମାଲିକ ବୁଦ୍ଧିଆକୁ ତା’ ମା କ୍ଷୀରରୁ ବଞ୍ଚିତ କରି କ୍ଷୀରଯାକ ଦୁହିଁ ନେଇଯାଆନ୍ତି । ଆଉ କାଲୁବାଲୁ ହୋଇ ଚାହିଁ ବୁଦ୍ଧିଆ ଟାଣି ଓଟାରି ହୋଇ ଓଠ ଚାଟିହେଉଥାଏ ମାତ୍ର ।

 

ପୁଣି ସେି ମାଲିକ ଜବରଦସ୍ତି କରି ବୁଦ୍ଧିଆର ଉପାଙ୍ଗ, ବିଶେଷ କଟାକଟି କିଛି କରାଇ ତାକୁ ବଳୀବର୍ଦ୍ଦ ପିଲା ପାଲଟେଇଦେଲେ । ଇଏ ବୋଧହୁଏ ତାଙ୍କର ଦ୍ୱିତୀୟ ଦଫା ଦେବତା ପୂଜାର ନିଦର୍ଶନ ।

 

କିଛି କାଳ ପରେ ସେ ବିକ୍ରି ହୋଇ ଆସିଲା–ଚୁନି ମିଆଁ ଘରକୁ । ଅମଣିଆ ଅବସ୍ଥାରେ କେତେ କେତେ ମାଡ଼ ସେ ଖାଇଲା । ତା’ପରେ କିଛିଦିନ ‘‘ପାଣ୍ଠିରେ’’ ବୁଲି ଶେଷକୁ ଚୁନି ମିଆଁଙ୍କ ଏକବଳଦିଆ ଗାଡ଼ିରେ ଯୁଆଳି ତଳେ କାନ୍ଧ ପୂରାଇ ଭିଡ଼ିବାକୁ ଆରମ୍ଭ କଲା । ଉଚ୍ଚ ଉଚ୍ଚ ସଜନା ଗଛର ଛାଇତଳେ ସଡ଼କ କଡ଼କୁ ଗୁହାଳଚାଳି ଟିକକ । ଆଉ ତାଆରି ଆଗକୁ ଏକବଳଦିଆ ଶଗଡ଼ଟି । ସକାଳ ଆଠଟା ନଅଟା ବେଳକୁ ଶଗଡ଼ ନେବା ସମୟ ହେଲାବେଳକୁ ସେ ବୁଦ୍ଧିଆକୁ କୁଣ୍ଡାତୋରାଣି ପିଆନ୍ତି । ତା’ପରେ ଶଗଡ଼ର ଯୁଆଳି ତଳେ ବୁଦ୍ଧିଆର ବେକଟା–ଚାଲିଲା ରାତି ଦଶ ଏଗାର ଯାକେ । ମିଆଁଙ୍କ ବାଉଁଶକଣି ପାଞ୍ଚଣ ଖଣ୍ଡିକୁ ବୁଦ୍ଧିଆ ପ୍ରାଣଭୟରେ ଚିହ୍ନେ । ଶଗଡ଼ ଉପରକୁ ଉଠି ବସି ବୁଦ୍ଧିଆ ପିଠିରେ ପାହାରେ କସିଦେଇ ମିଆଁ ଯେତେବେଳେ ପାଟିରେ ଟାକରା ଫୁଟାନ୍ତି, ସେତେବେଳେ ବୁଦ୍ଧିଆ ଅଣନିଃଶ୍ୱାସୀ ହୋଇ ଧାଇଁବାକୁ ଆରମ୍ଭ କରେ । ରେଳଷ୍ଟେସନ, ମାଲଗୋଦାମ, ଏ ବଜାର ସେ ବଜାର ତ ଏ ତୁଠ ସେ ତୁଠ । କାହିଁ ନୂଆବଜାର ତ କାହିଁ ବିରିବାଟି-। କାହିଁ ଅବା ଯୋବ୍ରା ଓ ମାତାମଠ । କଟକ ସହରର ଏପଟରୁ ସେପଟ । ଚୁନି ମିଆଁ ଯାହାର ମାଲପତ୍ର ଶଗଡ଼ରେ ଲଦିଲେ ତ–ଯେତେ ଇଚ୍ଛା ତେତେ, ପଦେ ଆପତ୍ତି କରିବାକୁ ବୁଦ୍ଧିଆର ପାଟିତୁଣ୍ଡ ନାହିଁ । ପାରୁ ବା ନ ପାରୁ ଟାଣିବାକୁ ସେ ବାଧ୍ୟ । ନୋହିଲେ ପିଠି ଉପରେ ସାଏଁ ସାଏଁ ପାଞ୍ଚଣ ମାଡ଼ ବସିବ ।

 

ପଇସା କଉଡ଼ିତକ–ଗାଡ଼ିଭଡ଼ା–ମିଆଁଙ୍କର । ହାଡ଼ି ଖାଏ କଉଡ଼ି–ତା’ ଢୋଲ ଖାଏ ମାଡ଼ । ବୁଦ୍ଧିଆର ପିଚା ଫାଟେ ତ ପିଠି ଫାଟେ । ରୁମ ଚମ ଫୁଲିଉଠି ନୋଳା ଫାଟିଯାଏ । କେବେ ଅବା ରକତ ଚହ ଚହ ହୋଇ ବାହାରିପଡ଼େ । ଭୋକ–ଶୋଷ ବିକଳରେ ବୁଦ୍ଧିଆ ଫଁ ଫଁ ନିଃଶ୍ୱାସ ଟାଣେ । ତେବେ ବି ହୁଏତ ମିଆଁଙ୍କର ଦୟା ହୁଏ ନାହିଁ । ଅତି ବେଶି ନଡ଼ା ବିଡ଼ାଏ ତା’ ଆଗରେ ମିଆଁ ଏ ପକାଇଦିଅନ୍ତି । ଅଥବା ନଈ ପୋଖରୀର ପାଣିକୂଳକୁ ନେଇ ତାକୁ ଦେଖାଇ ଦିଅନ୍ତି । ଏଇଥିରେ ତାକୁ ଦିନ ଦିନ, ମାସ ମାସ, ଖରାବର୍ଷା ଓ ଶୀତ ସବୁଟିର ଚପଟ ସହିବାକୁ ପଡ଼େ ।

 

ଶୁଖୁ ଠାଉଁ ଠାଉଁ ପୁଞ୍ଜିଏ

ସାଲୁରୁ ବାଲୁରୁ ପୁଞ୍ଜିଏ

କୁଙ୍କୁରି କାଙ୍କୁରି ପୁଞ୍ଜିଏ ।

 

ଖରାମାସ ଆସିଗଲା ତ–ପୁଞ୍ଜିଏ ଅର୍ଥାତ୍‌ ଚାରୋଟି ମାସ । ମାଘ ମାସ ଶେଷ ହେଲାବେଳକୁ ଖରା ହେଲା ତ-ନିଆଁ ହୁଳା ପବନ ବହିଲା । ଧୂଳି ସବୁଯାକ ‘‘ଶୁଖୁ ଠାଉଁ ଠାଉଁ’’ ନିଆଁବାଣ । ନାକପାଟିରୁ ଫଁ ଫଁ ନିଃଶ୍ୱାସ ବାହାରି ଯାଉଥାଉ ପଛକେ ମାଲିକର ମନଇଚ୍ଛା ବୋଝକୁ ଟାଣିବାକୁ ପଡ଼ିବ, ପ୍ରାଣ ମୂର୍ଚ୍ଛା ଟାଣି ଟାଣି ଚାଲିବାକୁ ପଡ଼ିବ ।

 

ତା’ପରେ ଆସିଗଲା–ସାଲୁରୁ ବାଲୁରୁ ପୁଞ୍ଜିଏ, ପାଣି–କାଦୁଅ ପଚ ପଚ–ଝଡ଼ିବର୍ଷା–ଝପ ଝପ–ଟପ ଟପ । ଚାରି ମାସ– ଆଷାଢ଼, ଶ୍ରାବଣ, ଭାଦ୍ର ଓ ଆଶ୍ୱିନ ପୂରା ଚାରି ମାସ କାଳ । ବର୍ଷା ଚାଲିଚି ତ ଚାଲିଚି–ଏଇ ପିଠି ଓ ଏଇ ମୁଣ୍ଡଟି ଉପରେ ସବୁତକ ପାଣି । ଚାରିଟି ସରୁଆ ଗୋଡ଼ର ଚାରିଟା ଖୁରା ଉପରେ ସବୁତକ ବୋଝ–ଦିନ ରାତି, ରାତି ଦିନ–ଆଣ୍ଠିଏ କାଦୁଅରେ ପାଦ ଗଳି ପଡ଼ୁଚି, ନିଜ ଦିହଟାର ଓଜନ, ମାଲିକର ଓଜନ, ପୁଣି ଜିନିଷପତ୍ର-ମାଲିକର ଓଜନିଆ ମାଲପତ୍ର–ସବୁତକ ସେଇ ବୁଦ୍ଧିଆଟିର କାନ୍ଧ ଉପରେ ।

 

ବର୍ଷା ପରେ ଆସିଯାଏ ‘‘କୁଙ୍କୁରି କାଙ୍କୁରି ପୁଞ୍ଜିଏ’’ ର ଦିନ । କାର୍ତ୍ତିକ, ମାର୍ଗଶିର, ପୌଷ ଆଉ ମାଘ ମାସ ଆଡ଼େ ଶୀତ । ସମସ୍ତେ ତ ଅଳ୍ପ ବହୁତେ ଘୋଡ଼ାଘୋଡ଼ି ହୋଇ କୁଙ୍କୁରି କାଙ୍କୁରି । କିନ୍ତୁ ବୁଦ୍ଧିଆ ବଳଦର ବାପମାଆ କେହି ନାହିଁ । କୋହଲା ପାଗ ଉପରେ ବେଳେ ବେଳେ ଝଡ଼ିବର୍ଷା ଓ କାଦୁଅ ପଚ ପଚ । ସବୁ ମାଡ଼ ବୁଦ୍ଧିଆ ଉପରେ । ଚୁନି ମିଆଁ ମାଲିକ ତା’ର ମାଆ–ବାପ, ଯାହା ତା’ ଦୟା ।

 

ମିଆଁଙ୍କ ସାନପୁଅର ନାଆଁ–ସମସର୍‌ ଅଲି, ସାନ ପିଲା । କିଛି ସେ କରିପାରୁକି ନ ପାରୁ ବୁଦ୍ଧିଆର ଦୁଃଖ ସେଇ ଏକା ବୁଝେ । ସେ ଯେତେବେଳେ ପାଞ୍ଚ ଛଅ ବର୍ଷର ପିଲା, ଠିକ୍‌ ସେତିକିବେଳକୁ ବୁଦ୍ଧିଆଟି ବଳଦପଣିଆ କରିବା ପାଇଁ ଏଙ୍କ ଘରକୁ କିଣା ହୋଇ ଆସିଲା, ସେ ପିଲାକୁ ଇଏ ପିଲା । ବେଳେବେଳେ ପାଖକୁ ଆସି ବୁଦ୍ଧିଆକୁ ସେ ଆଉଜି ପଡ଼େ, ଆଉଁସି ଦିଏ । ତା’ ପିଠି ଉପରକୁ ଚଢ଼ି ବସିପଡ଼େ, ତା’ କାନ ଦିଇଟାକୁ ଧରି ଖେଳେ । ବୁଦ୍ଧିଆ ତାକୁ ଶିଙ୍ଗ ଉଠାଏ ନାହିଁ କି ନାତ ମାରେ ନାହିଁ । ସିଏ ତ ଏ ଘରର ସଭିଙ୍କ ଉତ୍ସାହ ମମତା ବୁଝେ । ରାତି ଦଶଟାଯାକେ ତାଆରି ଫେରନ୍ତା ବାଟକୁ ସମ୍‌ସର୍‌ ଅନାଇ ବସିଥାଏ । ଶଗଡ଼ ଫେରିଲେ ବୁଦ୍ଧିଆ ଯୁଆଳି ତଳୁ ମୁକ୍ତି ପାଏ । ସିଏ ପୁଣି କି ମୁକ୍ତି ? ଶଗଡ଼ ଯୁଆଳିତଳୁ ଭିତରକୁ ନିଆଯାଏ । ବେକର ପଘାଟା ଯୁଆଳି ବଦଳରେ ଖୁଣ୍ଟରେ ବନ୍ଧାଯାଏ । ହେଲେ ବି ତା’ ଦୁଃଖର ଅପେକ୍ଷାକୃତ ପରିବର୍ତ୍ତନ-। ଛଅ ସାତ ଘଣ୍ଟା ପାଇଁ ବନ୍ଧନ ଭିତରେ ବିଶ୍ରାମ ମାତ୍ର ସେତିକିବେଳକୁ ପହଞ୍ଚିଯାଏ ସମ୍‌ସର୍‌-‘‘ମୋ ବୁଦ୍ଧିଆରେ’’ ବୋଲି ସେ ଇଆ ପିଠି ଉପରକୁ ଆଉଜି ପଡ଼ି ବେକରେ ଝୁଲେ । ଖାଇବା ପାଇଁ ପାଟିରେ ପୂରାଇ ଚୋବାଉଥିବା ପାଳଗୁଡ଼ିକ ବୁଦ୍ଧିଆର ଖସିପଡ଼େ ବିକଳରେ ନୁହେଁ–ସ୍ନେହରେ । ସମ୍‌ସର୍‌ର୍‌ ହାତକୁ ସେ ଆଦରରେ ଚାଟେ । ଏଇ ହେଲା ଚତୁଷ୍ପଦ ଓ ଦ୍ୱିପଦ ଜୀବ ଦୁଇଟିର ଆନ୍ତରିକ ଐକ୍ୟ ଏବଂ ସେତିକିରେ ଉଭୟଙ୍କର ଆନନ୍ଦ ଓ ସାନ୍ତ୍ୱନା ।

 

ବୁଦ୍ଧିଆ ହେଲା ଏ ଘରର ପୋଷଣକାରୀ ଜୀବ । ବାହାରି ଅକ୍ଳାନ୍ତ ପରିଶ୍ରମରୁ ହିଁ ଏ ଘରକୁ ପଇସା ଆସେ । ପଇସାରୁ ଆସେ ଚାଉଳ, ଡାଲି, ପନିପରିବା, ଦୁଧ, ମାଛ, ଅଣ୍ଡା, ମୁରଗୀ ସବୁଯାକ । ତାଆରି ରୋଜଗାର ପଇସାରେ ସମସ୍ତଙ୍କର ଲୁଗାପଟା, କୁର୍ତ୍ତାଜାମା, ସବୁ ଜିନିଷ । ତାଆରି ଉପାର୍ଜନରେ ଦି’ ଦିଇଟା ପୁଅ ପିଲା ପାଠ ପଢ଼ି ମଣିଷ ହେଉଛନ୍ତି । ତାଆରି ରୋଜଗାର ପଇସାରେ ଦି’ ଦିଇଟା ଝିଅ ଏ ଘରୁ ବିଭା ହୋଇ ପରଘରକୁ ଗଲେଣି । ଆଉ ହେଇଟି, ତାଆରି ଶ୍ରମ-ଦୁଃଖାର୍ଜିତ ଭଡ଼ା ଅର୍ଥରେ ସମ୍‌ସର୍‌ ଆଜି ଆଇ : ଏ : ପାସ କରି ବି : ଏ : ପଢ଼ୁଛି ।

 

ବେଳେ ବେଳେ ସମ୍‌ସର୍‌ ଭାବେ–ସତେ ତ ! ଠିକ୍‌ ଏଇଥିପାଇଁ ବୋଧହୁଏ ଲୋକେ ଏ ଜାତିକୁ ଦେବତା ବୋଲି କହି ବୁଲୁଚନ୍ତି ହେ ! ଗାଈର ଦୁଧ ଆଉ ବଳଦର ଶ୍ରମ ଉପରେ ମଣିଷ ପିଲାର ଜୀବନ ଓ କୃଷି ନିର୍ଭର କରୁଚି । ମାଲପତ୍ର ନେବା ଆଣିବା ଓ ନିଜେ ଯିବା ଆସିବା ପାଇଁ ତାକୁ ହିଁ ସମ୍ବଳ କରୁଥିଲା ମଣିଷ ଜାତି । ତାଆରି ମଳମୂତ୍ର ମଣିଷର ଶସ୍ୟକ୍ଷେତ୍ରକୁ ବଳ ଦିଏ, ଶକ୍ତି ଦିଏ, କୃଷି ବର୍ଦ୍ଧିତ କରାଏ । ଫଳପ୍ରସ ଭୂଇଁ ମାଆର ଉପ୍ତାଦିକା ଶକ୍ତି ତାଆରି ଉପରେ ନିର୍ଭର କରେ । ସଭ୍ୟତାର ଧନଜୀବନ ଓ ଗୌରବର ଯଥାର୍ଥ ପରିପୃଷ୍ଟ ସାଧନ କରିଥାଏ ଠିକ୍‌ ଏଇ ଜାତିର ଜୀବ । ସମ୍‌ସର୍‌ ବି. ଏ. ପଢ଼ୁଛି । ସେ କଲେଜକୁ ବାହାରି ପଡ଼ିବାର ଦୁଇ ତିନି ଘଣ୍ଟା ପୂର୍ବରୁ ଏକବଳଦିଆ ଗାଡ଼ିଟିକୁ ଭିଡ଼ି ନେଇ ବୁଦ୍ଧିଆ ବାହାରିଯାଏ, ଚୁନି ମିଆଁ ବୁଢ଼ା ହେଲାଣି ଏବଂ ବୁଦ୍ଧିଆ ବି ବୁଢ଼ା ହୋଇ ଆସିଲାଣି । ଶଗଡ଼ ଚଳାଇବା ପାଇଁ ମିଆଁ ଏବେ ରଖି ନେଇଛି ଜଣେ ମୂଲିଆ । ନାଆଁ ତାର ମକ୍‌ବୁଲ୍‍ । ତାଆରି ଦୟା ଉପରେ ବୁଦ୍ଧିଆ ନିର୍ଭର କରୁଚି ଏବେ । ଶଗଡ଼ଟଣାରେ ଦିନକୁ ଯାହା ରୋଜଗାର ହୁଏ ସେଥିରୁ ଭାଗ ନିଏ ମକ୍‌ବୁଲ୍‌, ବେଶି ପଇସା ପାଇବା ପାଇଁ ସେଇ ମକ୍‌ବୁଲ୍‌ ବେଶି ମାଲବାଲା ମାଲିକ ବାଛେ । ଗାଡ଼ି ଉପରେ ଜବର ବୋଝ ଲଦି ବଳଦକୁ ମାଡ଼ି ଚଢ଼ାଏ । ଖାଇବା ପିଇବାକୁ ବି ମକ୍‌ବୁଲ୍‌ ତାକୁ ହେଳା କରେ ଓ ଊଣା କରି ଫାଇଦା ଉଠାଏ । ଧୀରେ ଧୀରେ ବୁଦ୍ଧିଆର ତାକତ କମିଯାଉଚି । ସେ ଗାଡ଼ି ଚଳାଇବାର ବର୍ଷେ ଦେଢ଼ବର୍ଷ ଭିତରେ ବୁଦ୍ଧିଆ ପୂରା ଦମ୍‌ରେ ଦୁର୍ବଳିଆ ହୋଇପଡ଼ିଲା । ତା’ପରେ ଆସିଗଲା ‘ସାଲୁରୁ ବାଲୁରୁ’ ଦିନ । ଧାରା ଶ୍ରାବଣର ମୁଷଳ ଧାରା । ଠିକ୍‌ ତାଆରି ଭିତରେ ଦିନେ ମକ୍‍ବୁଲ୍‌ ମଧୁପାଟଣାରୁ ଲୁହ ଲକ୍‌ଡ଼ ବୋଝ ଶଗଡ଼ରେ ଲଦି ଲିଙ୍କରୋଡ଼ ବାଟେ ଶଗଡ଼ ଅଡ଼ାଉଚି । ଓଜନିଆ ବୋଝ ଟାଣି ଚାଲି ନ ପାରିବାରୁ ମକ୍‌ବୁଲ୍‌ ବଳଦ ଉପରେ ପାଏଁ ପାଏଁ ପାଞ୍ଚଣ ମାଡ଼ି କସିଦେଉଚି, ପିଠି ପିଚା ଆଉ ମୁହଁ, ଥୋମଣି କୌଣସିଟି ବାଦ ଯାଉ ନାହିଁ । ସୁଉ ସୁଉ ପବନଟା ବୋଝେଇ ଶଗଡ଼ଟାକୁ ରାସ୍ତାକଡ଼କୁ ଠେଲି ପକାଉଚି । ଦେଖୁ ଦେଖୁ ଝଙ୍କାଳିଆ ପବନଟା ଶଗଡ଼ ଖଣ୍ଡକୁ ଠେଲିନେଇ ରାସ୍ତାକଡ଼କୁ ଓଲଟାଇ ପକାଇଲା । ଉପରେ ତ ବୋଝ, ପାଦତଳେ କାଦୁଅପାଣିରେ ଆଣ୍ଠୁତଳ ଯାକେ ଗଳିପଡ଼ୁଚି । ସମ୍ଭାଳି ନ ପାରି ବୁଦ୍ଧିଆ ପେଲି ହୋଇଗଲା । ଆଗିଲି ପିଛିଲି ଗୋଡ଼ ଦୁଇଟା ତା’ର ସଡ଼କକଡ଼ର ଇଟା ସିମେଣ୍ଟ ନାଳ ଭିତରେ ଗଳିପଡ଼ିଲା । ଲୁହାବୋଝ ଓ ଶଗଡ଼କୁ ମିଶେଇ ବୁଦ୍ଧିଆ ତାଆରି ତଳେ ଓଲଟି ପଡ଼ି କଚାଡ଼ି ହୋଇଗଲା, ଏଣେ ବେକଯୁଆଳି ତଳେ ତଣ୍ଟି ଚିପି ହୋଇଯାଉଚି ଓ ତେଣେ ନଳା ଭିତରେ ଗୋଡ଼ ଦୁଇଟାର ନଳିହାଡ଼ ମଡ଼ ମଡ଼ ଭାଙ୍ଗି ଚୂନା ହୋଇଗଲା ।

 

ମକ୍‌ବୁଲ୍‌ର ପାଟି ଶୁଣି ପାଖ ଆଖ ଲୋକେ ଧାଇଁ ଆସିଲାରୁ ବୁଦ୍ଧିଆର ଜୀବନଟା ରହିଗଲା । ଖବର ପାଇ ଚୁନି ମିଆଁ ଆସିଲେ ଏବଂ ସମ୍‌ସର୍ ଆସିଲା । ବର୍ଷାରେ ତିନ୍ତିବୁଡ଼ି, ସମ୍‌ସର୍‌ ବୁଦ୍ଧିଆ କଡ଼କୁ ବସିପଡ଼ି ତା’ ମୁହଁଟାକୁ କୋଳକୁ ଭିଡ଼ିନେଲା–ମତେ କିଏ ବି. ଏ. ପାସ କରେଇବ କିରେ ? ମତେ ତୁଇ ବଞ୍ଚେଇ ମଣିଷ କରିଚୁରେ ବୁଦ୍ଧିଆ । ମରିବାଯାକେ ମୁଁ ତୋ’ ଋଣ ସୁଝି ପାରିବି ନାଇଁରେ ବୁଦ୍ଧିଆ ? କେମିତି ତୁ ଭଲ ହେବୁରେ ବୁଦ୍ଧିଆ ? ନିଜେ ତୁ ଜୀବନଟାଯାକ କଷ୍ଟ ସହି ସହି ଆମ ବଉଁଶଟାକୁ ତୁଇ ବଞ୍ଚେଇ ରଖିଚୁରେ ବୁଦ୍ଧିଆ ! ଆଲ୍ଲା ତୋତେ ଭଲ କରି ଦିଅନ୍ତୁ ରେ ବୁଦ୍ଧିଆ ।

 

ଉଠାଉଠି କରି ଶଗଡ଼ ଖଣ୍ଡିକରେ ତାକୁ ଗୁହାଳକୁ ଅଣାଗଲା । ଡାକ୍ତର ତାକୁ ଦେଖିଯାଇ କହିଲେ–ବୁଦ୍ଧିଆର ଗୋଡହାଡ଼ ଆଉ ଯୋଡ଼ି ହବ ନାହିଁ । ବାପପୁଅ ଭିତରେ ବଚସା ଆରମ୍ଭ ହୋଇଗଲା । ନିତି ପ୍ରତିର ଘଟନା ଇଏ । ଚାଲିଲା କେତେ ଦିନ । ବାପ କହେ–ମୁଁ ତ ହେଲି ଗରିବ ଲୋକ, ଏ ଅକର୍ମାଟାକୁ ବଞ୍ଚାଇ ରଖିବି କେମିତି ? ଆଉ ବା କାହିଁକି ?

 

ପୁଅ କହେ–ମୁଁ ତାକୁ ପିଲାଟିଦିନୁ ଦେଖୁଚି–ସେ ଆମ ସମସ୍ତଙ୍କୁ ପୋଷିଛି, ପାଳିଛି । ତାକୁ କଅଣ ଆମେ ସମସ୍ତେ ମିଶି ପୋଷି ପାରିବା ନାହିଁ କେମିତି ହେଲେ ? ତା’ର ଗୋଡ଼ ଦୁଇଟା ଅକର୍ମା ହୋଇଗଲା ବୋଲି ଆମେ କଅଣ ଏଡ଼େ ଅମଣିଷ ହେଲୁଁ ? ଆଲ୍ଲା କଅଣ ତୁମକୁ, ଆମକୁ ଦୟା ମାୟା ବୋଲି କିଛି ଶିଖାଇ ନାହାନ୍ତି ?

 

ଶେଷକୁ ସମସର୍‌ କଥା ରହିଲା ନାହିଁ । ଏ ଘରେ ବାପ ହେଲେ କର୍ତ୍ତା । ଦିନେ ସେ ସମସର୍‌ ନ ଥିବା ବେଳେ ଶହେଟା ଟଙ୍କାକୁ କଂସେଇକି ବିକିଦେଲେ । ସମସର୍‌ ଘରକୁ ଫେରି ସବୁକଥା ଟଙ୍କାକୁ କଂସେଇକି ବିକିଦେଲେ । ସମସର୍‌ ଘରକୁ ଫେରି ସବୁକଥା ଶୁଣି ଉତ୍ତେଜିତ ହୋଇ ଉଠି କହିଲା–ସାମାନ୍ୟ ଶହେଟା ଟଙ୍କା ପାଇଁ ବୁଦ୍ଧିଆକୁ ତୁମେ ବିକିଦେଲ–କଂସେଇ ହାତରେ ? ସେ ତାକୁ ନେଲା ତ କାଟିଦେବ । ତା’ ମାଂସ ବିକିବ, ତାଠୁ କିଣିଆଣି ତୁମେ ଆମେ ବି ଖାଇବା । ଇଆ ଆଲ୍ଲା, ଆମ ସମସ୍ତଙ୍କୁ ସେ ପୋଷି ପାଳି ମଣିଷ କରୁଥିଲା । ଶେଷକୁ ଆମେ ହିଁ ତା’ ମାଉଁସ ଖାଇ ପେଟ ପୂରେଇବା ? ତୁମେ ଥାଅ ବାପା, ମୁଁ ଯାଉଚି ।

 

ଉତ୍ତେଜିତ ଭାବେ ସମସର୍‌ ଘରୁ ବାହାରିଗଲା । ଯେତେ ଯିଏ ଡାକିଲେ ଶୁଣିଲା ନାହିଁ ଲେଉଟିଲା ନାହିଁ । ଦି’ ଦିନ ପରେ–ଦିନ ନଅଟା ଦଶଟା ହେବ, ବକ୍‌ସିବଜାର ଆଡ଼ୁ କିଲ୍ଲା ଆଡ଼କୁ ଚାଲିଛି ସମସର୍‌ । ଭୋକ ଉପାସରେ ବାଇବାତୁଳ ପରି ମନକୁ ମନ ବକ୍‌ ବକ୍‌ ହୋଇ ଚାଲିଛି । କହୁଚି–ଏଇମାନେ କହୁଚନ୍ତି-ଯନ୍ତ୍ରପାତି ଓ କଳକବ୍‌ଜାକୁ ନେଇ ସଭ୍ୟତାର ଚକକୁ ଆଗକୁ ଗଡ଼େଇବେ । ଆଜିକାଲିର ଦିନରେ ପ୍ରଧାନମନ୍ତ୍ରୀ ଶଗଡ଼ ଗାଡ଼ିରେ ଚଢ଼ି ଦିଲ୍ଲୀ ସହରର ସବଦରଜଙ୍ଗଠାରୁ ରାଷ୍ଟ୍ରପତି ଭବନଯାକେ କହୁଛନ୍ତି–ଇଏ କଅଣ, ବୃଥା ପ୍ରଦର୍ଶନୀ ଯାତ୍ରା ମାତ୍ର ? ଆଜି ପେଟ୍ରୋଲର ଅଭାବ, କୋଇଲାର ଅଭାବ, ଇଲେକ୍‌ଟ୍ରିକ୍‌ର ଅଭାବ, ଲୁହାର ଅଭାବ, ତେବେ କେଉଁ ବଳରେ ସଭ୍ୟତା ଆମକୁ ବଞ୍ଚାଇ ରଖି ବାଟ ଚଳାଇବ ହେ ?

 

ହଠାତ୍‌ ଗୋଟିଏ ଚିଲ ଘାଉଁକିନା ଉଡ଼ିଆସି ତାଆରି ସାମନାରେ ବସି ପଡ଼ିଲା । ଥଣ୍ଟରେ ତାର ମୋଟା ହାଡ଼ରୁ ଖଣ୍ଡେ ଓ ପୁଳାଏ ନାଲିଆ ମାଉଁସ । ଅଦୂରରେ ଥିବା ଶିଳ୍ପ ଡିରେକ୍‌ଟରଙ୍କ ଉଞ୍ଚାକୋଠା ଛାତ ଉପରେ ବସି ପଡ଼ିଛନ୍ତି, ଦଶ ପନ୍ଦରଟା ଚିଲ ଶାଗୁଣା । ତା’ର ଆରପଟକୁ ଗୋମାଂସ ବିକା କିଲ୍‌ଖାନା । ସେପଟକୁ ଷ୍ଟାଡ଼ିଅମ୍‌ ଓ ବଡ଼କୋଠା ଘରଟାଏ । ଘରଟା ହେଲା ଜଣେ ବାବୁଙ୍କ ପ୍ରାସାଦ । ଷ୍ଟାଡ଼ିୟମ୍‌ ତୋଳାଯିବାର ପରେ ପରେ ହୁଏତ ଏ ଘରଟା ତୋଳା ଯାଇଛି । ବହୁ ଅର୍ଥ ବ୍ୟୟରେ କେବଳ ସେଇ ଘରଟିକୁ ବୋଧହୁଏ କଟକ ମ୍ୟୁନିସିପାଲିଟି ଗଭୀର ପାଣିପୋତି ରାସ୍ତାଟିଏ ତିଆରି କରିଚି । ସମସର୍‌ ତଳେ ବସିରହି ଭାବିଲା–ହେଇଟି ହୁଏତ ମୋହରି ବୁଦ୍ଧିଆର ମାଉଁସରୁ ପୁଳା ପୁଳା କରି କିଣିନେଇ ଯାଉଚନ୍ତି ଲୋକ କେହି କେହି । ପୋଷଣା–ହାରୀ ବନ୍ଧୁଟା ସାଙ୍ଗରେ ଆଉ ଦେଖା ହେବ ନାହିଁ । ଯିଏ ସାରା ଜୀବନ ଆମକୁ ପୋଷୁଥିଲା, ଶେଷକୁ ତାଆରି ମାଂସହାଡ଼କୁ ବିକିଦେଇ ଆମେ କୃତଜ୍ଞତାର ଶେଷ ନିଦର୍ଶନ ଦେଖାଇଲୁ ହେ ?

 

ଚିଲ କେତୁଟା ମୁଣ୍ଡ ଉପରେ ଚକ୍‍କର୍‌ ଦେଇ ଉଠୁଛନ୍ତି ଓ ଗୋଟାକର ଥଣ୍ଟରୁ ପୁଳାଏ ମାଉଁସ ସମସର୍‌ ସାମନା ଉପରେ ନାଥୁକିନା ଖସି ପଡ଼ିଲା । ଚମକି ଉଠିଦ ସମସ୍‌ର କିଲ୍ଲା ଆଡ଼କୁ ପଳେଇଗଲା । ସତେ କି ତାଆରି ପଛେ ପଛେ ବୁଦ୍ଧିଆର ଅନ୍ତରାତ୍ମା ଗୁମୁରି ଗୁମୁରି କାନ୍ଦି ଜଣାଉଚି–ମୁଁ ମରିଗଲି ରେ ସମସର୍‌ । ମୋର ଗଳାଟାକୁ ମାଡ଼ିବସି କାଟି ପକାଇଲା ରେ ! ମୋ ଦେହରୁ ଚମଡ଼ା କାଢ଼ି ଚୋଟ ଚୋଟ କରି ହାଣି ଖଣ୍ଡ ଖଣ୍ଡ କଲେ ରେ ! ମୋରି ହାଡ଼ମାଉଁସକୁ ବିକୁଚନ୍ତିରେ ସମସର୍‌ ! ତୁହି ଏକା ଥିଲୁ ମୋର ଦରଦୀ ବନ୍ଧୁରେ ସମସର୍‌ ଭାଇ ! ସ୍ୱାର୍ଥସର୍ବସ୍ୱ ଦୁନିଆର ମମତାର ମୂଲ୍ୟ କିଏ ଦବରେ ବନ୍ଧୁ ?

Image

 

ସୁରମାର ଭାଉଜ

 

ହାଣ୍ଡି ମିଠା କଖାରୁ ଚାଖି–ରାତିକି ଭାଳିବ ସପନ ଦେଖି, ସରୁ ଗଳି ଭିତରେ ପରିବା ବାଲା–ଡାକି ଚାଲିଯାଉଚି ।

ହାଣ୍ଡି ମିଠା କଖାରୁ ଚାଖି

ଭାଳୁଥିବ ଏକା ସପନ ଦେଖି ।

ଗଳି ରାସ୍ତାରୁ ବାହାରି ସରୁଆ ଗଳିଟି ଗୋଟାଏ କଡ଼କୁ ପଶିଯାଇଚି । ଭିତର ଆଡ଼କୁ ଚାରି ପାଞ୍ଚ ବଖରାର ଭଡ଼ା ବସାଘର । ନୂଆ ହୋଇ କୁଟୁମ୍ବଟିଏ ଘର ଭିତରକୁ ଆସି ବସା କରି ରହିବାର ଅଳ୍ପ କେତେ ମାସ ହେଲା । ବାପାମାଆ ଦିଓଟି ବୁଢ଼ା–ବୁଢ଼ୀ । ପୁଅଟିଏ, ଝିଅଟିଏ । ବୟସରେ ତିରିଶ ହେବ ଓ ପଚିଶି ହେବ । ପୁଅଟି ଏବେ ବି ଅବିବାହିତ । ଝିଅଟିର ଦୁଇଟି ଛୁଆ । ଝିଅଟିଏ ବଡ଼–ଦଶ ଏଗାର ବର୍ଷର ହେବ । ସାନ ଛୁଆଟି ପୁଅ–ବୟସ ସାତ ବର୍ଷ ପ୍ରାୟ ।

ସୁରମା ହେଲା ସେଇ ବିବାହିତା ଝଅଟି । ଅଳ୍ପ କିଛି ପଢ଼ିବାର ସୁଯୋଗ ପାଇଥିଲା ମାତ୍ର । ବାପା ଜଣେ ଉଚ୍ଚକୋଟିର ସ୍ୱଦେଶପ୍ରେମୀ । ସେ ସମୟର ପୂର୍ବବଙ୍ଗରୁ ସେ ପରିବାରଟି ସବୁ ଛାଡ଼ି ଛୁଡ଼ି ଦେଇ ପଳାଇ ଆସିଚନ୍ତି । ସଂଗ୍ରାମମୟ ଜୀବନ କେତୋଟିଙ୍କୁ ସମ୍ବଳ କରି ବୃଦ୍ଧ କେତୋଟି ବର୍ଷ ଏ ଅଞ୍ଚଳରେ କୁଟୁମ୍ବ ପରିପୋଷଣ କଲା ପରେ ହଠାତ୍‌ ଦିନେ ଅସୁସ୍ଥ ହୋଇପଡ଼ିଲେ । ସେଇଦିନୁ ସେ ପକ୍ଷାଘାତ ରୋଗଗ୍ରସ୍ଥ–ପଙ୍ଗୁ । ବଡ଼ପୁଅଟି ଅଳ୍ପ କିଛି ପଢ଼ୁଥିଲା । ଛାଡ଼ିଛୁଡ଼ି ଦେଇ ଜୀବନ ସଂଗ୍ରାମ ପାଇଁ ଧନୁ ଧରିଚି । ଚିନ୍ତାରେ ବୃଦ୍ଧା ମାଆ ଏକ ପ୍ରକାର ଅଚଳା । ତେତେବେଳକୁ ସୁରମା ଝିଅଟିଏ ମାତ୍ର ଥିଲା । ବହୁ କଷ୍ଟରେ ଖୋଜି ଖୋଜି ବୃଦ୍ଧ ଭଦ୍ରଲୋକ ତାକୁ ପାତ୍ରସ୍ଥା କରିଦେଇଥିଲେ ଯେ, ‘‘ଅଭାଗା ଯେ ଦିକେ ରାୟ–ସାଗାର ସୁକିଏ ଯାଏ’’ । ଯେଉଁ ଡାଳ ଧରିଲେ ସେ ଡାଳଟି ଭାଙ୍ଗି ପଡ଼ୁଚି । ଝିଅଛୁଆଟି ତାର ମାତ୍ର ୩/୪ ବର୍ଷର ହୋଇ ଯାଇଥାଏ ଏବଂ ସୁରମାର ପେଟରେ ଆର ଛୁଆଟି ପ୍ରାୟ ଅଙ୍କୁରୋଦ୍‌ଗମ ହୋଇଥାଏ । ଠିକ୍ ଏତିକିବେଳେ ଜୋଇଁ-ପିଲାଟିର ଚାକିରି ଚାଲିଗଲା । ବିକଳରେ ସୁରମା ଭାଇଙ୍କ ପାଖକୁ ଚିଠି ଲେଖି ସବୁ କଥା ଜଣାଇଦେଲା–ଆଉ ଏଠି ଚଳି ପାରିବି ନାହିଁ ।

ଛୋଟ ଭଡ଼ାଘରଟି ଭିତରେ ବାପା, ମାଆ ଓ ପୁଅଟି ହିସାବ କରି, ବିଚାର କରି ଠିକ୍‌ କଲେ, ଯାହା କିଛି କଷ୍ଟ ହେଉ ପଛକେ ସୁରମା ଓ ତା’ ଛୁଆଟିକି ଆଣି ଆଶ୍ରୟ ଦେବାକୁହିଁ ପଡ଼ିବ । ସେଇଦିନୁ ସୁରମା ଚାଲି ଆସିଚି ଏବଂ ଅଳ୍ପ କିଛି ରୋଜଗାର କରୁଥିବା ଭାଇଟିର ଆଶ୍ରୟ ନେଇ ରହିଚି । ହତଭାଗ୍ୟ ଭଉଣୀ ଓ ଭାଣିଜୀଟିର ଏକମାତ୍ର ଆଶ୍ରୟସ୍ଥଳ ହେଲା ଶଯ୍ୟାଶାୟୀ ବାବା ଓ ଅର୍ଥବା ମାଆ ବୁଢ଼ୀ ଏବଂ ନଳିନୀ ଭାଇର ଛୋଟ ବସା ଘର ଖଣ୍ଡକ । ସେଇ ଘରେ ସୁରମାର ପୁଅଟି ଜନ୍ମ ହୋଇ ଆଜି ପ୍ରାୟ ସାତ ଆଠ ବର୍ଷ ବଢ଼ିଚି । ବାପାକୁ ସେ ଜାଣେ ନାହିଁକି କେବେହେଲେ ଦେଖି ନାହାନ୍ତି । ବାପା ତାର ବୃଦ୍ଧ ମହାଶୟ । ମାମୁଁ ତାର ସର୍ବସ୍ୱ ମାତ୍ର । ସୁରମାର ଛୁଆ ଦୁଇଟିର ନାଁଆ-ରେଣୁକା ଓ ମଦନ ।

ବହୁ ଦିନ ହେଲା ସେମାନେ ଖଣ୍ଡେ ଚଳନ ସହି ଭଲ ଭଡ଼ା ବସା ଖୋଜି ହେଉଥିଲେ ଏବଂ ଅଳ୍ପ କେତେ ଦିନ ହେଲା ଏଠାରେ ଖଣ୍ଡେ ଘର ପାଇଯାଇ ଭାଗ୍ୟକୁ କୃତ୍ୟ କୃତ୍ୟ ମନେ କରୁଚନ୍ତି । ବାପା, ମାଆ କହୁଚନ୍ତି–ଏଥର ନଳିନୀକୁ ବିଭା କରିବା କଥା । ମାତ୍ର ନଳିନୀ ଧରି ବସିଚି–ନାଁ, ନାଁ ମୁଁ ବିଭା ହେଲେ ଘରେ ବିଭ୍ରାଟ ଘଟିବ । ସୁରମା ଚଳି ପାରିବ ନାହିଁ । ସୁରମା କହିଲା–ତୁମର ବୟସ ହେଲା ଏବଂ ଏଥର ତୁମକୁ ସଂସାର କରିବାକୁ ପଡ଼ିବ । ବାପା ମାଆଙ୍କ ଦିନକାଳ ପ୍ରାୟ ସରି ଆସିଲା । ଦରକାର ପଡ଼ିଲେ ମୋ ଭାଗ୍ୟକୁ ଘେନି ମୁଁ ବିଦାୟ ନେଇଯିବି । ନଳିନୀ ପଚାରେ–ଏକଥା ଭାଗ୍ୟକୁ ଘେନି ମୁଁ ବିଦାୟ ନେଇଯିବି । ନଳିନୀ ପଚାରେ–ଏକଥା କେମିତି ତୁ କହୁଚୁ ? ବୋହୂ ହୋଇ ଯେଉଁଟି ଏ ଘରକୁ ଆସିବ-ସେ ତ କଥା କଥାକେ ଅପମାନ କରିଦେବ । ଚବିଶ ଘଣ୍ଟା ଭଟ ଭଟ ଲାଗିବ । ତୋର କେଉଁଠି କିଏ ଅଛିଲୋ, କେଉଁ ଆଡ଼େ ଯିବୁ-? ସୁରମାର ଆଖିରୁ ଲୁହଧାର ଝରିପଡ଼େ । ପଣନ୍ତରେ ସେ ପୋଛି ପକାଇ ହୃଦୟର ଜ୍ୱାଳାକୁ ସେ ଭିତରେ ଭିତରେ ଚାପିନିଏ । କହେ–ମୋ ପାଇଁ ଭଗବାନ୍‌ ନିଶ୍ଚୟ ଆଶ୍ରୟ ଦେବେ । ଆଉ ଏ ଛୁଆ ଦିଓଟିଙ୍କି ଯିଏ ଜନ୍ମ ଦେଇଚନ୍ତି ସେ କଅଣ କୋଳ ଦେବେ ନାହିଁ ?

 

ଶଯ୍ୟା ଉପରେ ଅଚଳ ଅବସ୍ଥାରେ ପଡ଼ିରହି ବୃଦ୍ଧ ଶେଯ ଲେଉଟାଇ ଆଖିରୁ ଲୁହ ଗଡ଼ାନ୍ତି । ମାଆ ଦୀର୍ଘ ନିଃଶ୍ୱାସକୁ ଛାତି ଭିତରେ ଚାପିନେଇ କବାଟ ଉଢ଼ୁଆଳରେ ଲୁଚିଯାଆନ୍ତି । ସୁରମା ମନେ ମନେ ଭାବେ–ବାପା ଯଦି ଭଲ ଥାଆନ୍ତେ, ତେବେ ହୁଏତ ମୋତେ କିଛି ଦୂର ପଢ଼ାଇ ନେଇ ପାରିଥାଆନ୍ତେ । ତେବେ ହୁଏତ ଆଜି ମୁଁ ଅଳ୍ପେ ବହୁତେ ଆତ୍ମନିର୍ଭରଶୀଳା ହୋଇ ପାରିଥାଆନ୍ତି ।

 

ମୋ ବୋଝରୁ ମୁକ୍ତ ହେବା ପାଇଁ ସେ ମୋତେ ବିଭା ଦେଇ ଯେଉଁ ଭୁଲ୍‌ଟି କରି ବସିଲେ, ଏ କଥାଟି ମୋ ଭାଗ୍ୟକୁ ହୋଇ ବସିଲା–ବେତ ଉପରେ କୋରଡ଼ା ପରି । ଦୁଇଟି ଅସହାୟ ସନ୍ତାନର ବୋଝ ମୋରି ଉପରେ ଲଦିଦେଲେ ମୋର ସ୍ୱାମୀ । ସେ ପୁଣି ଆଜିକି ସାତ ବର୍ଷ ହେଲା । ମୋ ବିଷୟରେ ପୂରାପୂରି ନୀରବ । ଏହା ହେଲା ତାଙ୍କର ଦାୟିତ୍ୱ । ତଥାପି ଭାଇ ତ ପୁଣି ବିଭାଚାରା ହେବେ ଏବଂ ଘରସଂସାର କରି ରହିବେ ! ମୁଁ କିଆଁ ତାଙ୍କ ଗୋଡ଼କୁ ବେଡ଼ି ହୋଇ ରହିବି ?

 

ସେ ଭାଇଙ୍କି ଡାକି କହିଲା–ଭାଇ, ତୁମେ ବିବାହ କର । ହୁଏତ ମୁଇଁ ତୁମ ପାଇଁ କନ୍ୟା ଠିକ୍‌ କରିଦେବି । ଆଉ ଜାଣିରଖ, ଯେତେ ଯାହା ହେଉ, ଯେତେବେଳେ ଯାହା ଘଟିଯିବାର ଘଟିବ ପଛକେ ମୁଁ ମୁଣ୍ଡ ନୁଆଇଁ ସବୁ କଥା ସହିଯିବି । ଦରକାର ପଡ଼ିଲେ ମୋ ଛୁଆଁ ଦୁହିଁଙ୍କି ଧରି ମୁଁ ଶୂନ୍ୟ ସଂସାରକୁ ଗୋଡ଼ କାଡ଼ି ଚାଲିଯିବି ପଛକେ ମୋ ପାଟିରୁ ପଦୁଟିଏ କଥା ତୁମେ କେବେ ଶୁଣିବ ନାହିଁ ଭାଇ ।

 

ସେଇ ସୁରମା ସରୁ ଗଳିଟି ଭିତରକୁ ବାହାରି ଆସି ପରିବା କିଣିବା ବାହାନାରେ ଗଳି ରାସ୍ତା କଡ଼କୁ ଛିଡ଼ା ହୋଇ ଅପେକ୍ଷା କରୁଚି । ପରିବା ବାଲାଟି ପରିବା ଟୋକେଇ ମୁଣ୍ଡାଇ ଡାକି ଡାକି ଆସୁଚି–

 

ହାଣ୍ଡିମିଠା କଖାରୁ ଚାଖି.....

 

ରାତିକି ଭାଳିବ ସପନ ଦେଖି ।

 

ମନ ଭିତରେ ଭାଳି ଦିବାସ୍ୱପ୍ନ ଭିତରେ ଆତ୍ମବିଭୋଳ ହୋଇପଡ଼ି ସୁରମା ଲୁହ ଗଡ଼ାଉଚି । ଏ ହୀନମାନିଆ ଦିନର ପରିଣତିଟି କଅଣ ?

 

ଡାକି ଡାକି ପରିବାବାଲାଟି ଚାହିଁ ଚାହିଁ ଚାଲିଗଲା । ଦୂରେଇ ଗଲା । ସୁରୁମା ସେଇଠି ସେମିତି ଠିଆ ହୋଇ ରହି ଚାହିଁ ଭାଳି ହେଲା–ସତକୁ ସତ ବାପା ତାକୁ ଜୀବନରେ ଥରେ ହାଣ୍ଡିମିଠା କଖାରୁ ଚଖେଇ ଦେଇଚନ୍ତି, ସେ ଜୀବନ ସାରା ଦୁଃଖସାଗର ଭିତରେ ଭାସି ଭାସି ସ୍ୱପ୍ନ ହିଁ ଦେଖି ଦେଖି ଚାଲିଚି । ସାରା ଦୁନିଆଟି ତାର ହାହାକାରମୟ ।

 

କେତେବେଳୁ ରେଣୁକାଟି ଆସି ତା’ ପଛକୁ ଲାଗି ଠିଆ ହୋଇପଡ଼ିଚି ଏବଂ ସାନପୁଅଟି ଆସି ହାତ ଧରି ଟାଣିବାକୁ ଆରମ୍ଭ କରିହେଲାଣି–ଆସ ମାଆ ଭିତରକୁ ।

 

X X X

 

ସୁରମା ନିଜେ ହିଁ ଏଣେ ତେଣେ ବୁଲି ଗୋଟିଏ ଭଦ୍ର ପରିବାର ଏବଂ ଗୋଟିଏ ସୁନ୍ଦର ଝିଅ ଠିକ୍‌ କରି ବାପାଙ୍କୁ କହିଲା–ଏଇ ଝିଅଟିକୁ ବୋହୂ କରି ଆଣ । ଭାଇ ନା’ ନା’ କରି ଶେଷକୁ ରାଜି ହୋଇଗଲା । ବିଭା ଦିନ ଠିକ୍‌ ହେଲା ଏବଂ ବିଭା ବି ହୋଇଗଲା । ନୂଆବୋହୂଟି ରାତି ଅଧକୁ ଆସି ଅଗଣା ଭିତରେ ଅଙ୍କା ହୋଇଥିବା ଅତି ସୁନ୍ଦର ଆଳିପଣା ଚିତାର ପଦ୍ମଫୁଲ ଉପରେ ଠିଆ ହୋଇପଡ଼ିଲା ବେଳକୁ ଶାଶୁ ଆସି ସୁନାର ଅଳଙ୍କାର ମାନ ବନ୍ଧାଇଲେ ଏବଂ ନିଜେ ଆସି ସୁରମା ତାକୁ ଫୁଲମାଳ ଦେଇ ବନ୍ଦାଇନେଲା ।

 

ବୋହୂଟିର ନାଆଁ ଆରତି । ଦେଖିବାକୁ ସୁନ୍ଦର, ରୂପ ମଧ୍ୟ ସୁନ୍ଦର । ତେତିକିବେଳେ ହୁଏତ ତା’ ମନ ଭିତରେ ଆଲୋଡ଼ନ ଖେଳିବାକୁ ଆରମ୍ଭ କଲା–ଏ ଘରର କର୍ତ୍ତ୍ରୀ ହେଲି ମୁଁ ଏବଂ ମୋ ସ୍ୱାମୀ ହିଁ ଏ ସବୁର କର୍ତ୍ତା । ଶାଶୁଶ୍ୱଶୁର, ନଣନ୍ଦ ଏବଂ ଭଣଜା ଭାଣିଜୀ ସମିସ୍ତେ ମୋର ଅତିଥି ଓ ପୋଷ୍ୟ ମାତ୍ର ।

 

ଧୀରେ ଧୀରେ ବିବାହର ଆଡ଼ମ୍ବର ଶେଷ ହୋଇ ଆସିଲା ଏବଂ ଧୀରେ ଧୀରେ ଆରତି ଏ ଘରେ ନିଜତ୍ୱ ବିସ୍ତାର କରିବାକୁ ଆରମ୍ଭ କଲା । ଅବାଧରେ ସମସ୍ତଙ୍କ ସଙ୍ଗେ ମିଳାମିଶା କଲା ଏବଂ ସ୍ୱାମୀ ସାଙ୍ଗରେ ବଜାରଘାଟ ଓ ସିନେମା ଥିଏଟର ବୁଲିଯିବାକୁ ଆରମ୍ଭ କଲା । ତେତେବେଳକୁ ନଳିନୀ କଣ୍ଟ୍ରାକ୍ଟରୀ ଦ୍ୱାରା ଭଲ କିଛି କିଛି ରୋଜଗାର କରିବାକୁ ଆରମ୍ଭ କରି ନେଇଥାଏ । ଆରତି ଧୀରେ ଧୀରେ ଟ୍ରଙ୍କ ଆଲମାରୀରେ ଚାବି ପକାଇ କାଠିପୁଳାକ କାନିରେ ବାନ୍ଧିବାକୁ ଆରମ୍ଭ କରିଦେଲା ।

 

ସକାଳ ହେଲା ତ ଶେଯ ଛାଡ଼େ ନାହିଁ–ଶୋଇରହେ । ସୁରମା ଚା’, ଜଳଖିଆ ଓ ରୋଷେଇବାସ, ବାସନକୁସନ ସବୁ କାମ କରିଯାଆନ୍ତି । ସବୁ ଦେଖି, ସବୁ ଶୁଣି ଆରତି ନିଜର ଅଇଁଠା ଥାଳିଟାକୁ ମଧ୍ୟ ଛାଡ଼ି ଦେଇ ଚାଲିଯାଏ । ‘‘ସାନପିଲା’’ ବୋଲି ଶାଶୁ ଓ ନଣନ୍ଦ ନିଜ ହାତରେ ଅକୁଣ୍ଠିତ ଚିତ୍ତରେ କରିନିଅନ୍ତି । କିଛି ଦିନ ପରେ ସେଇଆଡ଼ୁ ପ୍ରଶ୍ନ ଉଠିଲା–ସୁରମା ଓ ଛୁଆ ଦୁଇଟି, କେବେ ତାଙ୍କ ଘରକୁ ଯିବେ ? ନଳିନୀ କହିଲା–ଅଛନ୍ତି ତ ଅଛନ୍ତି, କିଛିଦିନ ଥାଆନ୍ତୁ । ଜୋଇଁଟିର କିଛି ଆୟ ନାହିଁ । ବଡ଼ କଷ୍ଟରେ ହୁଏତ ଚଳାଚଳ ହେଉଚି ।

 

ଆରତି–ତାଙ୍କ ସଂସାର ସେ ତୁଲାଇବେ ଆମର କି ଗଲା । ତମର ଆୟ ଏବଂ ତୁମର ସଂସାର ବର୍ତ୍ତମାନ ତୁମର ଏକା ନୁହଁ । ତୁମେ ଆୟକାରୀ ଏବଂ ମୁଁ ତୁମର ରକ୍ଷାକାରିଣୀ । ଆମର ବି ଭବିଷ୍ୟତ ଅଛି । ଛୁଆପିଲା ଅଛନ୍ତିଦ । ଦେଲା ନାରୀ ହେଲା ପାରି । ବାପା ତ ତାଙ୍କୁ ଦେଇ ଦେଇ ସାରିଚନ୍ତି । ଆମ ଘରେ ସେ କୁଣିଆ । ଥିଲେ ତ ଥିଲେ, ଏଣିକି ବିଦାୟ ହୁଅନ୍ତୁ । ଏଥର ବୁଝିଲ, ତୁମର ସେସବୁ ଫୁଲାଫାମ୍ପିଆ କଥା ଚଳିବ ନାହିଁ । ମୁଁ ସବୁଥିରେ ଚାବି ପକାଇବି ।

 

ଭୁଟ୍‌ ଭାଟ୍‌ ହୋଇ କଥାଟା ସୁରମା କାନକୁ ଗଲା । ସେ ବହୁତ ଭାବିଲା । ପିଲା ଦୁଇଟାଙ୍କୁ ଚାହିଁ ମନେ ମନେ ଖୁବ୍‌ କନ୍ଦାକଟା କଲା । ଶେଷକୁ ସେ ଛାତିକୁ ଦୃଢ଼ କରିନେଲା । କିନ୍ତୁ ତା’ ପାଟିରୁ ପଦୁଟିଏ କଥା ବାହାରିଲା ନାହିଁ । ଦିନେ ନଳିନୀ ନିଜେ ସୁରମାକୁ କହିଦେଲା–ଆଜି ମୁଁ ଚିଠି ଖଣ୍ଡେ ନବୀନ ପାଖକୁ ଲେଖି ଡାକିଚି ।

 

ସୁରମା ଭାଇ ଆଡ଼କୁ ବି ଶୁଷ୍କ ମୁଖରେ ଅନାଇ ରହି କହିଲା–ହଉ । କିନ୍ତୁ ନବୀନକୁ କାହିଁକି ଲେଖିଲ ଭାଇ ? ସେ ପିଲାଟା କ’ଣ କରିବ ?

 

ନବୀନଟି ହେଲା ସୁରମାର ସାନ ଦିଅର । ବୟସ ମାତ୍ର କୋଡ଼ିଏ ପଚିଶ ହେବ । ସାନଭାଇଟି ଅତି ଅଭାବ ଭିତରେ ସାମାନ୍ୟ କିଛି ପଢ଼ି ଟିଉସନ କରି ଗୋଟିଏ କେଉଁ କମ୍ପାନୀରେ ଚାକିରି କରି ନିଜକୁ ଏବଂ ବଡ଼ ଭାଇଟିକୁ ପୋଷୁଚି । ସୁରମା କହିଲା-ହଉ, ମୁଁ ଆଜି ନିଜେ ଖଣ୍ଡେ ଚିଠି ଲେଖୁଚି ନବୀନଙ୍କ ଭାଇଙ୍କି । ସେ ଆସନ୍ତୁ । ଭାଇ ଶୁଣ–ମୁଁ ଏଥର ସେ ଆସିଲେ ଚାଲିଯିବି ।

 

‘‘ଚାଲିଯିବି ? କୁଆଡ଼େ ? କାହା ସାଙ୍ଗରେ ? ସାନଭାଇଟିକି ଅବଲମ୍ବନ କରି ଯେଉଁ ବଡ଼ଭାଇ କଲିକତା ସହରରେ ପେଟ ପୋଷୁଚି; ସେ ଆସି ସୁରମା ଏବଂ ତାର ଦୁଇଟି ପିଲାଙ୍କୁ ନେଇ ଯିବ କୁଆଡ଼େ ? ସୁରମା ନିଜକୁ ନିଜେ ବହୁତ ପ୍ରଶ୍ନ କଲା । ପୁଣି ନିଜକୁ ନିଜେ ବୁଝାଇଲା–ମୋର ତ ହାତଗୋଡ଼ ଅଛି । ସାଇପଡ଼ିଶାର ଝିଅପିଲାଙ୍କୁ ସାମାନ୍ୟ କିଛି ପଢ଼ାପଢ଼ି କରାଇ ପେଟ ପୋଷିବି କିମ୍ବା ସିଲାଇ ଶିଖାଇ କିଛି ପଇସା ରୋଜଗାର କରିବି । କିନ୍ତୁ ଏଠି ଆଉ ରହିବି ନାହିଁ ।

 

ଛାତିକି ଦମ୍ଭ କରି ନିରାଶା ଓ ହତାଶା ଭିତରେ ଶୂନ୍ୟ ଶୂନ୍ୟ ମହାଶୂନ୍ୟକୁ ଧ୍ୟାନ କରି ସେ ନିଶ୍ଚୟ ଚାଲିଯିବ ବୋଲି ସ୍ଥିର କରିନେଲା । ତାର ମନେ ପଡ଼ିଗଲା–କିନ୍ତୁ ଭାଇ, ମୋ ପାଟିରୁ ପଦୁଟିଏ ହେଲେ କଥା ତୁମେ ଶୁଣିବ ନାହିଁ ।

 

ନିଭୃତରେ ଲୋତକଭିଜା ପୋଷ୍ଟକାର୍ଡ଼ ଖଣ୍ଡିକରେ ହତଭାଗ୍ୟ ସ୍ୱାମୀ ନିକଟକୁ ଆସିବାକୁ ଚିଠି ଲେଖିଲା ସୁରମା–ତୁମେ ଆସ ଏବଂ ମୋତେ ନେଇଯାଅ ।

 

ହାୟ ହାୟ । ନିଜେ ସିନା ଡେଇଁପଡ଼ିବାକୁ ଗଙ୍ଗାନଦୀ କ୍ରୋଡ଼ ପ୍ରସାରି ଅପେକ୍ଷା କରିଚି ହେ ! ହେଲେ ଏ ନିରୀହ ପିଲା ଦୁଇଟି ? ତାଙ୍କୁ କିଏ କୋଳ ଦେବ ହେ ? ଝିଅଟି ଏଇ ଘରେ ବଢ଼ିଚି । ସେ ଆଜି ଟିକେ ଆଖି ଦୁରୁଶିଆ ହୋଇଗଲାଣି । ଦାଣ୍ଡଘାଟରେ ଚାଲିଗଲେ ନିରାଶ୍ରୟର ପିଲାଟି ବୋଲି ବାରଟୋକାଏ ଟିଟିକାର କରିବେ । କିଏ କୁଆଡ଼େ କେତେ ପ୍ରକାର ଅପମାନ ଦେବେ । କିନ୍ତୁ ହାୟ ! ତାର ଅଭିଭାବକ ବୋଲି କିଏ ଅଛି ହେ ? ଆଉ ଏ ସାନପୁଅଟି ? ଏଇ ଘରେ ଜନ୍ମ ହୋଇ ବଢ଼ିଚି । ଏଇ ଅଜା, ଆଇ ଓ ଏଇ ମାମୁଁ ତାର ସର୍ବସ୍ୱ । ସେମାନଙ୍କୁ ଛାଡ଼ି ସେ ଯିବ କୁଆଡ଼େ ? ଆପଣାର ବୋଲି କାହାକୁ ଚାହିଁବ ? କିଏ ତାକୁ ଆହା କରିବ ହେ ?

 

ଚିଠି ପାଇ ସୁରମାର ଦରିଦ୍ର-ନିଃସ୍ୱ ସ୍ୱାମୀ ସାତ ଆଠ ବର୍ଷ ପରେ ସ୍ତ୍ରୀ ଓ ପିଲାଙ୍କ ପାଖକୁ ଆସିଚି । ନଳିନୀ ଘରେ ତାର ଆଦର ସମ୍ମାନ ନାହିଁ । କାରଣ ସେ ଦରିଦ୍ର । ଦିନକ ଭିତରେ ଆରତୀ ତାଙ୍କୁ ବିଦାୟ ଦେବାକୁ ବ୍ୟଗ୍ର । ନଳିନୀର ଇଚ୍ଛା ଭଉଣୀ ଓ ଛୁଆଙ୍କ ହାତରେ କିଛି ଦେବ । ମାତ୍ର ଚାବିକାଠି ଆଉ ତା’ ହାତରେ ନାହିଁ । ବୁଢ଼ା କାନ୍ଥ କଡ଼କୁ ମୁହଁ ବୁଲାଇ ଦୁଇଦିନ ହେଲା ବିନିଦ୍ର ଭାବେ ପଡ଼ି ରହିଛନ୍ତି–ଅହରହ କାନ୍ଦୁଛନ୍ତି । ସୁରମା ଲୁଗାପଟା ସଜାଡ଼ୁଛି ତ ସଫାସଫି କରୁଚି । ସାତ ଆଠ ବର୍ଷ ପରେ ଭଉଣୀଟି ବିଦାୟ ହେଉଚି । ନୂଆ ଲୁଗା କି ପିଲା ଦିଇଟାଙ୍କ ପାଇଁ ଜାମା କରୁତା ବୋଲି କିଛି କେହି ଯୋଗାଡ଼ କରୁ ନାହିଁ । ଘରେ ଥିବା ତିନିଟା ଟ୍ରାଞ୍ଜିଷ୍ଟର ମଧ୍ୟରୁ ଭାଇଙ୍କି ଦେଖାଇ ଭଉଣୀ ଗୋଟିକୁ ଧଇଲା–ଏଇଟିକୁ ମୁଁ ନଉଚି ଭାଇ ? ମୁହଁ ବୁଲାଇ ଭାଇ କିନ୍ତୁ ଚାଲି ଯାଉ ଯାଉ କହିଲା-ମୁଁ କହି ପାରିବି ନାହିଁ–ଭାଉଜକୁ ପଚାର୍‌ ।

ସୁରମା ଭାବିଲା–ଆସିବାର ମାସେ ଦି’ ମାସ ହୋଇ ନାହିଁ–ଭାଉଜ ହେଲା । ତେବେ ସର୍ବମୟୀ କର୍ତ୍ତୀ ଏ ଘରର ? ଭାଇ କେହି ନୁହେଁ ?

ଟ୍ରାଞ୍ଜିଷ୍ଟରଟିକୁ ଥୋଇଦେଲା । ନିଜର ଓ ପିଲା ଦୁଇଟାଙ୍କର ପୁରୁଣା ଲୁଗା ଜାମା ଦି’ ଖଣ୍ଡ ପୁଡ଼ାଟିରେ ବାନ୍ଧିଲା । ବାପାମାଆଙ୍କ ଆଡ଼କୁ ଯାଇ ସେ ଚାହିଁ ପାରୁ ନାହିଁ । ଛାତଦି ଭିତରଟା ଫାଟିଯାଉଚି । ନିଜର ଅସହାୟ ବିଦାୟବ୍ୟଥାଟି ଆଜି ତାକୁ ସମ୍ପୂର୍ଣ୍ଣ ଭାବେ ହାହାକାରମୟ କରିଦେଉଚି । କାନ୍ଦି କାନ୍ଦି ସାନ ଛୁଆଟା ଅଜା, ଆଈ ଓ ମାମୁଁଙ୍କ ପାଖକୁ ଗଲାବେଳକୁ ସୁରମା ନିର୍ମ୍ମମ ଭାବରେ ଭିଡ଼ିନେଇ ଯାଉଚି ଅନ୍ୟ ଆଡ଼େ । ନିଜର କଲିଜାଟାକୁ ଆଜି ସେ ନିତାନ୍ତ କଠିନ କଠୋର କରି ନେଇଚି । ତାକୁ ନିଶ୍ଚୟ ଏଠୁ ବିଦାୟ ନେଇଯିବାକୁ ହିଁ ହେବ–ସାହାରା ମରୁଭୂମିକୁ ହେଉ କି ଶୂନ୍ୟ ମହାଶୂନ୍ୟ ଭିତରକୁ ହେଉ । ଆଗର ଭାଇ ଆଉ ଭାଇ ହୋଇ ନାହିଁ । ଆରତି ଆଜି ଘରର ସର୍ବମୟୀ କର୍ତ୍ତ୍ରୀ । ବୁଢ଼ା ବାପା ଆଉ ମାଆ, ହୁଏତ ତାଙ୍କୁ ବି ଦିନେ ଦାଣ୍ଡର ଭିକାରୀ ଭାବେ ଏ ଘରୁ ଗୋଡ଼ କାଢ଼ିଯିବାକୁ ପଡ଼ିବ । କାଲି ଆସିଥିବା ଆରତୀଟି ଆଜି ସର୍ବେସର୍ବା । ବିବାହ ପରେ ପରେ ଭାଇଙ୍କ ଶାସନ କ୍ଷମତା ପୂରାପୂରି ହସ୍ତାନ୍ତର ହୋଇଯାଇଚି ।

ସନ୍ଧ୍ୟା ପରେ ସାଢ଼େ ସାତ ଆଠ ବେଳକୁ ରିକ୍‌ସା ଦୁଇଖଣ୍ଡି ଆସି ଗଳି ମୁଣ୍ଡରେ ଠିଆ ହେଲା । ସୁରମାର ସାମାନ୍ୟ କିଛି ଜିନିଷପତ୍ର ଆସି ତା’ ଉପରେ ଥୁଆ ହେଲା । ବୁଢ଼ାବୁଢ଼ୀଙ୍କ ପାଦ ତଳେ ମୁଣ୍ଡ ଥୋଇ କଠିନହୃଦୟା ସୁରମା ଛୁଆ ଦୁହିଁଙ୍କ ହାତ ଧରି ବିଦାୟ ନେବାକୁ ଠିଆ ହେଲା । ବୃଦ୍ଧ ତାଙ୍କ ତକିଆ ତଳୁ ସାମାନ୍ୟ ପାଞ୍ଚୋଟି ଟଙ୍କା ଆଣି କମ୍ପିତ ହସ୍ତରେ ନାତିଟି ହାତକୁ ବଢ଼ାଇଦେଲାବେଳକୁ ସୁରମା ଦେଖିଲା, କବାଟ ପାଖେ ହଠାତ୍‌ ଠିଆ ହୋଇଯାଇ କଟମଟ ଆରତି ଚାହିଁ ରହିଚି । ତା’ ଆଡ଼କୁ ଚାହିଁ ଦେଲାବେଳକୁ ଭୟଭୀତ ଶିଶୁ ପୁତ୍ରଟିର ହାତ ଥରିଉଠିଲା ଏବଂ ଅଜା ବଢ଼ାଇ ଦେଇଥିବା ପାଞ୍ଚୋଟିଯାକ ଟଙ୍କା ତଳେ ପଡ଼ିଗଲା । ସେ ଦିଗକୁ ଏକାବେଳକେ ପାସୋରି ପକାଇ କ୍ରନ୍ଦନରତ ପିଲା ଦୁଇଟିଙ୍କୁ ଏକପ୍ରକାର ଘୋଷାରି ଘୋଷାରି ନେଇ ଆଗକୁ ପାଦ ବଢ଼ାଇ ଚାଲିଯାଉଚି ସୁରମା । ରିକ୍‌ସା ପାଖକୁ ଡାକ ଛାଡ଼ୁଚି ଭାଇ–ଆସୁ ନାହୁଁ ସୁରମା ।

ଚଳନ୍ତି କାଠପଥରର ମୂର୍ତ୍ତିଟି ପରି ସୁରମାର ସ୍ୱାମୀ ଆଗେଇ ଚାଲିଚି । ଧୀରେ ଧୀରେ ରିକ୍‍ସାଟି ଉପରକୁ ସେ ଉଠି ବସିଲା ଏବଂ ତାକୁ ଲାଗି ତା’ ପାଖକୁ ବସି ପଡ଼ିଲା–ସୁରମାର ଭାଇ-

ଆର ରିକ୍‌ସାରେ ସୁରମା ବସିଚି ଏବଂ ଛୁଆ ଦୁଇଟିଙ୍କୁ ଧରି ବସାଇଚି । ମୁହଁରୁ ପଦୁଟିଏ କଥା ବାହାରୁ ନାହିଁ । ଆଖି ଦୁଇଟାରୁ ଅଜସ୍ର ଭାବେ ଲୁହର ସୁଅ ବହିଯାଉଚି ବକ୍ଷ ଉପରକୁ । ତଥାପି ଅସହାୟ ହୃଦୟଟି ତାର ପୂରାପୂରି କଠିନ କଠୋର ପଦୁଟିଏ କଥା ତୁମେ ଶୁଣିବ ନାହିଁ । ଯାହା ହେବ ତ ମୋର । ତୁମ ବିଭା ହୁଅ ।

ନଳିନୀ କଥା କହି କହି ଚାଲିଚି ଏବଂ ଅନ୍ୟମନସ୍କ ଭାବେ ଭଉଣୀର ସେଇ କଥାକୁ ଭାବି ଭାବି ଚାଲିଚି । ସେ ପୂରାପୂରି ଅନ୍ୟମନସ୍କ ହୋଇ ପଡ଼ିଚି । ଆଗରୁ ଭାବିଥିଲା ଟ୍ରେନ୍‌ରେ ଚଢ଼ାଇ ଦେଲାବେଳକୁ ହୁଏତ କିଛି ଟଙ୍କା ସୁରମା ହାତରେ ଦେଇ ଆସିବ ବୋଲି । ମାତ୍ର ପୂରାପୂରି ଚାବିକାଠିତକ ଆରତି ହାତରେ । ରୋଜଗାରୀ ହେଲେ ବି ଭାଇର ଆଜି ସେତକ ସ୍ୱାଧୀନତା ଲେଶମାତ୍ର ନାହିଁ ।

ସୁରମାର ସ୍ୱାମୀ ଅନ୍ୟମନସ୍କ ଭାବରେ ଭିତରେ ଭିତରେ ଭାବି ଭାବି ଚାଲିଚି–ନିଜର ଦୈନ୍ୟ ଓ ଅସହାୟତାକୁ । କଲିକତାର ନିତାନ୍ତ ସହର ତଳି ଅଂଶରେ ତାର ଖପରଲି ଛାଉଣୀ ଅତି ଛୋଟ ବଖରାଟିଏ ବୋଲି ଭଡ଼ାଘର । ଚତୁର୍ଦ୍ଦିଗ ସନ୍ତସନ୍ତିଆ ଅଞ୍ଚଳ । ଘରେ ଆଲୁଅ ନାହିଁ । ରାସ୍ତାର କିଛି ଦୂରରୁ ଲୋକଗହଳି ଭିତରେ ଘଣ୍ଟା ଘଣ୍ଟା ଅପେକ୍ଷା କରି ପାଣି ଆଣି ସଂଗ୍ରହ କରିବାକୁ ପଡ଼ିବ । ସେଇ ବଖରାକ ଭିତରେ ନିଜେ ରହିବ, କୋଡ଼ିଏ ବର୍ଷିଆ ଭାଇଟି ବି ରହିବ । ନିଜର ସ୍ତ୍ରୀ ଓ ଛୁଆ ଦୁଇଟି ରହିବେ । ପୁଣି ତାଆରି ଭିତରେ ବି ରନ୍ଧାବଢ଼ା ପାଇଁ ଚୁଲିଟି ଅଛି ।

ତଥାପି ବିଦାୟ ନେଇ ଆସିଲାବେଳକୁ ଶଳାଭାଉଜଟି ପରିହାସ ଛଳରେ ଶୁଣାଇ ଦେଇଚି–ଗୋଟିକରୁ ଦୁଇଟି ଦୁଇରୁ ଚାରି । ଆରଥରକୁ ଆଉ ଗୋଟିଏ ପେଟରେ ଧରି ସୁରମା ଯେମିତି ଏ ଘରକୁ ପାଦ ବଢ଼ାଇବ ନାହିଁ ।

ସାନଭାଇଟି ନୂଆ କରି ପଚାଶ ଟଙ୍କାର ଚାକିରିଟିଏ କରିଚି । ଆଉ ନିଜେ ସେ ଖବରକାଗଜ ବିକି ସାମାନ୍ୟ କିଛି ଉପାର୍ଜନ କରି ବଡ଼ କଷ୍ଟରେ ଦୁଇଜଣିଆ ସଂସାର ଚଳାଉଥିବ । ଏବେ ଆସିଲେ ଆଉ ତିନିଟା । ହାୟ ଭଗବାନ୍‌ !

ସୁରମାର ସଂସାର ଶୂନ୍ୟ-ଶୂନ୍ୟ ମହାଶୂନ୍ୟ । ହାହାକାରମୟ ଭବିଷ୍ୟତ ତାର । ଯେଣିକି ଚାହୁଚି, ତେଣିକି କେବଳ ଅନ୍ଧକାରମୟ ଦିଶୁଚି । ତଥାପି ସେ ଛାତିକି ପଥର କରି ଚାଲି ଆସିଚି ଏବଂ ମୁହଁ ଫିଟାଇ ପଦୁଟିଏ ବି କିଛି କହି ନାହିଁ । ବାପ ମା’ କେହି ନୁହଁ । ଭାଇ ତାର ଆପଣାର ନୁହେଁ । ଆରତୀ ପଣନ୍ତକାନିକି ଚାବିକାଠି ଚାଲିଗଲା ଦିନୁ ସେ ହେଲା ସେଠି ସର୍ବେସର୍ବା । ଏଇ ହେଲା ସଂସାର ।

Image

 

ଭୂତକୋଠିର କଥା

 

ପ୍ରଥମ ମହାଯୁଦ୍ଧବେଳେ ଆମ ଦେଶରୁ କେତେ ଜଣ ଡାକ୍ତର ମିଲିଟାରୀ ଟ୍ରେନିଂ ପାଇ ମେସୋପଟେମିଆଁ ଯୁଦ୍ଧକ୍ଷେତ୍ରକୁ ଯାଇଥିଲେ । ବୀର ବିକ୍ରମ ମଙ୍ଗରାଜ ତା’ ଭିତରୁ ଜଣେ । ପିଲାପିଲି କିଛି ନ ଥାଆନ୍ତି, ତାଙ୍କ ସ୍ତ୍ରୀର ବିୟୋଗ ଘଟିଲା । ଯୁଦ୍ଧଭୂଇଁରୁ ଲେଉଟି ଆସିଲା ପରେ ସେ ସଂସାର ଛାଡ଼ି ଓଡ଼ିଶା ବାହାରେ ଥିବା ଡାକ୍ତର ନବୀନକିଶୋର ବୋଲି ଜଣେ ପରିଚିତ ବନ୍ଧୁଙ୍କ ଘରକୁ ଗଲେ । ସହର ଭିତରେ ତାଙ୍କର ଘର ଏବଂ ସହର ବାହାରେ ବଣ ଭିତରେ ତାଙ୍କର ଥାଏ ଗୋଟାଏ ନିଛାଟିଆ କୋଠାଘର । ବନ ବିହାର କରିବାକୁ ଯାଇ ସେ ଘରଟାକୁ ଦେଖି ମଙ୍ଗରାଜ ବାବୁ ଧରି ବସିଲେ–ନବୀନବାବୁ, ମୁଁ ଏଇ ଘରେ ରହିବି ।

 

ନବୀନବାବୁ ଚିନ୍ତିତ ହୋଇପଡ଼ି କହିଲେ–ଶୁଣ ବାବୁ, ଏ ଘରଟା ମୋ ବାପ ଗୋସିଁ ବାପଙ୍କ ଅମଳରୁ ପରିତ୍ୟକ୍ତ ହୋଇ ପଡ଼ିଚି । ବହୁକାଳରୁ ଏ ଘର ଖଣ୍ଡକ ଭୂତପ୍ରେତଙ୍କ ଆଡ଼୍‍ଡ଼ା ହୋଇ ଉଠିଚି । ନିତି ପ୍ରତି ବିଚିତ୍ର କାହାଣୀ ସବୁ ଆମ କାନରେ ବାଜେ । କିଏ କହେ, ଆଜି ଜଣେ ବାଟୋଇକୁ ପ୍ରେତ ଆକ୍ରମଣ କଲା ଯେ, ସେ ମରିଗଲା । କେହି ବା କହେ, ଆଜି ଦି’ଜଣ ପଥିକ ବେହୋସ ହୋଇ ପଡ଼ିଚନ୍ତି । ବେଳେ ବେଳେ କେହି ବନ୍ଧୁବାନ୍ଧବ ଆମର ଏ ଘରକୁ ଆସି ଡର ଭୟେ ଛାନିଆ ହୋଇ ଫେରିଚନ୍ତି । ତୁମେ ମୋ ଅତିଥି । ଏଭଳି ଗୋଟାଏ ଭୂତକୋଠିରେ ମୁଁ ରଖାଇ ପାରିବି ନାହିଁ ।

 

ହସିଦେଇ ମଙ୍ଗରାଜ ପଚାରନ୍ତି–ଯୁଦ୍ଧଭୂଇଁରୁ ଫେରିଆସି ସୁଦ୍ଧା ତୁମେ କଅଣ ଭୂତପ୍ରେତର ବିଶ୍ୱାସ କର ? ମୋର ତ କିଛି ଡର ଭୟ ନାହିଁ । ଦିହରେ ବଳ ଅଛି । ମନରେ ସାହସ ଅଛି । ହାତରେ ଛୁରା ବନ୍ଧୁକ ବି ଅଛି । ପୁଣି ସାଙ୍ଗରେ ମଟର ସାଇକେଲଟା ତ ଅଛି । ମୁଁ ଏଇଠି ଆସି ରହିବି । ଗୋଟିଏ ଚାକରପିଲା ମୋତେ ଯୋଗାଡ଼ କରିଦିଅ । ହୁଏତ ଗୋଟିଏ ଅଭିଜ୍ଞତା ମିଳିଯିବ କିମ୍ବା ମୁଁ ମରିଯିବି । ମୋ ପାଇଁ କାନ୍ଦିବାକୁ ସଂସାରରେ କିଏ ଅଛି ହେ ?

 

ବାଧ୍ୟ ହୋଇ ନବୀନବାବୁ ମଙ୍ଗରାଜବାବୁଙ୍କ କଥାରେ ରାଜି ହେଲେ ଏବଂ ହତାଶ ଭାବେ କହିଲେ–ଶୁଣ ବନ୍ଧୁ, ମୋତେ ଆଉ ଦୋଷ ଦେବ ନାହିଁ ।

 

ତା’ପରେ ତାଙ୍କ ଯାତ୍ରାର ଆୟୋଜନ ଚାଲିଲା ଏବଂ ଘରଟା ସଫା କରାଗଲା । ଦିନବେଳେ ହୁଏତ କେହି ବାଟୋଇ ସେ ବାଟେ ଯାଆଆସ କରନ୍ତି । ମାତ୍ର ସଞ୍ଜ ପରେ ଶୂନ୍‌ଶାନ୍ । ଲୋକେ ଏକୁ ଯମପୁର ବୋଲି କହନ୍ତି ।

 

ନୂଆ ଚାକରପିଲାଟିକୁ ସଙ୍ଗରେ ଧରି ଦିନେ ମଙ୍ଗରାଜ ବାବୁ ଏ ଘରେ ଆସି ପହଞ୍ଚିଗଲେ । ବଳାଇଦେବା ଉଦ୍ଦେଶ୍ୟରେ ନିତାନ୍ତ ଅନିଚ୍ଛା ସତ୍ତ୍ୱେ ସଙ୍ଗରେ ଆସି ନବୀନବାବୁ ସଞ୍ଜ ପୂର୍ବରୁ ନିଜ ମଟର ସାଇକେଲରେ ଫେରିଗଲେ । ଭିତରେ ପ୍ରବେଶ କଲାରୁ ଜଣାପଡ଼ିଲା ଘରଟା ନିତାନ୍ତ ଛୋଟ ନୁହେଁ । ମଝିରେ ଗୋଟାଏ ଉଚ୍ଚା ହଲ୍‌ ଘର ଏବଂ ତାକୁ ଘେରି ଚାରିକଡ଼କୁ ଛୋଟ ଛୋଟ ବଖରା କେଇଟି । ଭିତରେ ଭିତରେ ରୋଷଘର, ଗାଧୁଆଘର ଇତ୍ୟାଦି ଇତ୍ୟାଦି । ରାତିରେ ବାହାରକୁ ବାହାରିବା ଦରକାର ପଡ଼େ ନାହିଁ । ଘରେ ଫୋନ ଲାଇନ୍‌ ଏବଂ ଇଲେକ୍‌ଟ୍ରିକ୍‌ ଆଲୁଅର ବ୍ୟବସ୍ଥା ଅଛି ।

 

ଫୋନ୍‌ ଧରି ଡାକିଲେ ସହର ଭିତରୁ ନବୀନବାବୁ ଜବାବ ଦେଉଚନ୍ତି । ଖୁସି ହୋଇ ମଙ୍ଗରାଜବାବୁ ଜିନିଷପତ୍ର ତକ ସଜାଡ଼ିନେଲେ ଏବଂ ହଲ୍‍ଘରର କାନ୍ଥ କଡ଼କୁ ଥିବା ଖଟଟି ଉପରେ ବିଛଣା ପାରିଲେ । ଫୋନ୍‌ ଟେବୁଲଟା ରହିଲା ଠିକ୍‌ ଖଟ କଡ଼କୁ । ଦିନ ଥାଉଁ ଥାଉଁ ସବୁ ଯୋଗାଡ଼ । ରାତି ପହଡ଼କ ଭିତରେ ଖିଆପିଆ ସରିଲା । ଏଣିକି ବିଶ୍ରାମର ଆୟୋଜନ । ବନ୍ଧୁକଟା ଖଟ କଡ଼କୁ ରଖା ହୋଇଚି, ଚାରିଆଡ଼ ଶୂନ୍‌ଶାନ୍‌ ଓ ନିଛାଟିଆ । ବଣଜଙ୍ଗଲ ଭିତରେ ଝିଙ୍କାରୀଗୁଡ଼ାକ ଝିଁ ଝିଁ ବୋବାଳି ଛାଡ଼ିଲେଣି । ବଣୁଆ ମୂଷା ଓ ଓଧଗୁଡ଼ାକ ଏ ଡାଳରୁ ସେ ଡାଳକୁ ଡିଆଁ ଡେଇଁ କଲେଣି । ବାଦୁଡ଼ିଗୁଡ଼ାକ ଫଡ଼୍‌ ଫଡ଼୍‌ ହୋଇ ଉଠି ଯାଉଚନ୍ତି ଯେ, ଛାତିଟା ଚମକି ଉଠୁଚି । ଗଛ କୋରଡ଼ ଭିତରୁ ବିକଟ ଶଦ୍ଦ କରି ଉଠୁଚନ୍ତି ପେଚାଗୁଡ଼ାକ । ମଙ୍ଗରାଜବାବୁ କିନ୍ତୁ ଏଗୁଡ଼ିକରେ ଅଭ୍ୟସ୍ତ ।

 

ଖଟ ଉପରେ ଗଡ଼ି ପଡ଼ିଲେ ସୁଦ୍ଧା ମନଟା ଛାଆଁକୁ ଛାଆଁ ଦବିଯାଇ ରହିଚି । କିଛି କୁଆଡ଼ୁ ଶୁଣି ନ ଥିବାରୁ ଚାକର ପିଲାଟି ଦୂରରେ ଶୋଇ ପଡ଼ିଲାଣି । ମଙ୍ଗରାଜବାବୁଙ୍କୁ କିନ୍ତୁ ନିଦ ଆସୁ ନାହିଁ । କାଳେ ଇଲେକ୍‌ଟ୍ରିକ୍‌ ଫେଲ୍‌ ମାରିବ ସେଥିଲାଗି ସେ ଲଣ୍ଠନଟାଏ ମଧ୍ୟ ଜାଳି ରଖିଚନ୍ତି-। ଏକଦମ୍‌ ନିଛାଟିଆ ରାତିଟା ମାଡ଼ି ଆସୁଚି । କଅଣ ନାହିଁ କଅଣ ଘଟିବ । ମନଟା ଦବୁଚି, କେତେ କଥା ଶୁଣାଯାଇଚି–କଅଣ ସବୁ ଆଜି ଘଟିବ ? ଭିତରେ ଭିତରେ ଆଶଙ୍କା ଓ ଭୟ ବି ଛାଁ କୁ ଛାଁ ଜାଗି ଉଠୁଚି । ଧୀରେ ଧୀରେ ରାତିଟା ବଢ଼ି ଚାଲିଚି । ମଙ୍ଗରାଜବାବୁ ବନ୍ଧୁକରେ ଗୁଳି ଭରି ରଖିଲେ ଏବଂ ଛୁରା ଖଣ୍ଡକ ତକିଆତଳକୁ ସଜାଡ଼ି ରଖିଲେ ।

 

ରାତି ପ୍ରାୟ ଏଗାରଟା । ଦେଖୁ ଦେଖୁ ଚାରିପଟେ କିଏ ସବୁ ଚାଲବୁଲ କଲାପରି ଶୁଭିଲା । ତା’ପରେ ଦୌଡ଼ାଦୌଡ଼ି ଓ କୁଦାକୁଦି ଶଦ୍ଦ । ଝରକା କବାଟରେ ଖଡ଼ ଖଡ଼, ଧଡ଼ ଧଡ଼ । ଛାତ ଉପରେ ଶୁଭିଲା ଦୁଲ୍‌ ଦାଲ୍‌, ଭୁସ୍‌, ଭାସ୍‌ । ତା’ ସାଙ୍ଗକୁ ଶୁଭିଲା–ବିକୃତ ସ୍ୱର ଶଦ୍ଦ– ଇଁ ହିଁ ହିଁ ହିଁ । ଉହୁ ହୁ ହୁ ଉ । ବର୍‌ ବର୍‌ ଭର୍‌ ଭର୍‌, ହାଉଁ ହାଉଁ, ଖାଉଁ ଖାଉଁ ଇତ୍ୟାଦି ଇତ୍ୟାଦି । କବାଟ ଝରକା ଝଣ ଝଣ, ଖଣ, ଖଣ ।

 

ପ୍ରେତଗୁଡ଼ିକ ଆସିଗଲେ । ଚାରିଆଡ଼େ ଘେରିଗଲେ । ଭିତରେ ପଶିଯିବାକୁ କେତେବେଳେ ବାକି ?

 

ମଙ୍ଗରାଜ ଟର୍ଚ୍ଚଟାକୁ ହାତ ପାଖରେ ରଖି ଖଟ ଉପରେ ଉଠି ବସିଲେ । ଲଣ୍ଠନଟାକୁ ନିକଟକୁ ଘୋଷାରି ଆଣିଲେ । କାଳେ ଇଲେକ୍‌ଟ୍ରିକ୍‌ ବଲ ନିଭିଯାଏ ! ସତକୁ ସତ ବଲ୍‍ଟା ଦପ୍‌କିନା ନିଭିଗଲା । ତା’ପରେ ସେ ଯାହା ଦେଖିଲେ ସେତିକିରେ ଏକଦମ ଛାନିଆ ହୋଇଗଲେ-। ଲଣ୍ଠନଟାକୁ ଯେତେ ତେଜିଲେ ସୁଦ୍ଧା ହାତେ ଦି’ ହାତ ବାହାରକୁ ଆଲୁଅଟା ଦିଶୁନାହିଁ । କାନ୍ଥବାଡ଼ ଅନ୍ଧକାର । ତାଆରି ଦିହରେ ଦେଖାଗଲା ଉପରଆଡ଼ୁ ଆସୁଥିବା ମିଞ୍ଜିମିଞ୍ଜିଆ ଆଲୁଅଟାଏ ଘରଯାକ ଘୂରି ବୁଲୁଚି । ଦେଖୁ ଦେଖୁ ସାମନାରେ ଥିବା ଅନ୍ଧାରୁଆ କାନ୍ଥ ଉପରେ ବିକଟାଳ ମୁଖଟାଏ ଦାନ୍ତ ଦେଖାଇ ଆଁ କରି ଘୂରି ବୁଲୁଚି । ବିକୃତ ଶଦ୍ଦଟାଏ ଶୁଭୁଚି–ଇ–ହି ହି ହି ହି । ହିଆଉ, ହିଆଁଉଁ, ମିଆଁଉଁ, ଭିଆଁଉଁ ।

 

ମଙ୍ଗରାଜ ମନେ ମନେ ଠିକ୍‌ କଲେ–ଏଇ କଅଣ ଭୂତ–ପ୍ରେତ ? ଆସିଗଲେ ?

 

ଦେଖୁ ଦେଖୁ ଆଗ ଟେବୁଲ ଉପରେ ଠକ୍‌ ଠକ୍‌ ହୋଇ କଅଣ ଗୁଡ଼ାଏ ଅଜାଡ଼ି ହୋଇ ପଡ଼ିଗଲା । ଟର୍ଚ୍ଚ ମାରି ଦେଖିଲାବେଳକୁ ଜଣାପଡ଼ିଲା–ମଣିଷ ହାଡ଼ଗୁଡ଼ାଏ । ଠିକ୍‌ ତା’ ପଛକୁ ଛାତ ଉପରେ ବହୁତଗୁଡ଼ାଏ ବିକୃତ ଶଦ୍ଦ । ଘର ଚାରିପଟେ କିମ୍ଭୂତ କିମାକାର ରାବ ଶୁଭୁଚି । ସତକୁ ସତ ଡରିଯାଇ ମଙ୍ଗରାଜବାବୁ ମନକୁ ମନ ପଚାରିଲେ–ସତରେ. ତେବେ ଭୂତପ୍ରେତ କିଛି ନୁହେଁ ଓ ଏସବୁ କଅଣ ଜୀବଜନ୍ତୁଙ୍କ କାମ ?

 

ହାତଘଣ୍ଟାକୁ ଟର୍ଚ୍ଚ ମାରି ଦେଖିଲେ ରାତି ଗୋଟାଏ । ମଙ୍ଗରାଜବାବୁଙ୍କ ମୁଣ୍ଡଟା ବିଗିଡ଼ି ଆସିଲାଣି । ଅଚେତ ହୋଇପଡ଼ିବାର ପୂର୍ବ ଅବସ୍ଥା ଇଏ । ଶୁଣିଲେ ଫୋନ୍‌ଟା ବାଜି ଉଠିଲା । ରିସିଭର୍‍ଟାକୁ ଉଠାଇ ଧରିଲାରୁ ଶୁଭିଲା–କିଏ ଡାକୁଚି–ହାଲୋ, ହାଲୋ ।

 

ହାଲୋ କିଏ କହୁଚନ୍ତି ?

 

ମୁଁ ନବୀନ । ଖବର କଅଣ ?

 

ମୁଁ ମଙ୍ଗରାଜ ବୋଲି ତାଙ୍କ ପାଟିରୁ କଥାଟି ବାହାରିଚି କି ନାହିଁ–ହଠାତ୍‌ କଅଣ ଗୋଟାଏ ନାଥୁକିନା ଶବ୍ଦ କରି ସାମନା ଚଟାଣ ଉପରେ ପଡ଼ିଗଲା । ଟର୍ଚ୍ଚ ମାରି ଦେଖିଲାବେଳକୁ–ଗୋଟାଏ ରକ୍ତବୋଳା ମଣିଷକଟା ହାତ । ରିସିଭରଟାକୁ ଏକପ୍ରକାର ସେ ଟେବୁଲ୍‌ଟା ଉପରକୁ ଫିଙ୍ଗିଦେଲେ । ନବୀନବାବୁଙ୍କୁ ଖବର ଆଉ ଦେବେ କଅଣ ? ପାଟି ଖନି ବାଜିଗଲା । ତଥାପି ସାହସ ବାନ୍ଧି ବନ୍ଧୁକଟାକୁ ଟେକି ଧରି ରଖିଲେ ।

 

ଚାହୁଁ ଚାହୁଁ ଗାଧୁଆଘର ପାଖ କବାଟଟା ଧଡ଼୍‌କିନା ଫିଟିଗଲା । ସଙ୍ଗେ ସଙ୍ଗେ ଗୋଟାଏ କାଳିଆ ଭୁଷୁଣ୍ଡା ମୂର୍ତ୍ତି କିଳି କିଳି ହୋଇ ଭିତରକୁ ଦୌଡ଼ି ଲଣ୍ଠନଟାକୁ ଟାଣିନେଇ ଚାଲିଗଲା । ତେଣିକି ଗୁମ୍‌ସୁମ୍‌ ଅନ୍ଧାର । ମଙ୍ଗଳରାଜବାବୁଙ୍କ ସାରା ଦେହ ଅବଶ, ଅଚଳ ହୋଇ ଆସିଲା । ଟର୍ଚ୍ଚ ଆଲୁଅକୁ ଜାଳିଦେବାକୁ ବଳ ପାଉ ନାହିଁ । ଚାକରପିଲାଟା ବଞ୍ଚିଚି ନା ମଲାଣି ?

 

ଏତିକିବେଳକୁ ଦେଖାଗଲା କବାଟ ଝରକା କେତୁଟା ଖଡ଼୍‌ଖଡ଼୍‌ ହୋଇ ଫିଟିଗଲା । ଭିତରକୁ ପଶି ଆସୁଚି ନାନାପ୍ରକାର ବିକଟ ଶଦ୍ଦ । ମଙ୍ଗରାଜବାବୁଙ୍କ ସାରା ଦିହଟା ଅଜ୍ଞାନ ହୋଇ ଆସୁଚି । ରିସିଭର୍‍ଟାକୁ ପ୍ରାଣ ବିକଳରେ ଟେକି ନେଇଚନ୍ତି ସମ୍ବାଦ ପଠାଇବାକୁ–କିନ୍ତୁ ପାଟିରୁ ସ୍ୱର ବାହାରୁ ନାହିଁ । ପାଟିଟା ଅଠା ଅଠା ହୋଇଯାଉଚି । ଭାବୁଚନ୍ତି–ଆଜି ନିଶ୍ଚେ ସେ ମରିଯିବେ । ନବୀନବାବୁଙ୍କ ପାଖକୁ ଖବରଟା ବି ପଠାଇ ପାରିବେ ନାହିଁ ।

 

ଠିକ୍‌ ଏତିକିବେଳକୁ ଦେଖାଗଲା–ଘରଟା ଭିତରେ ଝାପ୍‌ସା ଝାପ୍‌ସା ଆଲୁଅ ଏବଂ ତାଆରି ଭିତରେ ତ୍ରିପଣ୍ଡ କଳା ବିକଟାଳ କାଳୀ ମୂର୍ତ୍ତିଟାଏ ହିଁ ହିଁ ରାବ କରି ନାଚି ନାଚି ମାଡ଼ିଆସୁଚତି ।

 

ଆଉ ପାରି ହବ ନାହିଁ । ହାତ ଗୋଡ଼ ପୂରାପୂରି ଜଡ଼ ପାଲଟି ଯାଉଚି । ପରମୁହୂର୍ତ୍ତରେ ସେ ପୂରାପୂରି ଅଜ୍ଞାନ ହୋଇଯିବେ । ଠିକ୍‌ ଏତିକିବେଳେ ତାଙ୍କ ହାତର ଅଭ୍ୟସ୍ତ ଆଙ୍ଗୁଠିଟା ଛାଁକୁ ଛାଁ ବନ୍ଧୁକର ଘୋଡ଼ା ଉପରେ ଚଢ଼ିବସିଲା । ସଙ୍ଗେ ସଙ୍ଗେ ପୂରାପୂରି ବେହୋସ ହୋଇ ପଡ଼ିଗଲେ-। ହୁଏତ ଶେଷ ମୁହୂର୍ତ୍ତରେ ସେ ଭାବି ନେଇଛନ୍ତି ଯେ–ନିଶ୍ଚୟ ସେ ମରି ଯାଉଛନ୍ତି ।

 

କିନ୍ତୁ ଭୋରବେଳକୁ ଧୀରେ ଧୀରେ ତାଙ୍କର ଜ୍ଞାନ ଫେରିଲା । ଘର ଭିତରେ ଲୋକାରଣ୍ୟ । ସାମନାରେ ନିଜେ ନବୀନବାବୁ ଏବଂ କେତେଜଣ ପୋଲିସ ବାବୁ ଠିଆ ହୋଇଛନ୍ତି-। ଧୀରେ ଧୀରେ ଚାରିଆଡ଼ ଫରଚା ହୋଇଗଲା । ପୂର୍ବ ରାତ୍ରିର କାଳୀମୂର୍ତ୍ତିଟା ତଳେ ପଡ଼ି ରହିଚି ଏବଂ ପାଖକୁ ଲାଗି କଳା ଭୁଷୁଣ୍ଡା କେତୁଟା ଲୋକ ବସିପଡ଼ିଚନ୍ତି । ବନ୍ଧୁକଧାରୀ ପୋଲିସମାନେ ସେମାନଙ୍କୁ ଘେରି ରହିଚନ୍ତି ।

 

ନବୀନବାବୁ କହିଲେ–ତୁମର ଶେଷ ଫୋନ ଶଦ୍ଦରୁ ବୁଝିପାରିଲି ଯେ ପୂରାପୂରି ଭାବେ ତୁମେ ପ୍ରେତ ଆକ୍ରମଣରେ ପଡ଼ିସାରିଚ ଏବଂ ଧୀରେ ଧୀରେ ଅଜ୍ଞାନ ହୋଇ ଆସୁଚ । ଆମର ଏ ବଣ ଭିତରେ ଥିବା ଘରଟାରେ ବହୁଦିନୁ ଅନୁମାନ କରିଥିଲୁ ଯେ ପ୍ରକୃତରେ ଭୂତ ପ୍ରେତ କିଛି ନୁହେଁ–ହୁଏତ ଗୋଟାଏ ଡକାଏତ ଦଳ ଆଡ଼୍‌ଡା କରିଛନ୍ତି । ଏବେ ଜାଣିପାରୁଚୁ ଯେ ବାହାର ପଟେ ଠିଆ ହୋଇଥିବା ଲୁହାର ଗୋଲେଇ ସିଡ଼ି ବାଟେ ସେମାନେ ଛାତ ଉପରକୁ ଉଠନ୍ତି ଏବଂ ମଝିଘରର ଉଚ୍ଚା କାନ୍ଥ ଜଳାବାଟେ ଘର ଭିତରକୁ ବିଭିନ୍ନ ଜିନିଷ ଫିଙ୍ଗନ୍ତି । ସେହି ଜଳାଦେଇ ସେମାନେ ନଳ ପୂରାଇ ବିକୃତ ଶଦ୍ଦମାନ ଘର ଭିତରକୁ ପଠାନ୍ତି ଓ ବିଜୁଳି ଲଣ୍ଠନ ସାହାଯ୍ୟରେ ବିକୃତ ରୂପର ଛାଇ ପଠାନ୍ତି । କୌଶଳକ୍ରମେ ଭିତରୁ ବନ୍ଦ ଥିବା କବାଟକୁ ବାହାରପଟୁ ଫିଟାଇ ଘର ଭିତରେ ପଶନ୍ତି । ଶେଷ ମୁହୂର୍ତ୍ତରେ ତୁମରି ବନ୍ଧୁକ ଗୁଳିରେ କାଳୀ ସାଜିଥିବା ଲୋକଟାର ଜଙ୍ଘ ଫୁଟିଯାଇଚି । ହେଇଟି ତୁମରି ଆଗରେ ସେ ବେହୋସ ହୋଇ ପଡ଼ିରହିଚି । ଆଉ ହେଇଟି ଏ ଲୋକଗୁଡ଼ାକ ତାଆରି ସାଙ୍ଗ । ବର୍ଷ ବର୍ଷ ଧରି ସେଇମାନେ ଭୂତପ୍ରେତ ସାଜି ଉପଦ୍ରବ କରିଆସୁଚନ୍ତି । ଅନେକ ଦିନୁ ପୋଲିସ ତାଙ୍କ ଉପରେ ନଜର ରଖିଥିଲେ । ଆଜି ସେମାନେ ତୁମରି ସାହାଯ୍ୟରେ ଧରା ପଡ଼ିଚନ୍ତି । ହେଇଟି ସେ ପେଟକୁ ଠିଆ ହୋଇ ରହିଚି ପୋଲିସ ଭ୍ୟାନଟା ସେମାନଙ୍କୁ ଧରି ନେଇଯିବାକୁ । ଏବେ ଚାଲ ଆମେ ବି ସହରକୁ ଫେରିଯିବା ।

 

ଉଠି ବସୁ ବସୁ ମଙ୍ଗରାଜବାବୁ ପଚାରିଲେ ତେବେ କଅଣ ସତରେ ଭୂତପ୍ରେତ କଥାଗୁଡ଼ାକ ପୂରାପୂରି ମିଛ ?

 

ଜଣେ ପୋଲିସ ବାବୁ ଆଗେଇ ଆସି କହିଉଠିଲେ-ପୂରାପୂରି ମିଛ ଓ ମନଗଢ଼ା । ସଇତାନମାନଙ୍କ କାରସାଦି ମାତ୍ର । ମଙ୍ଗରାଜ ପଚାରିଲେ–ତେବେ ମୋ ଚାକର ପିଲାଟି କାହିଁ ? ମରିଚି ନା ବଞ୍ଚିଚି ?

 

ହସି ଦେଇ ନବୀନବାବୁ କହି ଉଠିଲେ–ତୁମରି ଖଟ ତଳେ ସେ କୁଙ୍କୁରି କାଙ୍କରି ହୋଇ ବେହୋସ ହୋଇ ପଡ଼ିଥିଲା । ଭଲ ହୋଇଗଲାଣି । ଆଜି ହୁଏତ ତୁମେ ଦୁଇ ଜଣଯାକ ପ୍ରେତ ଆକ୍ରମଣରେ ମରିଗଲ ବୋଲି ଲୋକେ ଶୁଣିବାକୁ ପାଇଥାଆନ୍ତେ ।

Image

 

ଦୁନିଆର ରୂପ

 

ପ୍ରଭାକର ଖୁଣ୍ଟିଆଙ୍କ ବାହାର ବାରଣ୍ଡାରେ ତାଳବରଡ଼ାର ତାଟ ଘେରାଇ ବସା ବାନ୍ଧିଚି–ଛୋଟୀ ଡାଳିମ୍ବ । ଗରିବ ନିଆଶ୍ରୀ ବୁଢ଼ୀଟିଏ । ଭିକ ମାଗି ଦୁଃଖ ଲାଗି ଦିନ କଟାଏ । ସାହିଯାକ କାହାର ସେ ମାଉସୀ ତ କାହାର ପିଉସୀ । ତାର ପଳିତ ଚମ ଆଉ ମଳିନ ବର୍ଣ୍ଣ ତଳେ ବିଗତ ଯୌବନର ମନମୋହକାରୀ ଲାବଣ୍ୟର ଆଭାସ ଏବେ ସୁଦ୍ଧା କିଛି କିଛି ଦେଖାଯାଏ । ଡାଳିମ୍ବ ପରି ହସ ତାର, ଡାଳିମ୍ବ ପରି ସୁନ୍ଦର ରୂପ । ଏବେ ତାକୁ ସ୍ୱପ୍ନ ପରି ଲାଗେ । ବେଳେ ବେଳେ ସେ ଗାଲରେ ହାତ ଦେଇ ବସିପଡ଼ି ଭାଳି ହୁଏ–କଅଣ ଥିଲା–କଅଣ ହେଲା !

 

ସେ ଥିଲା ଗୋଟାଏ ଖାଦାନ ଖଣ୍ଡେଇତ ଘରର ବୋହୂ । ସ୍ୱାମୀ ତାର ଥାଏ ରେଙ୍ଗୁନରେ, ଠିକାଦାରୀ ବ୍ୟବସାୟ ଘେନି । ମଦୁଆ ଯୌବନବେଳେ ବିଧୁର ମନଟା ତାର ବନ୍ଦୋବସ୍ତ କ୍ୟାମ୍ପ ଦୋପଟି ଗୁରୁଚରଣ ଦାସଙ୍କ କଟାକ୍ଷର ବକ୍ର ଇଙ୍ଗିତରେ ପାଗଳ ହୋଇଉଠିଲା । ଶରତର ମଲ୍ଲିଫୁଲିଆ ଜହ୍ନ ଆଲୁଅରେ ଦିନେ ନିଶବଦ ନିଶାରେ ଦୁରୁ ଦୁରୁ ହିଆ ଭିତରେ ଅଭିସାରିକାର ଗୁରୁ ଅଧୀରତା ଘେନି ଡେପୁଟି ବାବୁଙ୍କ ତମ୍ବୁ ଦୁଆରମୁହଁ ପରଦା ଠେଲି ଭିତରକୁ ପାଦ ବଢ଼ାଇଦେଲା । ବାପମା’, ଶାଶୁଶଶୁର ଖୋଜିଲେ କିଛିଦିନ । ଶେଷକୁ ମନକୁ ବୁଝାଇଲେ ଡାଳିମ୍ବ କୁଳରୁ ଗଲା, ଥଳରୁ ଗଲା ।

 

ଦୀର୍ଘ ଦଶ ବର୍ଷର ଆନନ୍ଦ–ନିରାନନ୍ଦ, ମାନ–ଅପମାନ ପରେ ଗୁରୁଚରଣ ବାବୁଙ୍କର ଭ୍ରୂଣଟିକୁ ଗର୍ଭରେ ଧାରଣ କରି ଡେପୁଟି ପତ୍ନୀ ମନୋରମା ଦେବୀଙ୍କ ମଧୁର ଛାଞ୍ଚୁଣି ଚିହ୍ନକୁ ପିଠିରେ ବହି ଆଖିଲୁହ ନିଗାଡ଼ି ଡାଳିମ୍ବ ଆସି ଛିଡ଼ା ହେଲା ଦାଣ୍ଡରେ । ପ୍ରଭାକର ଖୁଣ୍ଟିଆଙ୍କ ସ୍ତ୍ରୀ ତାକୁ ଡାକିଆଣି ଆପଣା ବାରଣ୍ଡାରେ ସ୍ଥାନ କରି ଦେଇଛନ୍ତି । ଏଇ ପିଣ୍ଡା ଉପରେ ଡାଳିମ୍ବ କୋଳରେ ଗୋଟିଏ ସୁନ୍ଦର ଶିଶୁ ହାତଗୋଡ଼ ହଲାଇ ଗୋଟିଏ ବର୍ଷ ଖେଳୁଥିଲା । କିନ୍ତୁ ସେ ଲେଉଟି ଯାଇଚି । ଅନେକ ଦିନରୁ ଡାଳିମ୍ବ ଭିତରୁ ମରିଯାଇଛି ବିରହିଣୀ, ଅଭିସାରିକା । ମାତ୍ର ଜୀଇଁଉଠିଚି ‘‘ମା’’ । ସାହିଯାକର ସେ ମାଉସୀ, ପିଉସୀ । ସାହିର ଛୁଆପିଲାଯାକ ତାହାରି ପାଖରେ ସବୁବେଳେ । ସେହିମାନଙ୍କୁ ଘେନି ସେ ଭୁଲି ରହେ ଆପଣାର ଦୁଃଖୀଧନ ନୀଳମଣିକୁ ।

ଦିନେ ଗୋଟାଏ ଦୁର୍ଘଟନାରେ ତାର ଗୋଡ଼ଟାଏ ଛୋଟା ହୋଇଯାଇଚି । ଥରେ ସେ ଜୀବନରେ ଭୁଲ କରିଥିଲା । ଆଉ ସେ କାହାରିକି ମୁହଁ ଟେକି ଚାହିଁ ନାହିଁ । ସେ ପ୍ରାୟଶ୍ଚିତ କରୁଚି-। କିନ୍ତୁ ଗୁରୁଚରଣ ବାବୁ ? ସେ ଯେ ଡେପୁଟି କଲେକ୍ଟର !!

ମଫସଲରୁ ଆସିଥିଲା–ନାଥ ବେହେରା । ମଙ୍ଗରାଜଙ୍କ ବଗିଚାରେ ମାଳି କାମ କରେ । ସାଙ୍ଗରେ ତାର ଆଠ ନଅ ବର୍ଷର ଝିଅଟି–‘‘ଉମା’’ । ଦେଖିବାକୁ ଭାରୀ ସୁନ୍ଦର । ଗୋରା ଦିହ । ଆଖି ଦୋ’ଟି ଢଳଢଳ । ନାଲିଫୁଲିଆ ଓଠରେ ସବୁବେଳେ ସବୁ କଥାରେ ହସ । ସାହିର ସବୁ ପିଲାଙ୍କ ଭିତରେ ଡାଳିମ୍ବର ଧ୍ୟାନଟି ତଦାର ପାଖରେ ବେଶି । ଡାଳିମ୍ବର ସେ ଧରମ ଝିଅ ।

ନାଥ ବେହେରା ଗୋପାଳ; କିନ୍ତୁ ଉମାର ମା’ ଗୋପାଳଘର ଝିଅ ନୁହଁ । ଏଇଥିପାଇଁ ନାଥ ବେହେରା ଗାଁଗଣ୍ଡାରେ ଜାତିଭାଇରେ ଚଳେ ନାହିଁ । ଗାଁ ଛାଡ଼ି, ଜାତି ଛାଡ଼ି ସେ ସହରରେ ଚାକିରି କରିବାକୁ ଆସିଅଛି । ଉମାର ମାଆ ନାହିଁ । କିନ୍ତୁ ଉମାଟି ଅଛି–ତାର ଜୀବନ ।

ମୁହଁ ସଞ୍ଜବେଳେ ଦିନେ ନାଥ ବେହେରା ଡାଳିମ୍ବର ତାଟି ଆଡ଼େ ଡାକିଲା–ଆଲୋ ଡାଳିମ୍ବ !

ଡାଳିମ୍ବ ଚମକି ପଡ଼ିଲା–ଇରେ ନାଥ, ଇଏ କଅଣ ? ତୋର କଅଣ ହୋଇଚି କିରେ ! ଏମିତି ଦିଶୁଚୁ !!

ବସି ପଡ଼ିଲା ନାଥ । ରୋଗା ଦୁର୍ବଳିଆ ଦିହଟା ତାର ପିଣ୍ଡା ଉପରେ ଲତେଇ ପଡ଼ିଲା । ସେ କହିଲା–ମୁଁ ଚାଲିଲି ଲୋ ଡାଳିମ୍ବ । ମୋ ଦିନ ସରିଆସିଲା । ଆଉ ହେଇଟି–ଉମା ପାଇଁ କିଛି କରି ଯାଇ ପାରିଲି ନାହିଁ ।

ପାଖକୁ ଘୁଞ୍ଚଆସି ଡାଳିମ୍ବ ତାର ଓଦା ଆଖି ଦିଟା ପୋଛିଦେଲା ।

କେତେବେଳକେ ଦୀର୍ଘନିଃଶ୍ୱାସ ଟାଣି ନାଥ ଶରୀରର କ୍ଷୀଣ ଶକ୍ତିତକ ଠୁଳ କରି ଉଠି ବସିଲା । କହିଲା-ଯାଉଚି ଲୋ, ପିଲାଟି ତେଣେ କାନ୍ଦୁଥିବ ।

ସାତ ଆଠ ଦିନ ପରେ ଡାଳିମ୍ବର କୁଡ଼ିଆ ଭିତରେ ଆଉ ଖଣ୍ଡିଏ ସନ୍ତରା ମସିଣା ପଡ଼ିଲା । କାନ୍ଦି କାଟି ଉମା ଆସି ଆଶ୍ରା ନେଲା–ଧରମ ମାଆକୋଳରେ । ଡାଳିମ୍ବ କହିଲା–ଝିଅ ଲୋ । ମୁଁ ଅଛି–ତୁ କାନ୍ଦନା ।

ମଣିଷ ମରେ । ଦି’ ଦିନ କାନ୍ଦିକାଟି ଦୁନିଆ ତାକୁ ଭୁଲେ । ଉମା ବି ଭୁଲିଲା ବାପାକୁ । ଡାଳିମ୍ବ ତାକୁ ସଙ୍ଗରେ ନେଇ ଦି’ ଘର ଘରେ କାମ ପାଇଟି କରେ । କୁଡ଼ିଆ ଭିତରେ ସାଙ୍ଗ ହୋଇ ରନ୍ଧାବଢ଼ା କରେ । ଗୀତ ବୋଲି ଉମାକୁ ଶିଖାଏ । ଅ, ଆ, କ, ଖ ଲେଖାଏ । ଡାଳିମ୍ବ ଭାଗବତ ବୋଲି ଜାଣିଥିଲା । ଉମାକୁ ଶିଖାଇଦେଲା ସେତକ ।

 

ଚାରି ପାଞ୍ଚ ବର୍ଷ ଗଲା । ଉମାର ଦିହ ମୁହଁରେ ଖେଳିବୁଲିଲା ଲାବଣ୍ୟର ଢେଉ । ସାହିପିଲାଏ କଣେଇ ଚାହିଁଲେ । ତା’ ଆଡ଼କୁ ସୁସୁକାରି ମାରିଲେ । ପିଣ୍ଡା ଉପରେ ଆସି ବସିପଡ଼ି ତତ୍ତ୍ୱ ନେଲେ ‘‘କିଲୋ ମାଉସୀ, କଅଣ କରୁଚୁ ? କିଲୋ ଉମା, ଭାଗବତ ପଢ଼ୁଚୁକି ?’’

 

ଡାଳିମ୍ବ ଆଖି ତରାଟି ସେମାନଙ୍କୁ ଅନେଇଦିଏ । ସେମାନେ ପଳାଇ ଥାଆନ୍ତି । ଉମାକୁ ସେ ଜାବତା କରିଦିଏ । ଦେଖ ଝିଅ, ତୁ କାହାରି ଆଡ଼କୁ ଚାହିଁବୁ ନାହିଁ । କାହାରି ସାଥିରେ କଥା କହିବୁ ନାହିଁ ।

 

କିଶୋରୀ ଉମା କିଛି ବୁଝେ ନାହିଁ । ହସିଦିଏ ମାତ୍ର । ଉମାକୁ ଡାଳିମ୍ବ ଆଉ ସାଙ୍ଗରେ ନେଲା ନାହିଁ । କାମକୁ ଗଲାବେଳେ ପ୍ରଭାକର ବାବୁଙ୍କ ସ୍ତ୍ରୀଙ୍କ ପାଖରେ ତାକୁ ଛାଡ଼ିଦେଇ ସେ ଯାଏ-। ଉମା ବଢ଼ିଲା ଝିଅ । ଆଉଟା ସୁନା ପରି ଦାଉ ଦାଉ ଜଳୁଛି ତାର ବର୍ଣ୍ଣ । କିନ୍ତୁ ସେ ବାପମା’ ଛେଉଣ୍ଡ ଗରିବ ଅଜାତି ପିଲା । ବଡ଼ ଗୁରୁ ବୋଝଟା ବିଧାତା ଲଦି ଦେଇଚନ୍ତି ଡାଳିମ୍ବ ପରି ନିଆଶ୍ରୀଟି ଉପରେ ।

 

ଗଲା ପୁଣି ବର୍ଷେ ଦି’ ବର୍ଷ । ଡାଳିମ୍ବ ଭାଳି ହେଲା, ‘‘କଅଣ କରିବି । ନିଅଣ୍ଟିଆ ସଂସାର-। ଉମାଟା ନାଗସାପ । କେମିତି ସେ ତାକୁ ପରହାତ କରିବ !!

 

ସାହିରେ ବସା କରିଛି–ବଲ୍ଲଭ ମହାପାତ୍ର । ଜାତିରେ କଅଣ ତାର, ଜାଣେନା ଡାଳିମ୍ବ । ହେଲେ, ବଡ଼ ଭଲ ପିଲା । ବୟସ ପଚିଶ ତିରିଶ ଭିତରେ । ମାଉସୀ ମାଉସୀ ଡାକେ । ସବୁବେଳେ, ସବୁ କଥାକୁ ସାହାପକ୍ଷ ହୁଏ । ସ୍ୱଭାବ, ଚରିତ୍ର ତାର ଖୁବ୍‌ ଭଲ । ଦିନେ ସେ କୁଡ଼ିଆ ଭିତରକୁ ପଶି ଆସି ଡାକିଲା–ଆଲୋ ମାଉସୀ, କଅଣ କରୁଚୁ ?

 

‘‘ଇରେ ମୋ ପୁଅ ଆଇଲାଣି’’ ବୋଲି ଡାଳିମ୍ବ ତାଳପତ୍ର ଚଟେଇ ଖଣ୍ଡେ ପାରିଦେଲା । ଉମା ଚୁଲି ପାଖରେ ଓଢ଼ଣିଟି ଟାଣି ମୁହଁ ଲୁଚାଇ ବସିପଡ଼ିଲା ।

 

ବଲ୍ଲଭ କହିଲା–ମାଉସୀ, ମୁଁ ତତେ ଆଜି ଗୋଟାଏ କଥା କହିବାକୁ ଆସିଚି । ତୁ ସେଥିରେ ନାମଙ୍ଗ ହବୁ ନାହିଁ । ସେଥିରେ ତୋର ଭଲ । ଉମାର ବି ମଙ୍ଗଳ । ମୁଁ କହୁଚି–ଉମା ଚାଲୁ, ଆମ ଥିଏଟର ପାଟିରେ ଚାକିରି କରିବ । ମାସକୁ ପଚିଶ ଟଙ୍କା ପାଇବ । ଆଉ ମୁଁ ତ ସେଠି ମେନେଜର, ସର୍ବେସର୍ବା । ମୁଁ ତାକୁ ଆଖିଏ ଆଖିଏ ରଖିବି ।

 

ଜିଭଟାକୁ କାମୁଡ଼ି ପକେଇ ଡାଳିମ୍ବ କହିଲା–ସେ କଥା କହନା ପୁଅ । ତାକୁ ମୁଁ କେମିତି କାହା ହାତରେ ଛନ୍ଦି ଦେବି, ସେତିକି ମୋର ଚିନ୍ତା । ତେଣିକି ସେ ଯାହା କରୁ ।

 

ବଲ୍ଲଭ–ବାସ୍‌ ସେଇ କଥା ତ । ଆଚ୍ଛା, ମୁଁ କହିବି ଯିଏ ତାକୁ ନେଇ ଚିରଦିନ ସଂସାର କରିବ, ସେ ଯେବେ ତାକୁ ନେଇ ଥିଏଟର ଦଳରେ ରଖେ–ତେବେ ତୋର ଆଉ ଆପତ୍ତି କଅଣ ? ଏବେ ତ ଭଲ ଘରର ଝିଅ ବୋହୂଏ ଆସି ନାଚୁଚନ୍ତି, ଅଭିନୟ ଦେଖାଉଚନ୍ତି । ସେଥିରେ ହାନି କଅଣ ?

 

ଦୀର୍ଘ ନିଃଶ୍ୱାସ ପକାଇ ଡାଳିମ୍ବ କହିଲା–ସେ ପରହାତ ହେଲାଠୁଁ ଯାହା କରୁ ପୁଅ । ତେଣିକି ମୁଁ ତାର କେହି ନୁହେଁ । ତା’ ସ୍ୱାମୀ ବୁଝିବ, ସେ ବୁଝିବ ।

 

ଟିକିଏ ଉମା ଆଡ଼ୁ ଆଖି ବୁଲାଇ ଆଣି ଡାଳିମ୍ବର ହାତଟାକୁ ଧରି ପକାଇ ବଲ୍ଲଭ କହିଲା–ହେଇଟି ମାଉସି, ଉମା ଆଜିଠୁ ପରହାତ ହେଲା ବୋଲି ଜାଣ । ମୁଁ ତାକୁ ବାହା ହେବି । ଏ କଥାକୁ ଧର୍ମଦେବତା ସାକ୍ଷୀ ରହିଲେ । ଆଜିଠୁ ଉମା ମୋର, ମୁଁ ତାର । ତୁ ମୋର ମାଆ ସମାନ । ମୋ ଘରେ ବାପମାଆ କେହି ନାହିଁ । ମୋର ବି ଜାତି ଅଜାତି କିଛି ନାହିଁ । ମୁଁ ମଣିଷ । ଆଜିଠଉଁ ଉମା ଉପରେ ତୋର କିଛି ଅଧିକାର ନାହିଁ । ତୁ ତାକୁ ମୋ ଜିମା ଛାଡ଼ିଦେ ।

 

ପଣନ୍ତ ଟେକି ଉମା ଚମକି ପଡ଼ି ଚାହିଁଦେଲା ବଲ୍ଲଭ ଆଡ଼କୁ । ଏଇ ତାର ବାହା । ବେଦୀ ଉପରେ ନୁହେଁ; ମନେ ମନେ, ପ୍ରାଣେ ପାଣେ ।

 

ଦୀର୍ଘନିଶ୍ୱାସ ଟାଣି, ଆନନ୍ଦରେ ଅଶ୍ରୁ ଗଡ଼ାଇ ଡାଳିମ୍ବ କହିଲା–ପୁଅ ! ଇଏ କଅଣ ତୋର ସତ୍ୟ ?

 

ସତ୍ୟ, ସତ୍ୟ, ତ୍ରିବାର ସତ୍ୟ । ଉମା ମୋର ସ୍ତ୍ରୀ, ମୁଁ ତାର ସ୍ୱାମୀ । ମୁଁ ନାଟ୍ୟଦଳର ଅଭିନେତା । ସେ ମୋର ଅଭିନେତ୍ରୀ ।

 

କୃତଜ୍ଞତାରେ ଡାଳିମ୍ବର ଛାତି ଭିତରଟା ଫୁଲି ଉଠିଲା । ସେ କାନ୍ଦି ପକାଇଲା–ଆନନ୍ଦରେ । ସେ ଆଶା କରି ନ ଥିଲା ଏତେ ବଡ଼ କଥାଟାଏ । ବଲ୍ଲଭ ବିଖ୍ୟାତ ଯାତ୍ରାଦଳର ମେନେଜର, ସର୍ବେସର୍ବା । ଗୋଟାଏ ରଜା ଜମିଦାର ଭଳି ଚଳେ ସେ । ଯୋଡ଼ି ଘୋଡ଼ାଟଣା ପିଂଟନ୍‌ ଗାଡ଼ି ଚଢ଼ି ସେ ଯାଆଆସ କରେ । ଉମାକୁ ଟାଣିଆଣି ତା’ ହାତଟାକୁ ବଲ୍ଲଭ ହାତରେ ଧରାଇ ଦେଇ ଡାଳିମ୍ବ କହିଲା, ‘‘ଏଥର ଉମା, ତୁ ବୁଝୁ ସେ ବୁଝୁ । ଧର୍ମ ତିନି କାଳରେ ସତ । ସେ ରହିଲେ ସାକ୍ଷୀ ।’’

 

ଦି’ଦିନ ପରେ ସଞ୍ଜକୁ ବଗିଗାଡ଼ି ଭିତରେ ବଲ୍ଲଭବାବୁଙ୍କ ସାମନା ସାମନି ବିସି ଉମା ଗଲା ଥିଏଟର ଦଳକୁ ।

 

ଉମା ଭଲ ଗାଏ । ଓଠରେ ତାର ସଦାବେଳେ ହସ । ଫୁଲଟି ଫୁଟିଥାଏ । ରୂପଯୌବନ ତାର ଭାଦ୍ରର ଭରା ନଈ ପରି ପରିପୂର୍ଣ୍ଣ ନିର୍ମାଣ । ସେ ହୁଏ ଅଭିନେତ୍ରୀ । ବଲ୍ଲଭ ଅଭିନେତା । ବଲ୍ଲଭ ଦେଲା ତାକୁ ଶିକ୍ଷା ।

 

ବଲ୍ଲଭ ନାଟ୍ୟଦଳର ଡିରେକ୍ଟର । ତା’ରି ପ୍ରେରଣାରେ ଉମାର ମୁହଁ ଫିଟିଲା, ଅଙ୍ଗଅବୟବରେ ଭାବଭଙ୍ଗିରେ ତରଙ୍ଗ ଖେଳିଲା । ଅଭିନୟର ମୂର୍ଚ୍ଛନା ଆଙ୍କି ଭାବୁକ ଦର୍ଶକମଣ୍ଡଳୀଙ୍କୁ ମୁଗ୍‌ଧ କରିଦେଲା ଉମା । ସହର ତମାମ ରଟିଗଲା ଉମାର ଭୁରି ପ୍ରଶଂସା । ଓଡ଼ିଶା ନାଟ୍ୟ ଗଗନରେ ଅନିନ୍ଦ୍ୟ ସୁନ୍ଦରୀ ଉମାରାଣୀ–ରୂପରେ, ଗୁଣରେ, ଗୀତରେ, ଭାଷାରେ, ଭାବରେ, ଭଙ୍ଗୀରେ ଅନୁପମା, ଅଦ୍ୱିତୀୟା । ବଲ୍ଲଭ ଆପଣାକୁ ଧନ୍ୟ ମନେକଲା । ଚାରିଆଡ଼େ ଧନ୍ୟ ଧନ୍ୟ ପଡ଼ିଗଲେ–‘‘ବଲ୍ଲଭବାବୁ ତୁମେ ଭାଗ୍ୟବାନ । ତୁମର କଳା ସାର୍ଥକ । ତୁମର ଶ୍ରମ ସାର୍ଥକ ।’’

 

କିନ୍ତୁ ରୂପପିପାସା ଜାଗିଲା । ପ୍ରତିଦ୍ୱନ୍ଦ୍ୱୀ ଶିଳ୍ପୀ ଓ ଦର୍ଶକମାନଙ୍କ ମନ ଭିତରେ । ସେମାନେ ଚାହାନ୍ତି ଉମାକୁ ଆପଣାର କରିନେବାକୁ । ମାତ୍ର ହାୟ ! ଉମା ବଲ୍ଲଭର । ଆଉ ବଲ୍ଲଭ ଉମାର । ଉମାର ଜାତି ନାହିଁ, ଗୋତ୍ର ନାହିଁ ।

 

ନ ଥାଉ ତାର ଜାତି–ସେ ମଣିଷ । ସେ ସୁନ୍ଦରୀ, ସେ ଗୁଣବତୀ । ସେ ଯୁବତୀ, ସେ ବୁଦ୍ଧିମତୀ, ବିଦୁଷୀ ।

 

ବଲ୍ଲଭ ଆଉ ଉମା । ସଂସାରର ହଜାର ପ୍ରଲୋଭନ । ଆଡ଼ନୟନରେ ଚାହିଁଲା ନାହିଁ ଉମା । କାହାର କେତେ ମୂଲ୍ୟବାନ ଉପଢ଼ୌକନ, କାହାର କେତେ ସ୍ୱର୍ଣ୍ଣରୌପ୍ୟର ପଦକ, କାହାର କେତେ ପ୍ରଶଂସାପାତ୍ର ସବୁରେ ପ୍ରତ୍ୟାଖ୍ୟାନ କଲା । କାରଣ ବଲ୍ଲଭ ତାର ଜୀବନର ବଲ୍ଲଭ । ତାର ଆରାଧ୍ୟ ଦେବତା, ତାର ସ୍ୱାମୀ, ଧର୍ମ ସାକ୍ଷୀ ଅଛି । ଦୁନିଆ ଏ କଥା ଅନେକ ଦିନରୁ ଜାଣିଚି । ଆଉ କଅଣ ବାକି ?

 

ହସଖେଳ, ଆନନ୍ଦ–ପରିହାସ, ମାନ–ଅଭିମାନ ଭିତର ଦେଇ ଉମା ଆଉ ବଲ୍ଲଭର ଛଅଟି ବର୍ଷ ବିତିଗଲା । ଉମା କୋଳରେ ଗୋଟିଏ ଶିଶୁ ଖେଳିଲା । କୁସୁମର ହସ । ହସ ମୁହଁରେ ମଉଳିବାର ଦିନ ଆସିଲା । ରୂପପିପାସୀ କଳାଶିଳ୍ପୀ ବଲ୍ଲଭର ମନ ଭିତରେ ଆଉ ଗୋଟିଏ ସଜ ଫୁଟା ଫୁଲ ଆଡ଼କୁ ଚାହିଁବାର ଆଶା ଜାଗିଲା । ସେ ଦୁଇ ମାସର ଛୁଟି ଘେନି ଉମାକୁ କଟକ ବସାରେ ଛାଡ଼ି ଗାଁକୁ ଗଲା । ଧନୀ ବଲ୍ଲଭକୁ ଘେରି ବସିଲେ ଦାଦିଖୁଡ଼ି, ମାମୁଁମାଇଁ, ସାଇପଡ଼ିଶା । ହଠାତ୍‌ ଦିନେ କାନ୍ଥବାଡ଼ରେ ପିଠଉବଟା ପଟକା ଚିତା ପିଟି ଦେଇଗଲା ଭଣ୍ଡାରୁଣୀ । ଦାଣ୍ଡ ଅଗଣାରେ ଯୋଡ଼ି ପେଁକାଳି, ଯୋଡ଼ି ନାଗରା ବାଜି ଉଠିଲା । ବେଦୀ ଉପରେ ନଡ଼ିଆପତ୍ର ଛାମୁଡ଼ିଆ ଭିଡ଼ିଦେଲା ସଇତା ବାରିକ । ନରି ଭୋଇ ଶଙ୍ଖଟାଏ ଫୁଙ୍କିଦେଲା–ଭୁଉଁ–ଉଁ ।

Image

 

ପ୍ରଫେସର ମହାପାତ୍ରଙ୍କ ଭାଉଜ

 

ଉପେନ୍ଦ୍ର ମହାପାତ୍ର ଚଉଧୁରୀ ବଜାରରେ ନାମକୁ ମାତ୍ର ଦୋକାନ ଖଣ୍ଡିଏ କରିଥାଆନ୍ତି । କିନ୍ତୁ ସ୍ୱଦେଶୀ ଆନ୍ଦୋଳଳନର ଜଣେ ପ୍ରଧାନ ରୂପେ ସେ ଖଦଡ଼ ପିନ୍ଧି ଏଣେ ତେଣେ ପ୍ରଚାର କରି ବୁଲୁଥାଆନ୍ତି । ବଙ୍ଗଳାରେ ବନ୍ଦେ ମାତରଂ ସାଙ୍ଗମାନଙ୍କ ସାଙ୍ଗରେ ସେ ଜଣେ ବିପ୍ଳବୀ ବୀର । ଗୁପ୍ତରେ ଚିଠିପତ୍ର ଓ ଯିବା ଆସିବା । ଇଂରେଜ ସରକାରଙ୍କ କଡ଼ା ନଜରରେ ପଡ଼ିଗଲେ । ଘରଦ୍ୱାର, ବ୍ୟବସାୟ, ବାଣିଜ୍ୟ ଛାଡ଼ି ଦିନେ ହଠାତ୍‌ କେଉଁଆଡ଼େ ଉଭାନ ହୋଇଗଲେ । ସାଙ୍ଗ କେତେଜଣ ଧରା ହୋଇ ଜେଲ୍‌ ଗଲେ । ଲୋକ ଜନରବ ପ୍ରଚାରିତ ହେଲା ଯେ, ଉପେନ୍ଦ୍ର ବାବୁ କଲିକତାରେ ଧରା ହୋଇ ଜେଲ୍‌ ଗଲେ ।

 

କଟକରେ ବସାଘର ଏବଂ ସାଲେପୁର ପାଖ ମଣ୍ଡାସାହିରେ ଘର । ଘରେ ସ୍ତ୍ରୀ ଅନ୍ତସତ୍ତ୍ୱା–ଖବର ପାଇ ଆକୁଳ ହୋଇପଡ଼ିଲେ । ଖୁଡ଼ୁତାଶୁର ଭୂତନାଥ ମହାପାତ୍ର ବାବୁ ନିଜେ ଜଣେ ଗାନ୍ଧିବାଦୀ ଓ ଅସହଯୋଗ ଆନ୍ଦୋଳନର କର୍ଣ୍ଣଧାର । ପୁତୁରା-ବୋହୂକୁ ପ୍ରବୋଧନା ଦେଇ କୌଣସି ପ୍ରକାର ସମ୍ଭାଳି ନେଲେ । ତା’ପରେ ଦେଶରେ ବହୁ ବିପ୍ଳବ ଘଟିଲା ଏବଂ କକା ଦୁଇ ଦୁଇଥର ଜେଲ ଗଲେ । ଅନ୍ତସତ୍ତ୍ୱା ଉପେନ୍ଦ୍ର ବଧୁ କନ୍ୟା ସନ୍ତାନଟିଏ ଜନ୍ମ କଲେ । ସେ ବଢ଼ିଲା । ବିବାହଯୋଗ୍ୟା ହେଲା । ବିଭା ହୋଇ ଶାଶୁଘରକୁ ମଧ୍ୟ ଗଲା । ଉପେନ୍ଦ୍ର ବାବୁଙ୍କ ଖୋଜ ଖବର କିଛି ମାତ୍ର ମିଳିଲା ନାହିଁ । ଦେଶ ସ୍ୱାଧୀନ ହେଲା ଏବଂ ଇଂରେଜମାନେ ଭାରତ ଛାଡ଼ି ଚାଲିଗଲେ । ଆଗପଛ ହୋଇ ରାଜନୈତିକ ବନ୍ଦୀମାନେ ସମସ୍ତେ ମୁକ୍ତିଲାଭ କରି ଘରକୁ ବାହୁଡ଼ିଲେ; ମାତ୍ର ଉପେନ୍ଦ୍ର ବାବୁ ଫେରିଲେ ନାହିଁ । ସମସ୍ତେ ଧରିନେଲେ ସେ ହୁଏତ କେଉଁଠାରେ ଗୁଳି ଚୋଟରେ ମରିଛନ୍ତି କିମ୍ବା ଜେଲଖାନା ଭିତରେ ଦେହତ୍ୟାଗ କରିଛନ୍ତି ।

 

ତାଙ୍କ ବୋହୂ କିନ୍ତୁ ବିଧବା ହେଲା ନାହିଁ । ସ୍ୱାମୀଙ୍କୁ ପଳାତକ ନିରୁଦ୍ଦେଶ୍ୟ ବୋଲି ଗ୍ରହଣ କରିନେଲା । ପରିବାର ମଧ୍ୟରେ କେତେ ଅଭାବ–ଅନାଟନ, ଝଡ଼ଝଞ୍ଜା ଓ ଓଲଟପାଲଟ ମଧ୍ୟରେ ମୁକ ପାଷାଣ ପରି ପଡ଼ିରହିଲା ବୋହୂଟି ସବୁ ସହି ସହି, ସମସ୍ତଙ୍କ କଥା ଉପରେ ଅନ୍ୟମନସ୍କ ଭାବେ ହୁଁ ହାଁ ମାରି ମାରି । ସାଇ ମାଇପେ ପଚାରନ୍ତି–ହଇଲୋ ବୋହୂ, ଉପେନ୍ଦ୍ର ଆଉ କଅଣ ଅଛନ୍ତି ? ଥିଲେ ତ ଭାଷା ଖଣ୍ଡେ ଦେଉଥାଆନ୍ତେ । ଆଉ କଅଣ ଅଂରିଜୀ ଭୟ ଅଛି ? ? ଦୀର୍ଘ ସତର ଅଠର ବର୍ଷ ବିତିଗଲା । ହଠାତ୍‌ ଦିନେ ଭୂତନାଥ ବାବୁ ନିଜ କ୍ଳିନିକରୁ ଭିତର ଖଞ୍ଜାକୁ ଦୌଡ଼ିଆସି ଡାକ ପକାଇଲେ–କିଏ କୋଉଠି ଅଛ ଦୌଡ଼ି ଆସ । ହେଇ ନିଅ ଚିଠି ଆସିଚି । ରୋଷେଇ ଘରେ ଥାଇ ଘରଣୀ ଏକପ୍ରକାର ବିରକ୍ତ ହୋଇ ଉଠି କହିଲେ– ଏମିତି କଅଣ ପାଗଳ ହୋଇଯାଉଚ, କିଏ ଦେଇଚି ଚିଠି ? କଅଣ ଉପେନ୍ଦ୍ର ଦେଇଚନ୍ତି କି ?

 

ଭୂତନାଥ–‘‘ନାଁ, ନାଁ, ଉପେନ୍ଦ୍ର ନୁହେଁ, ମହେନ୍ଦ୍ର ।’’ ଘରଣୀ–ମହେନ୍ଦ୍ର, କଅଣ ହେଲା ତାର । ତୁମେ ଏମିତି କାହିଁକି ହଉଚ । କଅଣ ହେଲା ତାର ? ମୋଟେ ଦି’ ମାସ ହେଲା ପିଲାଟା ବିଲାତ ଗଲା । କହୁଥିଲି ଯାଆନା, ଯାଆନା । ଇଲୋ ମୋ ପୁଅଟାର କଅଣ ହେଲା ହେ ? କଅଣ ତୁମେ କହୁଚ ? ଏମିତି କହି ଗୃହିଣୀ ଏକପ୍ରକାର ତଳେ ପଡ଼ିଗଲେ । ଭୂତନାଥ ବାବୁ ତାଙ୍କୁ ଧରି ଉଠାଇ କହିଲେ–ଥୟ ଧର । କିଛି କାହାରି ହେଇ ନାହିଁ । ଭଲ ଖବର ଲେଖିଚି । ଉପେନ୍ଦ୍ର ସେଇ ବିଲାତରେ ଅଛି–ଲଣ୍ଡନ ସହରରେ । ମହେନ୍ଦ୍ର ତାକୁ ହଠାତ୍‌ ଦିନେ ଗୋଟାଏ ଗଳିରାସ୍ତାରେ ଭେଟିଲା ଏବଂ ଚିହ୍ନିପାରିଲା । ସେଇଠି ଘରଦ୍ୱାର କରି ରହିଚି ।

 

ଉଠି ବସି ଦୀର୍ଘଶ୍ୱାସ ଟାଣି ଗୃହିଣୀ କହିଲେ–ହଉ ପଢ଼ । କଅଣ ଲେଖିଚି ମହେନ୍ଦ୍ର । ଚିଠି ପଢ଼ା ହେଲା–ଓଡ଼ିଆରେ ଲେଖା–

 

ମାନନୀୟ କକେଇ,

 

ନମସ୍କାର ଗ୍ରହଣ କରିବ । ଏ ଚିଠି ପାଇ ତୁମେ ସବୁ କାନ୍ଦିବ କି ହସିବ ଜାଣିପାରୁ ନାହିଁ-। ଭାଉଜଙ୍କୁ ଧୀରେ ସୁସ୍ଥେ ଖବର ଦେବ । ଉପେନ୍ଦ୍ର ଭାଇନା ଏଇଠି ଅଛନ୍ତି । ହଠାତ୍‌ ଦିନେ ମୁଁ ତାଙ୍କୁ ଗୋଟିଏ ଗଳି ରାସ୍ତାରେ ଦେଖି ଦୋ ଦୋ ଚିହ୍ନା ହେଲି । ପୁରା ସାହେବୀ ପୋଷାକ-। ତାଙ୍କ ପଛେ ପଛେ ମାଇଲିଏ ବାଟ ଚାଲିଲି । ତା’ପରେ ଡାକିଦେଲି–‘ଭାଇନା ?’ ସେ ମୋ ଆଡ଼କୁ ଚାହିଁ ଫେରି ପଡ଼ିଲେ । କହିଲେ–କିରେ ମହି, ତୁ କେଡ଼ୁଟିଏ ହୋଇଗଲୁଣି ରେ ! ତୁ ପୁଣି ଏ ଦେଶକୁ କେମିତି କୁଆଡ଼େ ଅଇଲୁ ? କହିଲି–ମୁଁ ଅଧ୍ୟାପକ ଚାକିରି କଲି । ତା’ପରେ କେତେ ବର୍ଷ ବାଦ ଏଠିକି ପି: ଏଚ୍‌: ଡି: କରିବା ପାଇଁ ଆସିଛି । ତୁମେ ଏଠି କେଉଁଠି, କେମିତି ଅଛ ? ମତେ ଚିହ୍ନିପାରିଲ ?

 

କହିଲେ–ଚିହ୍ନିପାରିବି ନାହିଁ ମୋ କକାପୁଅ ଭାଇଟାକୁ । ଆ ମୋ ସାଙ୍ଗରେ, ମୋ ବସାକୁ । ଏଇଠି ପାଖରେ ।

 

ତାଙ୍କ ଘରକୁ ଗଲି । ସାନ ବଡ଼ ପିଲା ତିନୋଟି ତାଙ୍କର । ଭାରି ସୁନ୍ଦର ହୋଇଚନ୍ତି । ଚିହ୍ନେଇ ଦେଇ କହିଲେ–ଅଙ୍କଲ୍‌ । ସେମାନେ ଗୋଟି ଗୋଟି ହୋଇ ଆଗେଇ ଆସି ଗୁଡ୍‌ମଣିଂ କଲେ । କୋଳ ଉପରକୁ ଉଠାଇ ନେଇ ଚୁମା ଖାଇଲି । ତା’ପରେ ତାଙ୍କ ମାଆ ପରିଚୟ ପାଇ ଆଗେଇ ଆସିଲେ । ହସି ହସି ଅଭିବାଦନ ଜଣାଇଲେ । ଭାରତ ଆଉ ଇଂଲଣ୍ଡ କାଇଦା ଭିନ୍ନେ ହେଲେ ବି ଏକା ମଣିଷ, ଏକା ହୃଦୟ, ଏକା ମନ । ଭାଇନା ଏଠି ତାଙ୍କୁ ବିଭା ହୋଇଚନ୍ତି । ଭାଇନା ପଳାଇ ଆସି ଏଠି ପହୁଞ୍ଚିଲାବେଳେ–ଏଇ ଭାଉଜଙ୍କ ବାପା ରବର୍ଟ ସାହେବ ଜୀର୍ଣ୍ଣଶୀର୍ଣ୍ଣ ଅବସ୍ଥାରେ ରାସ୍ତାରୁ ଏକପ୍ରକାର ଗୋଟାଇ ଆଣି ନିଜ ଘରେ ଆଶ୍ରୟ ଦେଲେ ଏବଂ ପ୍ରତିପାଳନ କଲେ । ବଡ଼ ଉଦାରମନା ବ୍ୟକ୍ତି ସେ–ବଡ଼ ଧର୍ମପରାୟଣ ଓ ଅତିଥିବତ୍ସଳ । ଜଣେ ପଳାତକଙ୍କୁ ଆଶ୍ରୟ ଦେଇ ନିଜେ ସେ ଏତେ ବଡ଼ ବିପଦ ଭିତରକୁ ପାଦ ବଢ଼ାଇଚନ୍ତି । କେବଳ ମାତ୍ର ଅତିଥିପରାୟଣତା ପାଇଁ । ସେ ମରିଯାଇଚନ୍ତି । ମାଆ ବି ମରିଯାଇଚନ୍ତି । ଖଣ୍ଡିଏ ଘର ଅଛି ଏବଂ ଗୋଟିଏ କମ୍ପାନୀରେ ମୋଟା ଧରଣର କିଛି ସେୟାର ଅଛି । ରୀତିମତ ଚଳିଲା ଭଳି ଡିଭିଡ଼େଣ୍ଡ (ଲାଭାଂଶ) ମିଳିଯାଏ; ଏବଂ ଏମାନେ ଚଳନ୍ତି । ଏକମାତ୍ର ଝିଅ–ନାଁଆ ତାର ଜୁଲି ତ୍ରିଷ୍ଟିନ । ସୁନ୍ଦର ଝିଅଟିଏ, ବ୍ୟବହାର ଚମତ୍କାର । ତାକୁଇ ଭାଇନା ବିଭା ହୋଇଚନ୍ତି ଏବଂ ତାଙ୍କରି ତିନୋଟି ପିଲା । ପୁଅ ଗୋଟିଏ ଏବଂ ଝିଅ ଦୁଇଟି । ମୁଁ ତାଙ୍କ ଘରକୁ ପ୍ରାୟ ସବୁଦିନ ବୁଲି ଆସୁଚି ଏବଂ ଏ ଭାଉଜ ଭାରି ଆଦର ଯତ୍ନ କରୁଚନ୍ତି । କକେଇ, ଏଠି ମୋତେ ନିଜ ଘରେ ଥିଲା ପରି ଲାଗୁଚି । ସବୁ ତ ଏକା, କେବଳ ତଫାତ୍‌ ହେଲା–ଇଂରେଜୀ ଭାଷାଟା । ଭାବିଚି ଫେରିଲାବେଳକୁ ପିଲା ତିନୋଟିଙ୍କ ସଙ୍ଗରେ ଭାଇ ଭାଉଜଙ୍କୁ ଗାଁକୁ ନେଇଯିବି । ତୁମେ ଆମର ସମସ୍ତଙ୍କୁ ଏ କଥା ପଚାରିବ । ସେମାନେ ହିଁ କରନ୍ତୁ ଏତିକି ମୋର ଅନୁରୋଧ । ସେଠା ଭାଉଜଙ୍କୁ କହିବ ଏଇ ତାଙ୍କର ସଉତୁଣୀ ଆଦୌ ନୁହେଁ । ଏଇ ତାଙ୍କ ପଳାତକ ସ୍ୱାମୀଙ୍କ ରକ୍ଷାକର୍ତ୍ତ୍ରୀ ଏବଂ ମହୀୟସୀ ମହିଳା । ଇଏ ତାଙ୍କର ଭଉଣୀ । ଶତ୍ରୁ ନୁହେଁ । ଆହା ! ପିଲାଟିମାନ କେଡ଼େ ସୁନ୍ଦର ଓ ସରଳ ! ସଦାବେଳେ କୋଳେଇ ଧରି ଚୁମା ଖାଇବାକୁ ମନ ବ୍ୟାକୁଳ ହେଉଚି । ମୁଁ ଭଲ ଅଛି । ଅବିଳମ୍ବେ ଅନୁକୂଳ ଉତ୍ତର ପଠାଇବ । ମୁଁ ନିଶ୍ଚେ ସେମାନଙ୍କୁ ସଙ୍ଗେ ଧରି ଫେରିବି । ଟଙ୍କାକଉଡ଼ି ସକାଶେ ଚିନ୍ତା କରିବ ନାହିଁ-

 

କେବଳ ଗାଁଟା ସାରା କାହିଁକି, ସାରା ପ୍ରଦେଶଯାକ କଥାଟା ବ୍ୟାପିଗଲା । ଉପେନ୍ଦ୍ର ବାବୁ ବଞ୍ଚିଛନ୍ତି ଏବଂ ଆସିବାକୁ ଇଚ୍ଛା କରିଚନ୍ତି । ଏହାଠାରୁ ବଳି ସୁଖର ଖବର ଆଉ କଅଣ ଥାଇପାରେ ? ଯିଏ ଶୁଣିଲା, ସେ କହିଲା–ଆସନ୍ତୁ । ସ୍ୱାମୀ ସ୍ତ୍ରୀ ଛୁଆପିଲା ସମସ୍ତେ ଆସନ୍ତୁ । ଜୁଲି ତ୍ରିଷ୍ଟିନା ଆମର ବୋହୂ, ଆମ ଦେଶର ବୋହୂ । ଜାତି କଅଣ, ଧର୍ମ କଅଣ ? ମଣିଷ ହିସାବରେ ତାଙ୍କ ଆସନ ଆମଠାରୁ ଅତି ଉଚ୍ଚରେ ।

 

ସମୟ ହେଲା । ମହେନ୍ଦ୍ରବାବୁଙ୍କ ବିଦେଶୀ ପାଠପଢ଼ା ସରିଲା । ସେ ପି: ଏଚ: ଡ଼ି: ପାଇ ଦେଶକୁ ଫେରିଲେ । ଫେରିଲେ ଉପେନ୍ଦ୍ର ଭାଇନା, ଜୁଲି ଭାଉଜ ଏବଂ ପିଲା ତିନୋଟିକୁ ସଙ୍ଗରେ ଘେନି । ଲଣ୍ଡନ ନଗରୀର ଇଂରେଜ ଝିଅ ଜୁଲି ତ୍ରିଷ୍ଟିନା ଗାଉନ୍‌ ପିନ୍ଧି, ଜୋତାମୋଜା ମଡ଼େଇ, ମୁଣ୍ଡ ଉପରେ କହରା ସୁନେଲୀ ରଙ୍ଗର ବାଳ ଖେଳାଇ, ପିଲା ଦୁଇଟିଙ୍କ ହାତ ଧରି ଆର ପିଲାଟିକୁ ଆଗେ ଆଗେ ଚଳାଇ ନିପଟ ଗାଉଁଲି ଗାଁ ମଣ୍ଡାସାହିର ନିତାନ୍ତ ରକ୍ଷଣଶୀଳ ବ୍ରାହ୍ମଣ ସାହିର ମାଟି ଚାଳଘର ଭିତରକୁ ପାଦ ବଢ଼ାଇଲା । ଅତି ଅଦ୍ଭୁତ ଜୀବ କେତୋଟିଙ୍କୁ ଦେଖି ଉପେନ୍ଦ୍ରକୁ ଅଭିବାଦନ ଜଣାଇବାକୁ ସାଇପଡ଼ିଶାଏ ଏକ ପ୍ରକାର ଭୁଲିଗଲେ । ପୁରୁଣା ଭାଉଜ ସୁଁ ସୁଁ ହୋଇ ଓଢ଼ଣା ପକାଇ ଆସି ଉପେନ୍ଦ୍ରଙ୍କ ପାଦତଳେ ମୁଣ୍ଡିଆ ମାରି ପଡ଼ିଗଲା । ତ୍ରିଷ୍ଟିନା ନିକଟରେ ଉପେନ୍ଦ୍ର ବାବୁ ତାଙ୍କୁ ଚିହ୍ନା କରାଇଦେଲେ ଏବଂ ଜୁଲି ତାଙ୍କୁ ତଳୁ ଉଠାଇ ନେଇ ତାଙ୍କ ଆଖିରେ ଲୁହ ଦେଖି ନିଜେ ଆତ୍ମବିଭୋଳ ହୋଇପଡ଼ି ଏକପ୍ରକାର କାନ୍ଦି ପକାଇଲେ ଏବଂ ନିଜ ବକ୍ଷ ଆଡ଼କୁ ଟାଣି ନେଇ କହିଉଠିଲେ, Do not cry sister. I will cry at your cry. Be happy with him now.

 

(କାନ୍ଦି ନାହିଁ ଭଉଣୀ, ତୁମ କାନ୍ଦ ଦେଖି ମତେ କାନ୍ଦ ମାଡ଼ୁଚି । ତାଙ୍କ ସହିତ ତୁମେ ଏବେ ଖୁସିରେ ରୁହ ।)

 

ମହେନ୍ଦ୍ରବାବୁ ନିଜର କୋଠାଘରେ ତ୍ରିଷ୍ଟିନା ଓ ତାଙ୍କ ପିଲାଙ୍କ ପାଇଁ ରହିବାର ବ୍ୟବସ୍ଥା କରିଦେଲେ । ସେ ସେମାନଙ୍କୁ କଟକ ବସାକୁ ଯିବାପାଇଁ ଡାକିଲେ । ମାତ୍ର ଜୁଲି ହସି ହସି ମନା କଲା । କହିଲା–ଧନ୍ୟବାଦ । ମୁଁ ଏଇ ଗାଁରେ ରହିବି ଏବଂ ରହିପାରିବି । Thank you very much.

 

ଦି’ ଚାରିଦିନ ଜୁଲିକୁ ଦେଖିବା ପାଇଁ ଗାଁର ଝିଅବୋହୂଏ ଏବଂ ଯୁବକ–ବୃଦ୍ଧ ଆସିଲେ ଗଲେ । ଜୁଲି ଇଂଲଣ୍ଡରେ ଥିଲାବେଳେ ଉପେନ୍ଦ୍ର ବାବୁଙ୍କୁ ଭଲ ଇଂରାଜୀ ଶିଖାଇବା ବଦଳରେ ତାଙ୍କଠାରୁ ଅଳ୍ପ କିଛି ଓଡ଼ିଆ ଶିଖି ନେଇଥିଲା । ସାଇପଡ଼ିଶାଙ୍କ ସହିତ ସେ ମଧ୍ୟ ଖଣ୍ଡଖଣ୍ଡିଆ ଓଡ଼ିଆ ଭାଷାରେ ଭାବ ଆଦାନ ପ୍ରଦାନ କରିବାକୁ ଆରମ୍ଭ କରିଦେଲା । ଘର ବୁଲି ଗଲା । ଶାଢ଼ି ପିନ୍ଧିଲା, ସିନ୍ଦୂର ପିନ୍ଧିଲା । ଚଟେଇରେ ସମସ୍ତଙ୍କ ସଙ୍ଗରେ ବସି ହୃଦୟ ମିଳାଇ କଥାବାର୍ତ୍ତା ହେବାକୁ ଲାଗିଲା । ଗ୍ରାମ୍ୟସ୍ୱାସ୍ଥ୍ୟ, ଗ୍ରାମଶିକ୍ଷା, ବିଦ୍ୟାଳୟର ଶିକ୍ଷାଦାନ ପଦ୍ଧତି ଆଦି ସବୁ ବିଷୟରେ କିଛି ନା କିଛି ସଂସ୍କାର ଆଣିବାକୁ ସେ ଚେଷ୍ଟା କଲା । ମାତ୍ର ଧୀରେ ଧୀରେ ଦେଖିଲା, ଲୋକେ ତାକୁ ଆନ୍ତରିକ ଭାବରେ ଘୃଣା କରୁଚନ୍ତି । ତାର କାରଣ ସେ ହିନ୍ଦୁ ନୁହେଁ-ଖ୍ରୀଷ୍ଟିଆନ । ସେ ଗୋରାଝିଅ ଏବଂ ତା’ ବାଳ ଓ ଆଖି ଦିଟା କହରା ଓ ଚିହ୍ନା ଚିହ୍ନା । ଓଢ଼ଣା ପକାଇ ଜାଣେ ନାହିଁ । ‘‘ହଂସ ମଧ୍ୟେ ବକ ଯଥା ।’’ ଏ ଦେଶୀୟ କଳା ଲୋକଙ୍କ ସଙ୍ଗରେ ସେ ମିଶିପାରୁ ନାହିଁ । ତା’ ଢଙ୍ଗ ଭିନ୍ନେ, ତା’ ଚାଲିଚଳନ ଭିନ୍ନେ । ଜୋତା ମାଡ଼ି ରୋଷଶାଳାରେ ପଶୁଚି । ଛି, ଛି–ଫିରିଙ୍ଗି ସାଇବଗୁଡ଼ାକ । ଜାତି ପତର ଠିକ୍‌ ଠିକଣା ନାହିଁ । ଯବନ ଚଣ୍ଡଳଗୁଡ଼ାକ ହାଡ଼ି ପାଣଠୁଁ ହୀନ ।

 

ପାଣିର ଜୀବ ଭୂଇଁ ଉପରେ ଚଳିପାରେ ନାହିଁ କି, ସ୍ଥଳଚର ପ୍ରାଣୀ ପାଣି ଭିତରେ ଚଳି ରହିପାରେ ନାହିଁ । ସଉତୁଣୀଟିକୁ ପୁଣି ଯେତେ ସ୍ନେହ କଲେ ସୁଦ୍ଧା ବିଷଦୃଷ୍ଟିରେ ଦେଖୁଚି । ପିଲାମାନେ ତାଙ୍କ ପାଖକୁ ଗଲେ ପେଲି ଦେଉଚି । ଏତେ ହୀନମନ୍ୟତା ଭିତରେ ପଡ଼ିରହିବା ଜୁଲି ପକ୍ଷେ ସହଜ ଓ ଶ୍ରେୟ ମନେ ହେଲା ନାହିଁ । ଉଚ୍ଚଶିକ୍ଷିତା ନିଜେ ସେ ଏବଂ ଗୋଟାଏ ଅତି ସମ୍ଭ୍ରାନ୍ତ ଭଦ୍ରବ୍ୟକ୍ତିର ଝିଅ ସେ । ଧନୀର ଝିଅ ଏବଂ ନିଜେ ଏବେ ଧନଶାଳୀ ମଧ୍ୟ । ଏଠି ସେ ସପତ୍ନୀର କଣ୍ଟକ ହୋଇ ରହିବାକୁ ଭଲ ଭାବିଲା ନାହିଁ । ମନୁଷ୍ୟ ମାତ୍ରେ ସାମାଜିକ ଜୀବ । ସେ ବି ଲଣ୍ଡନ ନଗରୀର ଯାବତୀୟ ସୁଖସମ୍ଭୋଗକୁ ପରିତ୍ୟାଗ କରି ଆସି ଅକୁଣ୍ଠିତ ଚିତ୍ତରେ ମଣ୍ଡାସାହି ଭଳି ନିପଟ ଅନ୍ଧାରୀ ଗାଁଟିରେ ଚଳିଯିବା ପାଇଁ ନିଜକୁ ଯଥାସମ୍ଭବ ତିଆରି କରିନେଲେ ସୁଦ୍ଧା ଲୋକେ ତାକୁ ଏକ ପ୍ରକାର ଦୂର ଦୂର କଲେ । ଶେଷକୁ ସେ ଦିନେ ସ୍ୱାମୀଙ୍କୁ କହିଲେ–ଶୁଣ Dear, ତୁମେ ଏଠି ରହିଯାଅ । ତୁମର ସ୍ତ୍ରୀ, ତୁମର ଆତ୍ମୀୟସ୍ୱଜନ, ତୁମର ଗାଁ ଓ ଦେଶ ତୁମର ଅମୂଲ୍ୟ ସମ୍ପଦ । ମୁଁ ତୁମର ସ୍ତ୍ରୀ ହୋଇ ଜୀବ ଥିବା ଯାକେ ରହିବି–ଲଣ୍ଡନରେ ତୁମ ପିଲା ତିନୋଟିଙ୍କୁ ମଣିଷ କରିବା ପାଇଁ । ଯେବେ ସୁବିଧା ପାଇବ, ଯାଇପାର । ଗଲେ ମୁଁ ନିଶ୍ଚୟ ଖୁସି ଦେବି । ମାତ୍ର ଏଠି ରହିଲେ ମୁଁ ଅଧିକ ଖୁସି ହେବି ।

 

ଜୁଲିକୁ ବକ୍ଷ ଉପରକୁ ଭିଡ଼ିନେଇ ଉପେନ୍ଦ୍ର ବାବୁ ଦେଖିଲେ, ଜୁଲିଆ କାନ୍ଦୁଚି । ଛାଡ଼ିଯିବାକୁ ପ୍ରାଣ ଚାହୁଁନାହିଁ । ତଥାପି କର୍ତ୍ତବ୍ୟ ଓ ପରିସ୍ଥିତି ଦୃଷ୍ଟିରୁ ଚାଲିଯିବା ନିଶ୍ଚୟ ଉଚିତ ହେବ-। ଉପେନ୍ଦ୍ର ବାବୁ କାନ୍ଦି ଉଠିଲେ । ଦୀର୍ଘନିଃଶ୍ୱାସ ଟାଣିଲେ । ତଥାପି ନିରୁପାୟ ।

 

ଜୁଲି କହିଲା–ମୁଁ ତୁମ ପାଥେୟର ବ୍ୟବସ୍ଥା କରିବି ନିଶ୍ଚୟ । କିନ୍ତୁ ତୁମେ ରହିଯାଅ ଇଣ୍ଡିଆରେ । ମୋ ଅପେକ୍ଷା ତୁମ ଦେଶ, ତୁମ ଜାତି ଓ ସମାଜ ନିଶ୍ଚୟ ବଡ଼ । ଆଉ ବାକି ରହିଲା–ଧର୍ମ କଥା । ତୁମ ମୋ ଭିତରେ ଧର୍ମ ହେଲା–ମାନବିକତା । ତୁମେ ହିନ୍ଦୁ ନୁହଁ କି ମୁଁ ଖ୍ରୀଷ୍ଟିୟାନ ନୁହେଁ । ଉଭୟେ ଆମେ ଈଶ୍ୱରବିଶ୍ୱାସୀ, ଏଇ ଯଥେଷ୍ଟ । ତୁମେ ଥାଅ, ତୁମ ସ୍ତ୍ରୀଙ୍କ ନିକଟରେ । ତୁମକୁ ହରାଇ ସେ ବହୁତ ଦୁଃଖ ପାଇଚନ୍ତି । ଭଗବାନ ତାଙ୍କୁ ଦୁଃଖମୁକ୍ତ କରନ୍ତୁ, ଏତିକି ମୋର କାମନା । ଭୂତନାଥ ବାବୁ, ମହେନ୍ଦ୍ରବାବୁ ଏବଂ ତାଙ୍କ ବନ୍ଧୁବାନ୍ଧବମାନେ ବହୁପ୍ରକାର ଜୁଲିକୁ ଅନୁରୋଧ କଲେ ରହିଯିବାକୁ । ତଥାପି ସେ ସମସ୍ତଙ୍କଠାରୁ ହସି ହସି ବିଦାୟ ନେଲା–ମୁଁ ହେଇ ତ ଇଂଲଣ୍ଡରେ ରହୁଚି । ପୃଥିବୀ ଛାଡ଼ି ଶୂନ୍ୟମଣ୍ଡଳକୁ ଚାଲିଯାଉ ନାହିଁ ତ । ମୁଁ ତୁମରିମାନଙ୍କ ବୋହୂ ହୋଇ ରହିବି ନିଶ୍ଚୟ । ଦୁଃଖ କଅଣ ?

 

ଉପେନ୍ଦ୍ର ବାବୁ କାନ୍ଦି କାନ୍ଦି ବମ୍ବେଠାରେ ଜାହାଜରେ ଚଢ଼ାଇଦେଇ ଆସିଲେ–ଜୁଲି ଓ ପିଲା ତିନୋଟିଙ୍କି । ଦରିଆପାରିର ଜୀବ ସେ । ତେଣୁ ସେ ଘୃଣ୍ୟ ଅସ୍ପୃଶ୍ୟ, ଅଜାତି, ବିଧର୍ମୀ । କାନ୍ଦି କାନ୍ଦି ରୁମାଲ ହଲାଇ ବିଦାୟ ନେଲେ ପଳାତକ ନିରାଶ୍ରୟ ଉପେନ୍ଦ୍ରବାବୁଙ୍କୁ ଆଶ୍ରୟଦାୟିନୀ ଓ ସ୍ତ୍ରୀ ଏବଂ ନିରୀହ ସନ୍ତାନ ତିନୋଟି । ସ୍ୱାମୀଠାରୁ ସ୍ତ୍ରୀ ଗଲା, ବାପଠାରୁ ପିଲାଏ ଗଲେ–ଡାଡ଼ି, ଡାଡ଼ି ବୋଲି କାନ୍ଦି କାନ୍ଦି ଲୋତକ ଗଡ଼ାଇ ଗଡ଼ାଇ । ଆଉ ଆମେ ହିନ୍ଦୁ, ଭାରତୀୟ, ସବୁ ଧର୍ମ ପ୍ରଚାରକମାନେ–ଯେଉଁ ସନାତନ ଆର୍ଯ୍ୟଭୂମିରୁ ଜନ୍ମ ଲଭି ସାମ୍ୟ ମୈତ୍ରୀପ୍ରଚାର କରି ବୁଲିଥିଲେ ଦୁନିଆସାରା, ସେଇ ପବିତ୍ର ସ୍ୱର୍ଗଭୂମିର ଦେବତା ବୋଲାଉଥିବା ଲୋକ ଆମେମାନେ । ଆମେମାନେ ହିଁ ଜୁଲି ତ୍ରିଷ୍ଟିନାଙ୍କ ପରି ଉଦାରମନା ମହୀୟସୀ ମହିଳାକୁ ଘୃଣା କରି ନିର୍ବାସନ ଦଣ୍ଡ ଦେଲୁ–ଚିରଦିନ ପାଇଁ ।

 

ଦୁନିଆରେ ନିଜକୁ ଅତି ବଡ଼ ବୋଲି ଘୋଷଣା କରି ବୁଲୁଚୁ ଆମେମାନେ ନା ?

 

ଉପେନ୍ଦ୍ରବାବୁ ବଡ଼ କଷ୍ଟରେ ଗୋଟିଏ ବର୍ଷ କଟାଇଲେ । ପରେ ଛାଡ଼ ଛାଡ଼ ହେଲେ । ତ୍ରିଷ୍ଟିନାକୁ ଚିଠି ଲେଖିଲେ । ପିଲାଙ୍କୁ ଦେଖିବାକୁ ବ୍ୟାକୁଳ ହେଲେ । ତ୍ରିଷ୍ଟିନା ଚିଠିପତ୍ର ଓ ଟଙ୍କାକଉଡ଼ି ପଠାଇଲା । ଇଏ ଚାଲିଗଲେ । କେହି କେହି କହୁଚନ୍ତି, ପ୍ରଥମ ସ୍ତ୍ରୀ, ଆତ୍ମୀୟସ୍ୱଜନ, ଗ୍ରାମ, ଘର ଓ ଦେଶ ଛାଡ଼ି ଚାଲିଯିବା ଠିକ୍‌ ହେଲା ନାହିଁ ।

 

ଅନ୍ୟମାନେ ମଧ୍ୟ କହନ୍ତି–ଏ ଦେଶ ତାଙ୍କୁ ତ ଚିରଦିନ ପାଇଁ ପରିତ୍ୟାଗ କରିଥିଲା । ଇଂରେଜମାନେ ଯେତେବେଳେ ତାଙ୍କୁ ବାନ୍ଧି ନେବାପାଇଁ ଖୋଜି ବୁଲିଲେ, ସେତେବେଳେ ତାଙ୍କୁ ଲୁଚାଇ ରଖିବାକୁ ଏ ଦେଶରେ କେହି ଜଣେ ନ ଥିଲେ ? ତା’ପରେ ଲଣ୍ଡନ ସହର । ଖୋଦ ଇଂରେଜମାନଙ୍କ ଘରେ ଯେଉଁ ସାହେବ ଜଣକ ତାଙ୍କୁ ଲୁଚାଇ ରଖି ପୋଷିଲା, ସେ କଅଣ ଛୋଟିଆ ଲୋକ ? ତା’ ପରେ ଜୁଲି ତ୍ରିଷ୍ଟିନା ଓ ସେଠା ଆତ୍ମଜ ସନ୍ତାନ ତିନୋଟି ସେମାନେ କଅଣ ଉପେନ୍ଦ୍ର ବାବୁଙ୍କର ସର୍ବସ୍ୱ ନୁହେଁ, ସେ ନିଶ୍ଚୟ ଠିକ୍‌ କରିଚନ୍ତି–ଲଣ୍ଡନ ଫେରିଯାଇ ।

Image